ନୂଆଦିଲ୍ଲୀ: କଂଗ୍ରେସ ନେତା ପବନ ଖେଡ଼ା ଗୌହାଟି ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ତାଙ୍କ ଆବେଦନରେ ସେ ସୁପ୍ରିମକୋର୍ଟଙ୍କୁ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ତାଙ୍କ ଆବେଦନରେ ଖେଡ଼ା ଗୌହାଟି ହାଇକୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି ଏବଂ ସୋମବାର ତାଙ୍କ ଆବେଦନର ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଶୁକ୍ରବାର ଗୌହାଟି ହାଇକୋର୍ଟ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀଙ୍କ ବିରୋଧରେ ମନ୍ତବ୍ୟ ଦେବା ମାମଲାରେ ତାଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିବା ପରେ ଖେଡ଼ା ସୁପ୍ରିମକୋର୍ଟରେ ଏହି ଆବେଦନ ଦାଖଲ କରିଛନ୍ତି। ପବନ ଖେଡ଼ା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମାଙ୍କ ଦ୍ୱାରା ଆସାମ ପୋଲିସ କ୍ରାଇମବ୍ରାଞ୍ଚରେ ଦାୟର କରାଯାଇଥିବା ଏକ ଏଫଆଇଆର ପରେ ଆଗୁଆ ଜାମିନ ଆବେଦନ କରିଥିଲେ। ଖେଡ଼ା ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମାଙ୍କ ବିରୁଦ୍ଧରେ ଏକାଧିକ ପାସପୋର୍ଟ ଏବଂ ବିଦେଶରେ ସମ୍ପତ୍ତି ରଖିଥିବା ନେଇ ଅଭିଯୋଗ ଆଣିଥିଲେ।

ଗୌହାଟି କ୍ରାଇମ୍ ବ୍ରାଞ୍ଚରେ ଆଇପିସିର ଧାରା ୧୭୫ (ନିର୍ବାଚନ ସମ୍ପର୍କରେ ମିଥ୍ୟା ବୟାନ ଦେବା), ୩୫, ୩୬, ୩୧୮ (ପ୍ରତାରଣା), ୩୩୮ (ଜାଲିଆତି), ୩୩୭ (କୋର୍ଟ ରେକର୍ଡ କିମ୍ବା ପବ୍ଲିକ୍ ରେଜିଷ୍ଟର ଇତ୍ୟାଦିର ଜାଲିଆତି), ୩୪୦ (ନକଲି ଡକ୍ୟୁମେଣ୍ଟ କିମ୍ବା ଇଲେକ୍ଟ୍ରୋନିକ୍ ରେକର୍ଡ ତିଆରି କରି ଏହାକୁ ପ୍ରକୃତ ଭାବରେ ବ୍ୟବହାର କରିବା), ୩୫୨ (ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ଜାଣିଶୁଣି ଅପମାନ) ଏବଂ ୩୫୬ (ମାନହାନୀ) ଅନୁଯାୟୀ ଏଫଆଇଆର ରୁଜୁ କରାଯାଇଛି।

ଏପ୍ରିଲ ୧୮ ତାରିଖରେ ଗୌହାଟି ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ପୂର୍ବରୁ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀ ରିନିକି ଶର୍ମାଙ୍କ ଦ୍ୱାରା ଦାୟର ଏକ ମାମଲାରେ କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ସୁପ୍ରିମକୋର୍ଟ ଆଶ୍ବସ୍ତି ପ୍ରଦାନ କରିବାକୁ ମନା କରିଦେଇଥିଲେ। କିଛି ଦିନ ପୂର୍ବରୁ ଖେଡ଼ାଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କ ଟ୍ରାଞ୍ଜିଟ୍ ଜାମିନ ବୃଦ୍ଧି କରିବାକୁ ମନା କରିଦେଇଥିଲେ।