ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବସିଥିବା ଚେୟାରରୁ ଉଠିପଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହାତ ମିଳାଇଲେ ଡୋନାଲ୍ଡ ଟ୍ରମ୍ପ। ଫ୍ରାନ୍ସର ଏଭିଆନ-ଲେସ୍-ବାଇନ୍ସ (Evian-les-Bains) ଠାରେ ଚାଲିଥିବା G7 ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ପ୍ରାୟ ୧୬ ମାସ ପରେ ଦୁଇ ନେତାଙ୍କର ପ୍ରଥମ ସାକ୍ଷାତ ହୋଇଥିବାରୁ ଏହାକୁ ଉଭୟ ଦେଶ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ସମ୍ମିଳନୀ ହଲ୍ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଏକାଠି ହୋଇଥିଲେ। ଟ୍ରମ୍ପ ମୋଦୀଙ୍କୁ ଦେଖି ହାତ ବଢାଇ ଶୁଭେଚ୍ଛା ଜଣାଇଥିଲେ। ଉଭୟ ନେତାହାତ ମିଳାଇବା ପରେ କିଛି ମୁହୂର୍ତ୍ତ ପାଇଁ ହସଖୁସିରେ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଟ୍ରମ୍ପ ମୋଦୀଙ୍କ ହାତକୁ ଥାପୁଡ଼େଇ ଥିଲେ।

୨୦୨୫ରେ ଶେଷ ସାକ୍ଷାତ୍କାର

ଏହା ଫେବୃଆରୀ ୨୦୨୫ ପରେ ଉଭୟ ନେତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ୱାଶିଂଟନ ଗସ୍ତ ସମୟରେ ଦୁଇ ନେତା ସାମ୍ନାସାମ୍ନି ହୋଇଥିଲେ। ସମ୍ପ୍ରତି ଭାରତ ଏବଂ ଆମେରିକା ମଧ୍ୟରେ 'ଅପରେସନ୍ ସିନ୍ଦୂର' ଯୁଦ୍ଧବିରତି ଏବଂ ଆମେରିକାର ଟାରିଫ୍ ନୀତିକୁ ନେଇ କିଛି ମତଭେଦ ଥିଲେ ମଧ୍ୟ, ଉଭୟ ଦେଶ ଏକ ବାଣିଜ୍ୟ ଚୁକ୍ତି ଆଡ଼କୁ ଅଗ୍ରସର ହେଉଛନ୍ତି। ଏଭଳି ସ୍ଥିତିରେ ଏହି ସାକ୍ଷାତ ଖୁବ୍ ଅର୍ଥପୂର୍ଣ୍ଣ ହେବ ବୋଲି କୁହାଯାଉଛି। ସମ୍ମିଳନୀ ଅଧିବେଶନ ସମୟରେ ମଧ୍ୟ ମୋଦୀ ଏବଂ ଟ୍ରମ୍ପ ପାଖାପାଖି ବସିଥିଲେ ଏବଂ ଟ୍ରମ୍ପ ବୁଢ଼ା ଆଙ୍ଗୁଳିରେ ଥମ୍ସ-ଅପ୍ ଦେଖାଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ଗସ୍ତରେ ଏଭିଆନରେ ପହଞ୍ଚିଛନ୍ତି। ଏହା ତାଙ୍କର କ୍ରମାଗତ ସପ୍ତମ G7 ସମ୍ମିଳନୀରେ ଅଂଶଗ୍ରହଣ। ସେ ଏଠାରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେ, ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାରମର୍ ଏବଂ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ। ସନ୍ଧ୍ୟାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦ୍ୱାରା ଆୟୋଜିତ ଗାଲା ଡିନରରେ ସେ ଯୋଗଦେବେ।

ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ

ଏହି ସମ୍ମିଳନୀରେ ବିଶ୍ୱ ଅର୍ଥନୈତିକ ସ୍ଥିରତା, ଶକ୍ତି ନିରାପତ୍ତା, କୃତ୍ରିମ ବୁଦ୍ଧିମତା (AI), ୟୁକ୍ରେନ୍ ଓ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବଂ ଭୂ-ରାଜନୈତିକ ବିକାଶ ଉପରେ ଆଲୋଚନା କରାଯିବ। ଭାରତ G7ର ସଦସ୍ୟ ନ ହେଲେ ମଧ୍ୟ ଜଣେ ନିୟମିତ ଅଂଶଗ୍ରହଣକାରୀ ଭାବେ 'ଗ୍ଲୋବାଲ ସାଉଥ୍'ର ସମସ୍ୟା ଉପରେ ଆଲୋକପାତ କରିବ ଏବଂ ବିକାଶଶୀଳ ଦେଶମାନଙ୍କ ପାଇଁ ଅଧିକ ସହଯୋଗ ଦାବି କରିବ।