ଭୁୂବନେଶ୍ୱର: ଆସନ୍ତା ଜୁନ ୨୦ ତାରିଖରେ ମୟୁରଭଞ୍ଜ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୟୁରଭଞ୍ଜ ରାଇରଙ୍ଗପୁର ଆସିବା ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମ୍ପୂର୍ଣ ରୂପରେଖ ପ୍ରସ୍ତୁତ ହେଉଛି। ଖୁବଶୀଘ୍ର ଚୂଡାନ୍ତ ଗସ୍ତସୂଚୀ ଜଣାପଡିବ ବୋଲି ସେ କହିଛନ୍ତି।

ବିଭିନ୍ନ ବିକାଶମୂଳକ ପ୍ୟାକେଜ ସହିତ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି । ଏହି ସମ୍ଭାବ୍ୟ ଗସ୍ତ ସମ୍ପର୍କରେ ରାଷ୍ଟ୍ରପତି ଭବନରୁ ପ୍ରାରମ୍ଭିକ ସୂଚନା ମିଳିଥିବା କୁହାଯାଇଛି । ତେବେ ଗସ୍ତର ଚୂଡ଼ାନ୍ତ ସୂଚୀ ଏପର୍ଯ୍ୟନ୍ତ ଆସିନାହିଁ ।

କଥା ଦେଇ କଥା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ତାଙ୍କ ଗାଁକୁ ବୁଲି ଆସିବାକୁ କଥା ଦେଇଥିଲେ ମୋଦି। ଆଉ ଏବେ ଆସିବାର ଯୋଜନା କରିଛନ୍ତି। ରାଇରଙ୍ଗପୁରରେ ବଡ଼ ସାଧାରଣ ସଭା କରିବ। ଓଡ଼ିଶାରେ ପ୍ରଥମ ଥର Indian institute of forest management ଖୋଲିବ । ଏହାର କୁସୁମୀ ବ୍ଲକ ସୁଳିଦୁମାରେ ଶିଳାନ୍ୟାସ କରିବେ ମୋଦି।

ପୂର୍ବରୁ ଜବତ ବାଘ ଛାଲ ସହ ଅନ୍ୟ ଜନ୍ତୁଙ୍କର ବୈଜ୍ଞାନିକ ପରୀକ୍ଷା ପାଇଁ ଡେରାଡୁନକୁ ପଠେଇବାକୁ ପଡୁଥିଲା। ଏବେ ଓଡ଼ିଶାରେ ଏହାର ପରୀକ୍ଷଣ ହେବ। ପ୍ରଧାନମନ୍ତ୍ରୀ ବି ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ଯିବେ। ଏ ନେଇ ମୟୂରଭଞ୍ଜ ସାଂସଦଙ୍କୁ ଫୋନ ଆସିଥିଲା। ଅନ୍ୟପଟେ, ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ରାଇରଙ୍ଗପୁର ଆସିବେ ବୋଲି ସୂଚନା ମିଳିଛି । ଉଭୟ ଭିଭିଆଇପି ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ।