ବର୍ଲିନ୍:୧୯୯୩ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୬ ବର୍ଷ ଧରି ଜଣେ ସିରିୟଲ କିଲରକୁ (Serial killer) ନେଇ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଥିଲା। କିନ୍ତୁ ଶେଷରେ ଯେତେବେଳେ ସତ୍ୟ ସାମ୍ନାକୁ ଆସିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରକୃତରେ ସେଠାରେ କୌଣସି ସିରିୟଲ କିଲର ନଥିଲା। ପ୍ରାୟ ୪୦ଟି ଅପରାଧ ସ୍ଥଳ ଏବଂ ସେଥିମଧ୍ୟରୁ ୬ଟି ହତ୍ୟାକାଣ୍ଡ ସହ ଗୋଟିଏ ସମାନ ଡିଏନଏ (DNA) ଲିଙ୍କ୍ ମିଳିଥିଲା, ଯାହାକି ପୂର୍ବ ୟୁରୋପର ଜଣେ ମହିଳାଙ୍କର ବୋଲି ଅନୁମାନ କରାଯାଉଥିଲା। ପୋଲିସ ଏହି 'ଅଦୃଶ୍ୟ' ହତ୍ୟାକାରୀଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଥିଲା ଏବଂ କେହି ତାଙ୍କୁ ଠାବ କରିପାରୁନଥିବାରୁ ତାଙ୍କୁ "ଫାଣ୍ଟମ୍ ଅଫ୍ ହେଲବ୍ରୋନ୍" (Phantom of Heilbronn) ବୋଲି ନାମ ଦେଇଥିଲା। ପୋଲିସ ଏକ ପ୍ରକାର ଭୂତକୁ ଖୋଜୁଥିଲା। କିନ୍ତୁ ୨୦୦୭ ମସିହାରେ ଯେତେବେଳେ ପୋଲିସ ଅଧିକାରୀ ମିସେଲ୍ (Michèle Kiesewetter) ଙ୍କୁ ହତ୍ୟା କରାଗଲା, ସେବେଠାରୁ ତଦନ୍ତର ମୋଡ଼ ବଦଳିଥିଲା।

ହତ୍ୟା ରହସ୍ୟରେ ବଡ଼ ତ୍ରୁଟି

ଏହି ତଦନ୍ତ ବେଳେ କିଛି ବଡ଼ ଅସଙ୍ଗତି ଦେଖିବାକୁ ମିଳିଥିଲା।

  • ଡିଏନଏ ରିପୋର୍ଟ କହୁଥିଲା ଯେ ଅପରାଧୀ ଜଣେ ମହିଳା, କିନ୍ତୁ ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ ଯେ ମିସେଲ୍ଙ୍କ ହତ୍ୟାକାରୀ ଦୁଇଜଣ ପୁରୁଷ ଥିଲେ।
  • ସେହିପରି ଅନ୍ୟ ଏକ ଅଗ୍ନିକାଣ୍ଡ ମାମଲାରେ ଉଦ୍ଧାର କରାଯାଇଥିବା କାଗଜପତ୍ରରୁ ପୂର୍ବରୁ ଏହି 'ଫାଣ୍ଟମ୍'ର ଡିଏନଏ ମିଳିଥିବା ବେଳେ, ପରେ ପୁନଃଯାଞ୍ଚ କରିବାରୁ ସେହି କାଗଜରୁ ଡିଏନଏ ଗାଏବ୍ ହୋଇଯାଇଥିଲା।
  • ଦୁଇ ବର୍ଷ ପରେ ଏହି ଡିଏନଏ ପୋଲିସକୁ ଜଣେ ମହିଳାଙ୍କ ପାଖରେ ପହଞ୍ଚାଇଥିଲା, ଯିଏକି ଏକ 'କଟନ୍ ସ୍ୱାବ୍' (ତୁଳା କାଠି) ତିଆରି କାରଖାନାରେ କାମ କରୁଥିଲେ। ଏହାପରେ ହିଁ "ଫାଣ୍ଟମ୍ ଅଫ୍ ହେଲବ୍ରୋନ୍" ରହସ୍ୟ ଉପରୁ ପରଦା ହଟିଥିଲା।

କିପରି କଟନ୍ ସ୍ୱାବ୍ ସୃଷ୍ଟି କଲା ସିରିୟଲ କିଲର?

ଦୀର୍ଘ ୧୬ ବର୍ଷ ଧରି ଚାଲିଥିବା ଏହି ସିରିୟଲ କିଲରର କାହାଣୀ ପ୍ରକୃତରେ ଫୋରେନ୍ସିକ୍ ଯାଞ୍ଚ ପାଇଁ ବ୍ୟବହାର କରାଯାଉଥିବା 'କଟନ୍ ସ୍ୱାବ୍' କାରଣରୁ ହିଁ ସୃଷ୍ଟି ହୋଇଥିଲା।

  • ଏହି ତୁଳା କାଠିଗୁଡ଼ିକ ସେହି କାରଖାନାରେ ତିଆରି ହେଉଥିଲା ଯେଉଁଠାରେ ଉକ୍ତ ମହିଳା ଜଣକ କାମ କରୁଥିଲେ। କାରଖାନାରେ କାମ କରୁଥିବା ବେଳେ ଶ୍ରମିକମାନଙ୍କ ଡିଏନଏ ଅଜାଣତରେ ସେହି ତୁଳା କାଠିଗୁଡ଼ିକରେ ଲାଗିଯାଉଥିଲା।
  • ସେହି ସମୟରେ ଫୋରେନ୍ସିକ୍ ଡିଏନଏ ଟେଷ୍ଟିଂ (Forensic DNA testing) ଏକ ନୂଆ ଜ୍ଞାନକୌଶଳ ଥିଲା ଏବଂ ପୋଲିସ ଭାବିଥିଲା ଯେ 'ଜୀବାଣୁମୁକ୍ତ' (sterile) ସ୍ୱାବ୍ ମାନେ ତାହା ନିଶ୍ଚିତ ଭାବେ 'ଡିଏନଏ-ମୁକ୍ତ' (DNA-free) ମଧ୍ୟ ହୋଇଥିବ।
  • ତେଣୁ ଯେତେବେଳେ ବି ପୋଲିସ ଅପରାଧ ସ୍ଥଳରୁ ପ୍ରମାଣ ସଂଗ୍ରହ କରିବା ପାଇଁ ଏକ ନୂଆ ତୁଳା କାଠି ବ୍ୟବହାର କରୁଥିଲା, ସେମାନେ ନିଜ ଅଜାଣତରେ ସେହି ମହିଳା ଶ୍ରମିକଙ୍କ ଡିଏନଏକୁ ସେଠାରେ ପ୍ରମାଣ ଭାବେ ଛାଡ଼ିଦେଉଥିଲେ।

ଏହି କଟନ୍ ସ୍ୱାବ୍ ତିଆରି କରୁଥିବା କମ୍ପାନୀ ସ୍ପଷ୍ଟ କରିଥିଲା ଯେ ସେମାନଙ୍କ ଉତ୍ପାଦଗୁଡ଼ିକ ଫୋରେନ୍ସିକ୍ ତଦନ୍ତ ପାଇଁ ଉଦ୍ଦିଷ୍ଟ ନୁହେଁ। ଅର୍ଥାତ୍, ପୋଲିସ ଏଭଳି ଜଣେ ସିରିୟଲ କିଲରକୁ ୧୬ ବର୍ଷ ଧରି ଖୋଜୁଥିଲା ଯାହାର କୌଣସି ଅସ୍ତିତ୍ୱ ହିଁ ନଥିଲା! ଥରେ ବିଶ୍ୱସ୍ତରରେ ଆତଙ୍କ ଖେଳାଇଥିବା ଏହି ଘଟଣାଟି ଶେଷରେ ପୋଲିସ ତଦନ୍ତ ଇତିହାସରେ ଏକ ଲଜ୍ଜାଜନକ ବୈଜ୍ଞାନିକ ତ୍ରୁଟି ଭାବେ ଲିପିବଦ୍ଧ ହୋଇ ରହିଗଲା।