ନୂଆଦିଲ୍ଲୀ: ବିସ୍ଫୋରଣରେ ଥରି ଉଠିଲା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ। ସୋମବାର ସନ୍ଧ୍ୟା ପ୍ରାୟ ୬ଟା ୫୫ରେ ଏକ କାରରେ ହୋଇଥିବା ବିସ୍ଫୋରଣରେ ଏ ପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ୨୪ ଜଣ ଆହତ ହୋଇଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ଲୋକନାରାୟଣ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୋଲିସ ବର୍ତ୍ତମାନ ମାମଲାର ତଦନ୍ତରେ ଜୁଟି ଯାଇଛି। ଆକ୍ସନ ମୋଡକୁ ଆସିଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିସ୍ଫୋରଣକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ସହ ଆଲୋଚନା କରିଛନ୍ତି। ଗୃହ ମନ୍ତ୍ରୀ ଘଟଣାର ସବୁ ଦିଗ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘଟଣାରେ ଆଇବି ମୁଖ୍ୟଙ୍କ ସହ କଥା ହେବା ସହ ଏନଆଇଏ ଡିଜିକୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରୀ ସିଆରପିଏଫ ଡିଜିଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଘଟଣାସ୍ଥଳରେ ଏନଏସଜିକୁ ପହଞ୍ଚିବାକୁ କୁହାଯାଇଛି। ତନ୍ନ ତନ୍ନ କରି ଘଟଣାର ତଦନ୍ତ ଉପରେ ଗୁରୁତ୍ଵ ଦିଆଯାଇଛି। ଏ ପର୍ଯ୍ୟନ୍ତ ବୋମା ନା ଅନ୍ୟ କୌଣସି ବିସ୍ଫୋରକରେ ଏହି ବିସ୍ଫୋରଣ ଘଟିଛି ତାହାର ସୂଚନା ମିଳି ପାରିନାହିଁ। ଏନଆଇଏର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।

ଚାନ୍ଦନୀ ଚୌକ ବ୍ୟବସାୟୀ ସଂଘ ପକ୍ଷରୁ ସେୟାର କରାଯାଇଥିବା ବିସ୍ଫୋରଣର ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ୟପଟେ ଦିଲ୍ଲୀ ପୋଲିସ  ପୂରା ରାଜଧାନୀରେ ହାଇ ଆଲର୍ଟ ଜାରି କରିଛି। ଘଟଣାସ୍ଥଳକୁ ଘେରାବନ୍ଦୀ କରାଯାଇ ତଦନ୍ତ ଜୋରଦାର କରାଯାଇଛି। ଅଗ୍ନିଶମ ବାହିନୀ ରାତି ପ୍ରାୟ ସାଢେ ୭ଟାରେ ନିଆଁକୁ ଆୟତ୍ତ କରିଛନ୍ତି। ଆଗରେ ଛଅ କାର, ଦୁଇଟି ରିସ୍କା ଓ ଗୋଟିଏ ଟୋ ରିସ୍କା ଜଳି ପାଉଁଶ ହୋଇ ଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଶବ୍ଦ ଅନେକ କିଲୋମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। ତା ସହ ଅନେକ ମିଟର ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକର କାଚ ଭାଙ୍ଗି ଯାଇଛି।