ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୯ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁଙ୍କ ରେକର୍ଡ ଭାଙ୍ଗିବେ । ପିଏମ୍ ମୋଦୀ ଦେଶର ଏପରି ପ୍ରଧାନମନ୍ତ୍ରୀ ହୋଇଯିବେ, ଯିଏ ନିର୍ବାଚିତ ହେବା ପରେ ସବୁଠୁ ଅଧିକ ସମୟ ଯାଏଁ ଏହି ପଦରେ ରହିବେ । ଅର୍ଥାତ୍ ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ । ଜୁନ୍ ୯ରେ ତାଙ୍କ ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷ ପୂର୍ତ୍ତି ହେବ । ଜୁନ୍ ୧୦ରେ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଏହା ଉପରେ ପ୍ରସ୍ତାବ ପାରିତ କରି ପିଏମ୍ ମୋଦୀଙ୍କୁ ଏହି ଐତିହାସିକ ଉପଲବ୍ଧି ପାଇଁ ଶୁଭେଚ୍ଛା ଜଣାଯିବ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଏନ୍.ଚନ୍ଦ୍ରବାବୁ ନାଇଡ଼ୁ ପ୍ରସ୍ତାବ ଆଣିବେ । ଅନ୍ୟ ସହଯୋଗୀ ଦଳର ନେତା ପ୍ରସ୍ତାବର ସମର୍ଥନ କରିବେ । ଏହି ପ୍ରସ୍ତାବରେ ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଉପଲବ୍ଧି ଉଲ୍ଳେଖ କରାଯିବ ।

ନେହରୁଙ୍କ ରେକର୍ଡ

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ୧୯୫୨ ମଇ ୧୩ରେ ପ୍ରଥମ ଥର ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ସେ ଲଗାତାର ୪,୩୯୭ ଦିନ ଅର୍ଥାତ୍ ୧୨ ବର୍ଷ ୧୪ ଦିନ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଜୁନ ୯ରେ, ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ଲଗାତାର ୪,୩୯୮ ଦିନ ଅର୍ଥାତ୍ ୧୨ ବର୍ଷ ୧୫ ଦିନ ପୂରଣ କରି ତାଙ୍କର ରେକର୍ଡ ଭାଙ୍ଗିବେ । ଯଦିଓ ନେହେରୁ ୧୫ ଅଗଷ୍ଟ ୧୯୪୭ରେ ପ୍ରଧାନମନ୍ତ୍ରୀ ହୋଇଥିଲେ, କିନ୍ତୁ ସେ ପ୍ରଥମ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ଥିଲେ, ନିର୍ବାଚିତ ପ୍ରଧାନମନ୍ତ୍ରୀ ନଥିଲେ । ଯଦି ଜବାହରଲାଲ ନେହରୁଙ୍କ ପୂରା କାର୍ଯ୍ୟକାଳ ଯୋଡାଯାଏ, ତେବେ ଏହା ୬,୧୩୦ ଦିନ ହେବ । ଏଥିରେ ଅନ୍ତରୀଣ କିମ୍ବା ଅଣନିର୍ବାଚିତ ସରକାରର ନେତୃତ୍ୱ ନେଇଥିବା ୧,୭୩୩ ଦିନ ସାମିଲ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନ୍ୟାନ୍ୟ ରେକର୍ଡ

ନରେନ୍ଦ୍ର ମୋଦୀ ପୂର୍ବରୁ ଅନେକ ଐତିହାସିକ ସଫଳତା ହାସଲ କରିସାରିଛନ୍ତି । ସେ ସର୍ବାଧିକ ସମୟ ପାଇଁ ଏହି ପଦବୀରେ ରହିବାରେ ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨୨୭୨ ଦିନର କାର୍ଯ୍ୟକାଳକୁ ପଛରେ ପକାଇସାରିଛନ୍ତି । ସେ ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏ ଲଗାତାର ତିନୋଟି ନିର୍ବାଚନରେ ବିଜୟୀ ହୋଇଛନ୍ତି । ଏକ ନିର୍ବାଚିତ ସରକାରଙ୍କ ମୁଖ୍ୟ ଭାବରେ ସର୍ବାଧିକ ସମୟ ପାଇଁ ତାଙ୍କର ରେକର୍ଡ ମଧ୍ୟ ଅଛି । ସେ ଅକ୍ଟୋବର ୭, ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେବେଠାରୁ ସେ ନିରନ୍ତର ଭାବରେ ସରକାରର ମୁଖ୍ୟ ଭାବରେ କାର୍ଯ୍ୟ କରିଆସୁଛନ୍ତି । ସେ ଅକ୍ଟୋବର ୭, ୨୦୦୧ରୁ ମେ ୨୨, ୨୦୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଏବଂ ତା’ପରେ ମେ ୨୬, ୨୦୧୪ରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଏହିପରି, ନିର୍ବାଚିତ ସରକାରଙ୍କ ମୁଖ୍ୟ ଭାବରେ ପିଏମ୍ ମୋଦୀ ୯,୦୦୦ରୁ ଅଧିକ ଦିନ ପୂରଣ କରିଛନ୍ତି ।