ନୂଆଦିଲ୍ଲୀ: ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍‌ ଆଖପାଖରେ କିଛି ବିପଜ୍ଜନକ ପଦାର୍ଥ ଥିବା ଜଣାପଡ଼ିବା ପରେ ବିଲ୍ଡିଂକୁ ବନ୍ଦ କରି ଦିଆଯାଇଛି । ଲୋକମାନଙ୍କୁ ନିଜ ନିଜ ସ୍ଥାନରେ ହିଁ ସୁରକ୍ଷିତ ରହିବାକୁ (ଶେଲ୍ଟର-ଇନ୍-ପ୍ଲେସ୍) ନିର୍ଦ୍ଦେଶ ଦିଆଯାଇଛି । ଆର୍ଲିଂଟନ କାଉଣ୍ଟି ଅଗ୍ନିଶମ ଏବଂ ଉଦ୍ଧାର ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଗୁରୁବାର 'ବିପଜ୍ଜନକ ପଦାର୍ଥ ସମ୍ବନ୍ଧୀୟ ଘଟଣା'ର ସୂଚନା ମିଳିବା ପରେ ପେଣ୍ଟାଗନ୍‌ର ଅନେକ ମହଲା ଏବଂ କରିଡରକୁ ବନ୍ଦ କରାଯାଇଛି ।

ପେଣ୍ଟାଗନ୍‌ ମୁଖପାତ୍ର ଶନ୍ ପାର୍ନେଲ୍ ସିଏନଏନକୁ କହିଛନ୍ତି ଯେ ପେଣ୍ଟାଗନ୍‌ ଭିତରେ ଥିବା ସିଷ୍ଟମ ଏୟାର କ୍ୱାଲିଟି ସମ୍ବନ୍ଧୀୟ ସମସ୍ୟା ଚିହ୍ନଟ କରିଛି । ସମ୍ପୂର୍ଣ୍ଣ ସୂଚନା ମିଳିବା ପର୍ଯ୍ୟନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ପାର୍ନେଲ୍ ଆହୁରି କହିଛନ୍ତି ଯେ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ନିଜ ସ୍ଥାନରେ ହିଁ ରହିବାକୁ ଆଦେଶ ଜାରି କରାଯାଇଛି ଏବଂ ବିଭାଗ ମାନକ ସୁରକ୍ଷା ପ୍ରୋଟୋକଲ୍ ପାଳନ କରୁଛି ।

ସିଏନଏନ ରିପୋର୍ଟରେ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଦ୍ଵିତୀୟରୁ ପଞ୍ଚମ ମହଲା ପର୍ଯ୍ୟନ୍ତ କରିଡରକୁ ସିଲ୍ କରି ଦିଆଯାଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ପେଣ୍ଟାଗନ୍‌ ଭବନରେ ଥିବା ପୋଲିସ ଅଧିକାରୀମାନେ ଗ୍ୟାସ ମାସ୍କ ଏବଂ ରାସାୟନିକ ସୁରକ୍ଷା ଉପକରଣ ପିନ୍ଧିଥିବା ନଜର ଆସିଛନ୍ତି ।