ନୂଆଦିଲ୍ଲୀ: ଦିନ ଆସିବ ସାରା ବିଶ୍ୱ ପ୍ଲାଷ୍ଟିକମୟ ହୋଇଯିବ। ପ୍ଲାଷ୍ଟିକର ବିଷ ବଳୟ ଭିତରେ ରହି ମଣିଷ ମାରାତ୍ମକ ରୋଗରେ ପଡ଼ି ମୃତ୍ୟୁବରଣ କରିବ। ଯାହାର ଟ୍ରେଣ୍ଡ ଆରମ୍ଭ ହୋଇଗଲାଣି। ବର୍ତ୍ତମାନ ସ୍ଥିତି ଏମିତି ହେଲାଣି ଯେ ସାରା ବିଶ୍ୱରେ ଯେତିକି ଜୀବ ଅଛନ୍ତି ତା’ ଠାରୁ ପ୍ଲାଷ୍ଟିକର ଉପସ୍ଥିତି ଅଧିକ ହୋଇଯାଇଛି।

ୱାର୍ଲ୍ଡ ଗଭର୍ଣ୍ଣମେଣ୍ଟ ସମ୍ମିଟ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତର-ପୂର୍ବ ବିଶ୍ୱବିଦ୍ୟାଳୟର ବରିଷ୍ଠ ଗବେଷକ ବୈଜ୍ଞାନିକ ଡକ୍ଟର ଅଭିନାଶ ମଞ୍ଜୁଳା-ବାସଭନ୍ନା ଏଭଳି ଚେତାବନୀ ଦେଇଛନ୍ତି। ମଣିଷ ଦ୍ୱାରା ଉତ୍ପାଦିତ ପ୍ଲାଷ୍ଟିକ୍ ଆଶ୍ଚର୍ଯ୍ୟଜନକ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ପୃଥିବୀରେ ଥିବା ସମସ୍ତ ପ୍ରାଣୀଙ୍କ ମୋଟ ବସ୍ତୁତ୍ୱ ଠାରୁ ପ୍ଲାଷ୍ଟିକ୍ର ବସ୍ତତ୍ୱ ଅଧିକ ବୋଲି ସେ କହିଛନ୍ତି।

ଏହି ଚେତାବନୀ ମଣିଷର ବର୍ଦ୍ଧିତ ବସ୍ତୁବାଦୀ ଚିନ୍ତାଧାରାକୁ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏବଂ ବିଶ୍ୱସ୍ତରୀୟ ସ୍ଥାୟୀତ୍ୱ ଏବଂ ବ୍ୟବହାର ଢାଞ୍ଚା ଉପରେ ଜରୁରୀ ପ୍ରଶ୍ନ ଉଠାଇଛି। ଡକ୍ଟର ମଞ୍ଜୁଳା-ବାସଭନ୍ନା ଉଲ୍ଲେଖ କରିଛନ୍ତି ଯେ ମଣିଷ ଆଜି ପର୍ଯ୍ୟନ୍ତ ପ୍ରାୟ ୧୦ ବିଲିୟନ ଟନ୍ ପ୍ଲାଷ୍ଟିକ୍ ଉତ୍ପାଦନ କରିସାରିଛି। ଯାହା ପୃଥିବୀରେ ପ୍ରାଣୀମାନଙ୍କ ଉପସ୍ଥିତି ଠାରୁ ଅଧିକ। କାରଣ ତୁଳନାତ୍ମକ ଭାବରେ ଦେଖିଲେ ଗ୍ରହର ସମସ୍ତ ପ୍ରାଣୀଙ୍କ ମିଳିତ ଓଜନ ୪ ରୁ ୫ ବିଲିୟନ ଟନ୍ ମଧ୍ୟରେ ହେବା ନେଇ ଆକଳନ କରାଯାଇଛି। ହେଲେ ପ୍ଲାଷ୍ଟିକ୍ର ଓଜନ ଏହାର ଦୁଇଗୁଣ ଅଧିକ।

ପଢନ୍ତୁ - ସ୍ମାର୍ଟଫୋନର ବ୍ୟବହାର ଶିଶୁଙ୍କ କରୁଛି ପ୍ରଭାବିତ, ବହିକୁ ସ୍ମାର୍ଟଫୋନ୍ ଭଳି ବ୍ୟବହାର କରୁଛନ୍ତି: ସର୍ଭେ ରିପୋର୍ଟ

ପୃଥିବୀରେ ପ୍ଲାଷ୍ଟିକର ଉପସ୍ଥିତି ମାତ୍ର ୧୦୦ ବର୍ଷର ହେଇପାରେ। ହେଲେ ଶତାବ୍ଦୀ ଧରି ବିଦ୍ୟମାନ ଥିବା ସମସ୍ତ ପ୍ରାଣୀ ଜୀବନ ଠାରୁ ଏହା ବଳି ଯାଇଛି। ଯାହା ଆଧୁନିକ ଶିଳ୍ପର ପରିବେଶ ଉପରେ ପଡ଼ୁଥିବା ସାଂଘାତିକ ପ୍ରଭାବକୁ ଦର୍ଶାଉଛି।

ଡ. ଅବିନାଶ ପ୍ଲାଷ୍ଟିକର କୁପ୍ରଭାବକୁ ବୁଝାଇବାକୁ ଯାଇ ଅକାଧିକ ବିଷୟରେ ତୁଳନା କରିଥିଲେ। ଯେଉଁଥିରେ ସେ କହିଥିଲେ ମାନବ ନିର୍ମିତ ସାମଗ୍ରୀଗୁଡ଼ିକ ପ୍ରାକୃତିକ ବାୟୋମାସ ସହିତ କ୍ରମଶଃ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କିମ୍ବା ଏହାକୁ ଅତିକ୍ରମ କରି ଦେଉଛନ୍ତି। ବିଶ୍ୱବ୍ୟାପୀ ଗଛ, ଗୁଳ୍ମ ଏବଂ ଉଦ୍ଭିଦର ପରିମାଣ ପ୍ରାୟ ୯୦୦ ଗିଗାଟୋନ୍ ବୋଲି ଆକଳନ କରାଯାଇଛି।

ଅନ୍ୟପଟେ ଯଦି ଆମେ କୋଠା, ରାସ୍ତା ଏବଂ ଶିଳ୍ପ ଭଳି ମାନବ ନିର୍ମିତ ଭିତ୍ତିଭୂମିର ଓଜନ ଦେଖିବା ଏହା ପ୍ରାୟ ଏକ ଟେରାଟୋନ୍ ବୋଲି ଆକଳନ କରାଯାଇଛି। ୧ ଟେରାଟୋନ୍ ହେଉଛି ଏକ ଟ୍ରିଲିୟନ ଟନ୍ ସହିତ ସମାନ। ତେଣୁ ପୃଥିବୀର ସନ୍ତୁଳନ ବିଗିଡ଼ିବା ସ୍ୱଭାବିକ ବୋଲି ସେ ଦର୍ଶାଇଛନ୍ତି। ମାନବ ନିର୍ମିତ କୃତ୍ରିମ ସାମଗ୍ରୀ ଗ୍ରହର ଭୌତିକ ଗଠନକୁ ପୁନଃଆକୃତି ଦେଉଛି ବୋଲି ଡ. ଅବିନାଶ ଦାବି କରିଛନ୍ତି।

ଏହି ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ସିନ୍ଥେଟିକ୍ ସାମଗ୍ରୀର ଅଧିକାଂଶ ପୁନଃଚକ୍ରଣଯୋଗ୍ୟ ନୁହେଁ କିମ୍ବା ଏହାକୁ ପୁନଃନବୀକରଣ କରିବା କଷ୍ଟକର। ତେଣୁ ଏଗୁଡ଼ିକ ମାଟିରେ ପୋତି ହେଇଯାଉଚି, ସମୁଦ୍ର ଏବଂ ଇକୋସିଷ୍ଟମରେ ଜମା ହୋଇ ପ୍ରଦୂଷଣ କରୁଛି। ଯାହା ଜୈବ ବିବିଧତା ହ୍ରାସ ଏବଂ ଜଳବାୟୁ ସମ୍ବନ୍ଧୀୟ ବିପଦ ବଢ଼ାଉଛି।

ପଢ଼ନ୍ତୁ- ବଗିଚାରେ ଲଗାନ୍ତୁ ଏହି ୫ ଗଛ... ଛାଡ଼ି ପଳାଇବେ ସାପ ଓ ଅନ୍ୟାନ୍ୟ ସରୀସୃପ

ଏହା ସହିତ ପ୍ଲାଷ୍ଟିକ୍ ପ୍ରଦୂଷଣ ମାଇକ୍ରୋପ୍ଲାଷ୍ଟିକ୍ ମାଧ୍ୟମରେ ସାମୁଦ୍ରିକ ପରିସଂସ୍ଥା, ମାଟି ଏବଂ ମାନବ ଖାଦ୍ୟ ଶୃଙ୍ଖଳରେ ମଧ୍ୟ ପ୍ରବେଶ କରିସାରିଛି। ତେବେ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ଏକ ଦୀର୍ଘକାଳୀନ ପ୍ରକ୍ରିୟା ସରକାର ଏନେଇ ନୀତି ନିର୍ଦ୍ଧାରଣ କଲେ ଓ ଲୋକମାନେ ସଚେତନ ହେଲେ ଏହା ରୋକାଯାଇପାରିବ ବୋଲି ଡ.ଅବିନାଶ କହିଛନ୍ତି।