ନୂଆଦିଲ୍ଲୀ: ଇରାନ ଯୁଦ୍ଧ ମଧ୍ୟରେ ସାଉଦି ଆରବର କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧନମନ୍ତ୍ରୀ ମୋଦୀ । ଇସ୍ରାଏଲ-ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ସାଉଦି ଆରବର ଆଞ୍ଚଳିକ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ମୋଦୀ।

ପିଏମ ମୋଦୀ ଏକ୍ସରେ ସୂଚନା ଦେଇଛନ୍ତି ଯେ, ‘ମୁଁ ସାଉଦି ଆରବର କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ରାଜକୁମାର ମହମ୍ମଦ ବିନ୍ ସଲମାନଙ୍କ ସହ କଥା ହୋଇ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବିଷୟରେ ଆଲୋଚନା କରିଛି। ଆଞ୍ଚଳିକ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବିରୋଧରେ ଭାରତର ଆଭିମୁଖ୍ୟ ଦୋହରାଇଛି ।’ ଦୁଇ ଦେଶର ପ୍ରଧାନମନ୍ତ୍ରୀ, ଜଳପଥ ଖୋଲା ରଖିବାକୁ ଏବଂ ସୁରକ୍ଷିତ ଯାତାୟତ ଉପରେ ଆଲୋଚନା କରିଛନ୍ତି । ସେହିଭଳି ଭାରତୀୟ ସଂପ୍ରଦାୟଙ୍କ ପ୍ରତି ସାଉଦି ଆରବର ସମର୍ଥନକୁ ପିଏମ ମୋଦୀ ପ୍ରଶଂସା କରିଛନ୍ତି । ସେ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

 

ଫେବୃଆରୀ ୨୮ ତାରିଖରେ ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ଏହା ସାଉଦି କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଦ୍ୱିତୀୟ ଟେଲିଫୋନିକ ଆଲେଚନା । ତେବେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲେ । ଇରାନ୍ ପ୍ରତିଜବାବ ଦେଇଥିଲା । ଆଉ ଏବେ ଆମେରିକା-ଇସ୍ରାଏଲ ଏବଂ ଇରାନ୍ ଯୁଦ୍ଧ ଏବେ ୩୦ ଦିନରେ ପ୍ରବେଶ କରିଛି । ଯୁଦ୍ଧରେ ଇରାନ୍ ନିଜର ପଡ଼ୋଶର ଗଲ୍ପ ଦେଶଗୁଡ଼ିକୁ ଟାର୍ଗେଟ କରୁଛି । ୟୁଏଇ, ସାଉଦି ଆରବ ଭଳି ଦେଶ ପ୍ରତିଦିନ ଯୁଦ୍ଧର ସାମ୍ନା କରୁଛନ୍ତି । ସେପଟେ ବିଶ୍ବକୁ ଶକ୍ତି ପରିବହନର ପ୍ରମୁଖ ଜଳ ମାର୍ଗ ହର୍ମୁଜ ପ୍ରଣାଳୀ ଇରାନ କବଜାରେ ଥିବା ବେଳେ ଭାରତ ଭଳି ଅନେକ ଦେଶରେ ସଙ୍କଟ ବଢ଼ିଛି ।

ପଶ୍ଚିମ ଏସିଆରେ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବିଶ୍ୱ ନେତାଙ୍କ ସହ କଥା ହୋଇଛନ୍ତି । ଏଥିରେ ସଂଯୁକ୍ତ ଆରବ ଏମିରେଟ୍ସ (UAE), କତାର, ବାହାରିନ, କୁଏତ, ଜୋର୍ଡାନ, ଇରାନ, ଫ୍ରାନ୍ସ, ଇସ୍ରାଏଲ ଏବଂ ମାଲେସିଆର ନେତାମାନେ ସାମିଲ । ପଶ୍ଚିମ ଏସିଆରେ ଯୁଦ୍ଧ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଟ୍ରମ୍ପଙ୍କ ସହ ତାଙ୍କର ଆଲୋଚନା ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ପଶ୍ଚିମ ଏସିଆର ପରିସ୍ଥିତି ଉପରେ ସେମାନଙ୍କ ମଧ୍ୟରେ ଉପଯୋଗୀ ଆଲୋଚନା ହୋଇଛି।’