News7 Logo

BCCI କି ଭାରତ ସରକାର ନୁହଁ, ହାତ ନ ମିଳାଇବାକୁ PCB ମୁଖ୍ୟ ଦେଇଥିଲେ ଆଦେଶ! ପର୍ଦ୍ଦା ହଟାଇଲା ICC ଇ-ମେଲ

NEWS7
gfx

ନୂଆଦିଲ୍ଲୀ ୧୮।୯: ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୪ ତାରିଖ ଦିନ ଅନୁଷ୍ଠିତ ମ୍ୟାଚ୍ କାଳରେ ଦୁଇ ଟିମ୍ ର ଖେଳାଳି ହାତ ନ ମିଳାଇବା ଏକ ବୈଶ୍ୱିକ ପ୍ରସଙ୍ଗ ପାଲଟିଛି।ଏଥିରେ ଏବେ ଚମକାଇବା ଭଳି ଖବର ଆସୁଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ମ୍ୟାଚ୍ ରେଫରୀ ଏଣ୍ଡି ପଇକ୍ରାଫ୍ଟଙ୍କର ଏଥିରେ କୌଣସି ଭୁଲ ନଥିଲା। କାରଣ ସେ ତାଙ୍କ ଆଦେଶ ପାଳନ କରିଥିଲେ। ରିପୋର୍ଟ ଅନୁସାରେ ଏସିଆ କ୍ରିକେଟ ପରିଷଦ (ଏସିସି) ନିଜେ ଏଣ୍ଡି ପଇକ୍ରାଫ୍ଟଙ୍କୁ ଟସ୍ କାଳରେ ଭାରତ ଓ ପାକିସ୍ତାନ କ୍ୟାପ୍ଟେନଙ୍କୁ ହାତ ମିଳାଇବାକୁ ରୋକିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ପିସିବି କରିଥିଲା ଅଭିଯୋଗ
ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁାସରେ ସେପ୍ଟେମ୍ବର ୧୫ ତାରିଖ ଦିନ ଆଇସିସିକୁ ଏକ ଇ-ମେଲ ପଠାଇ ପିସିବି ଅଭିଯୋଗ କରିଥିଲା ଯେ ମ୍ୟାଚ୍ ରେଫରୀ ଟସ୍ କାଳରେ ଆଚାର ସଂହିତାର ଉଲ୍ଲଂଘନ କରିଛନ୍ତି। ଏଥିରେ ଆଇସିସି ତୁରନ୍ତ ମାମଲାର ତଦନ୍ତ କରି ପିସିବିକୁ ଇ-ମେଲ ମାଧ୍ୟମରେ ଜଣାଇଥିଲେ ଯେ ମ୍ୟାଚ୍ ରେଫରୀ ତାଙ୍କର ଡ୍ୟୁଟି ଠିକ୍ ଭାବେ କରିଛନ୍ତି ଓ ଆଚାର ସଂହିତାର ଉଲ୍ଲଂଘନ କରି ନାହାନ୍ତି। ଇ-ମେଲରେ ଏହା ବି କୁହାଯାଇଥିଲା ଯେ ସେ ଟସ୍ କାଳରେ ଉଭୟ ଟିମ୍ କ୍ୟାପ୍ଟେନଙ୍କୁ ହାତ ନମିଳାଇବା ପାଇଁ ଏସିସିର ନିର୍ଦ୍ଦେଶକୁ କେବଳ ପାଳନ କରିଥିଲେ।

ମହସିନ ନକବୀ ହେଉଛନ୍ତି ଏସିସି ମୁଖ୍ୟ
ତେବେ ସବୁଠୁ ମଜାଦାର କଥା ଯାହା ତାହା ହେଉଛି ଏସିସି ଅଧ୍ୟକ୍ଷ ନିଜେ ପିସିବି ମୁଖ୍ଯ ମହସିନ ନକବୀ ଅଛନ୍ତି। ଯଦି ଏସିସି ଏହି ନିର୍ଦ୍ଦେଶ ଜାରି କରିଛନ୍ତି ତେବେ ଏଥି ପାଇଁ ନକବୀ ସିଧାଶଳଖ ଦାୟି। ରିପୋର୍ଟରେ କୁହାଯାଇଛି ଯେ ଇ-ମେଲରେ ଆଇସିସି ପଇକ୍ରାଫ୍ଟଙ୍କୁ ପ୍ରଶଂସା କରି କହିଛନ୍ତି ଯେ ‘ସେ ମାମଲାକୁ ଠିକ ଭାବେ ସମ୍ଭାଳିଥିଲେ ଓ ଟେଲିଭିଜନରେ କୌଣସି ପ୍ରକାରର ଲଜ୍ଜାଜନକ ପରିସ୍ଥିତିରୁ ବର୍ତ୍ତି ଥିଲେ’।

ଏସିୟା କପରୁ ହଟିବାକୁ ଧମକ
ରିପୋର୍ଟ ଅନୁସାରେ ଆଇସିସିଙ୍କ ଜବାବ ପିସିବିକୁ ସନ୍ତୁଷ୍ଟ କରିପାରିନଥିଲା ଏଣୁ ସେ ଏସିଆ କପରୁ ଓହରି ଯିବାକୁ ଧମକ ଦେଇଥିଲା। ପିସିବି କହିଥିଲା ଯେ ଯଦି ପଇକ୍ରାଫ୍ଟଙ୍କୁ ତାଙ୍କ ଟିମରୁ ନ ହଟାଗଲା ତେବେ ସେ ଟୁର୍ଣ୍ଣାମେଣ୍ଟରୁ ହଟିଯିବ। ତେବେ ଆଇସିସି ନିଜ ନିଷ୍ପତ୍ତିରେ କାୟମ ଥିଲେ ଓ ମ୍ୟାଚ୍ ରେଫରୀ ଆଚାର ସଂହିତାର ଉଲ୍ଲଂଘନ ଦୋଷୀ ନୁହନ୍ତି ବୋଲି ଦୋହରାଇଥିଲେ। ଏଣୁ କୌଣସି ଟିମ୍ ଅନୁରୋଧରେ ମ୍ୟାଚ୍ ରେଫରୀ ବଦଳି ପାରିବେନି ବୋଲି ସଫାସଫା କହିଥିଲେ। କାରଣ ଏଥି ଯୋଗୁ ଭୁଲ ବାର୍ତ୍ତାଯିବ ବୋଲି କହିଥିଲେ।

ଏହି ଜବାବ ସତ୍ତ୍ୱେ ପିସିବି ସେପ୍ଟେମ୍ବର ୧୭ ତାରିଖରେ ଆଉ ଏକ ଇ-ମେଲ ପଠାଇଥିଲା। ଏଥିରେ ଭାରତ-ପାକିସ୍ତାନ ମ୍ୟାଚ୍ କାଳରେ ଓ ପରେ ଆଚାର ସଂହିତାର ଉଲ୍ଲଂଘନ ହୋଇଥିଲା ଓ ମ୍ୟାଚ୍ ରେଫରୀଙ୍କ ଭୂମିକା ଉପରେ ପୁଣି ଥରେ ପ୍ରଶ୍ନ ଉଠାଇଥିଲା। ଜବାବରେ ଆଇସିସି ଆଉ କିଛି ସୂଚନା ଦେବାକୁ କହିଥିଲେ, ହେଲେ ପିସିବି ଏ ପର୍ଯ୍ୟନ୍ତ ଏହାର ଜବାବ ଦେଇ ନାହିଁ।

ସେପ୍ଟେମ୍ବର ୧୭ରେ କଣ ହୋଇଥିଲା?
ସେଦିନ ପାକିସ୍ତାନୀ ଟିମ୍‌ ମ୍ୟାଚ୍ ଖେଳିବାକୁ ସଠିକ ସମୟରେ ହୋଟେଲରୁ ବାହାରି ନଥିଲା। ଯେତେବେଳେ ପରିସ୍ଥିତି ନିୟନ୍ତ୍ରଣରୁ ବାହାରକୁ ଗଲା ମ୍ୟାଚ୍ ରେଫରୀ ଏଣ୍ଡି ପଇକ୍ରାଫ୍ଟ ନିଜେ ଏକ ପ୍ରସ୍ତାବ ନେଇ ଯାଇଥିଲେ। ସେ ପାକିସ୍ତାନୀ କ୍ରିକେଟ ଟିମ୍ କ୍ୟାପ୍ଟେନ ସଲମାନ ଆଗା ଓ ମ୍ୟାନେଜର ନଭିଜ ଆକ୍ରମ ଚିମାଙ୍କ ସହିତ ଏକ ବୈଠକ କରିଥିଲେ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମର ମ୍ୟାଚ୍ ରେଫରୀ ରୁମରେ କୋଚ୍ ମାଇକ୍ ହସନ ମଧ୍ୟ ଉପସ୍ଥିତ ଥିଲେ। କୁହାଯାଉଛି ପଇକ୍ରାଫ୍ଟ ଏହି ଭୁଲ ଧାରଣା ନେଇ ଚର୍ଚ୍ଚା କରିଥିଲେ। ରିପୋର୍ଟରୁ ପଇକ୍ରାଫ୍ଟ କ୍ଷମା ଯାଚନା କରିନଥିବା କୁହାଯାଇଛି। ଏହି ବୈଠକ ପରେ ଏକ ଅଡିଓ ନଥିବା ଭିଡିଓ ଭାଇରାଲ ହେଉଛି। ଏଥିରେ ପିସିବି ଦାବି କରୁଛି ଯେ ମ୍ୟାଚ୍ ରେଫରୀ କ୍ଷମା ଯାଚନା କରିଛନ୍ତି। ହେଲେ ଏହି ରିପୋର୍ଟ ଏବେ ପାକିସ୍ତାନର ମୁଖା ଉତାରି ଦେଇଛି।