ନୂଆଦିଲ୍ଲୀ: ପ୍ରପର୍ଟି ଡିଲର୍‌ର ଗାଡ଼ିରେ ଖଞ୍ଜିଥିଲା ଟ୍ରାକର। କୁଆଡ଼େ ଯାଉଛନ୍ତି ? କେତେବେଳେ ଯାଉଛନ୍ତି ? ପ୍ରତିଟି ଗତିବିଧି ଉପରେ ରଖୁଥିଲା ନଜର। ଶେଷରେ ମିଳିଗଲା ସୁଯୋଗ। ଘଟାଇଲା ଜଘନ୍ୟ ହତ୍ୟାକାଣ୍ଡ। ନେଲା ୭ ବର୍ଷ ତଳର ପ୍ରତିଶୋଧ। ହରିୟାଣା ରୋହତକରେ ପ୍ରପର୍ଟି ଡିଲର ସତ୍ୟବାନଙ୍କ ହତ୍ୟା ମାମଲାରେ ପୋଲିସ ଯାଞ୍ଚରୁ ଅଭିଯୁକ୍ତ ବିଷୟରେ କରିଛି ଏଭଳି ଚକିତ କରିଦେବାଭଳି ଖୁଲାସା।

ପୋଲିସର ସୂଚନା ଅନୁସାରେ, ଏହି ଘଟଣା ୭ ବର୍ଷ ପୁରୁଣା ପ୍ରତିଶୋଧର ପରିଣାମ। ପୋଲିସ କହିଛି ସତ୍ୟବାନକୁ ହତ୍ୟା କରିଛି ପ୍ରଦୀପ ନାମକ ଜଣେ ଯୁବକ। ଆଉ ପ୍ରଦୀପ ହେଉଛି ସେହି ବ୍ୟକ୍ତିଙ୍କ ଭଣଜା, ଯାହାଙ୍କୁ ସତ୍ୟବାନ ପ୍ରାୟ ୭ ବର୍ଷ ତଳେ ହତ୍ୟା କରିଥିଲେ। ଏମିତିରେ ପ୍ରଦୀପ ନିଜ ମାମୁ ଧର୍ମେନ୍ଦ୍ରଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ରକ୍ତମୁଖା ହୋଇଉଠିଥିଲା। ଆଉ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜିବାରେ ଲାଗିଥିଲା। ଏଥିପାଇଁ ପୋଲିସ ଫେବ୍ରୁଆରୀ ୨୦ ତାରିଖ ବିଳମ୍ବିତ ରାତିରେ ସତ୍ୟବାନଙ୍କ ଘର ବାହାରେ ଥିବା ତାଙ୍କ ବ୍ରେଜା କାର୍ରେ ଜିପିଏସ ଟ୍ରାକର ଲଗାଇଥିଲା। ଟ୍ରାକର ଦ୍ବାରା ପ୍ରଦୀପ, ସତ୍ୟବାନଙ୍କ ଉପରେ ନଜର ରଖୁଥିଲେ। ଆହୁରି ମଧ୍ୟ ସତ୍ୟବାନଙ୍କ ହତ୍ୟା ପାଇଁ ପ୍ରଦୀପ ନିଜର ଦୁଇ ସାଥୀ ମଞ୍ଜିତ ମନୀଷଙ୍କ ସହଯୋଗ ମଧ୍ୟ ନେଇଥିଲେ।

ଏହା ପରଦିନ ସକାଳେ ସତ୍ୟବାନ ପ୍ରଥମେ ନିଜ ଭାଇକୁ ଛାଡ଼ିବା ପାଇଁ ଖରଖୌଦା ଏବଂ ସେଠାରୁ ରୋହତକ ଜିଲ୍ଲା ଅଦାଲତକୁ ଯାଇଥିଲେ। ତେବେ ଦ୍ବିପ୍ରହର ଘରକୁ ଫେରିବାବେଳେ ପ୍ରଦୀପ ଏବଂ ତାଙ୍କ ସାଥୀମାନେ ଜିପିଏସ ଟ୍ରାକ୍ କରି ଖରାବଡ଼ ଗାଁ ନିକଟରେ ଏକ ନିର୍ଜନ ସ୍ଥାନରେ ତାଙ୍କୁ ଘେରିଥିଲେ। ଅଭିଯୁକ୍ତମାନେ ସତ୍ୟବାନଙ୍କୁ ଗୁଳି କରିଥିଲେ। ଏଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟା ପରେ ପରିଚୟ ପ୍ରଘଟ ନହେବା ଏବଂ ଶବ ଜବତ ନହେବା ପାଇଁ ତିନିଜଣଯାକ ଶବକୁ ନିଜ ସହ ନେଇଯାଇଥିଲେ।

ପୋଲିସର ସୂଚନା ଅନୁସାରେ, ପ୍ରଦୀପ ଓ ତା’ ସାଥୀମାନେ ଶବକୁ ପଥରରେ ବାନ୍ଧି ଜବାହାର ଲାଲ ନେହେରୁ କେନାଲରେ ଫିଙ୍ଗି ଦେଇଥିଲେ। ବଡ଼ କଥା ଶବ ଯେପରି ପାଣିରେ ହିଁ ବୁଡ଼ି ରହିବ ସେଥିପାଇଁ ସେମାନେ ପଥର ବାନ୍ଧିଦେଇଥିଲେ। ଏପଟେ କିନ୍ତୁ ସତ୍ୟବାନଙ୍କ ଖୋଜିବାକୁ ପୋଲିସ ଜୋରସୋରରେ ଯାଞ୍ଚ ଜାରି ରଖିଥିଲା। ସିସିଟିଭି ଫୁଟେଜ ଏବଂ ସନ୍ଦିଗ୍ଧଙ୍କ ଗତିବିଧିକୁ ଆଧାର କରି ପ୍ରଦୀପ ନିକଟରେ ପହଞ୍ଚିଥିଲା ପୋଲିସ।

ଆଉ IMT ଥାନା ପୋଲିସ ଫେବ୍ରୁଆରୀ ୨୩ ରାତିରେ ଅଭିଯୁକ୍ତ ମନୀଷ ଏବଂ ମଞ୍ଜିତଙ୍କୁ ଗିରଫ କରିଥିଲା। ପଚରାଉଚରା ସମୟରେ ଉଭୟ ହତ୍ୟା ଷଡ଼ଯନ୍ତ୍ର ଏବଂ ଅପରାଧରେ ସେମାନଙ୍କର ଭୂମିକା ସ୍ୱୀକାର କରିଥିଲେ। ସେମାନଙ୍କ ଠାରୁ ସୂଚନା ପାଇ ପୋଲିସ JLN କେନାଲରୁ ସତ୍ୟବାନଙ୍କ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଅଭିଯୁକ୍ତଙ୍କଠାରୁ ପାଞ୍ଚଟି ଦେଶୀ ନିର୍ମିତ ପିସ୍ତଲ ଏବଂ ପାଞ୍ଚଟି ଜୀବନ୍ତ ଗୁଳି ମଧ୍ୟ ଜବତ କରିଛି। ଅବଶ୍ୟ ଏବେବି ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ଫେରାର ଅଛି।

ପୋଲିସର କହିବା ଅନୁଯାୟୀ, ଏହି ହତ୍ୟାକାଣ୍ଡ ପୁରୁଣା ଶତ୍ରୁତାର ପରିଣାମ। ୨୦୧୭ ଡିସେମ୍ବର ୩୧ ରାତିରେ ସତ୍ୟବାନ, ଖେଡି ସାଧ ଗାଁରେ ଧର୍ମେନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେହି ସମୟରେ ସତ୍ୟବାନଙ୍କ ସ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରିଥିଲେ, ଫଳରେ ଦୁଇ ପକ୍ଷ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହି ମାମଲାରେ ସତ୍ୟବାନଙ୍କୁ ଜେଲ ହୋଇଥିଲା। ହେଲେ ପରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଜାମିନରେ ମୁକ୍ତ ହୋଇଥିଲେ। ଧର୍ମେନ୍ଦ୍ରଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଭଣଜା ପ୍ରଦୀପ, ସତ୍ୟବାନଙ୍କୁ ହତ୍ୟା କରିଛି। ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଚଢ଼ାଉ କରୁଛି।