ପୁରୀ ୨୧।୬: ଆଜି ହେଉଛି ଓ୍ବାର୍ଲ୍ଡ ଫାଦର୍ସ ଡେ' । ତେବେ ଏହିଭଳି ଏକ ଦିବସରେ ପୁରୀରୁ ଆସିଛି ଏକ ଦୁଃଖଦ ଖବର । ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚାରେ ରହୁଥିବା ଅନାମ ମିଶ୍ର ଏବଂ ସଂଗୀତା ମିଶ୍ର ଉଭୟ ଦମ୍ପତି ନିଜ ପୁଅ ସହ ଦୀର୍ଘ ଦିନର ମତାନ୍ତର ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଏବେ ପୁରୀ ସହରରେ ଶୋକର ଛାୟା ଖେଳିଯାଇଛି। ମୃତକ ପୁରୀ ସେନାପତି ବଗିଚାର ବାସିନ୍ଦା ଅନାମ ମିଶ୍ର ଏବଂ ସଂଗୀତା ମିଶ୍ରଙ୍କ ପୁଅ ଅନୁସଞ୍ଜିତ ମିଶ୍ରଙ୍କ ସହିତ କିଛି ଦିନ ହେବ କିଛି କଥାକୁ ନେଇ ଲାଗି ରହିଥିଲା ମତାନ୍ତର। ପୁଅ ଅନୁସଞ୍ଜିତ ମିଶ୍ର ଘରକୁ ବାରମ୍ବାର ନିଶା ସେବନ କରି ଆସୁଥିବାରୁ ଏହାକୁ ବିରୋଧ କରୁଥିଲେ ତାଙ୍କ ବାପା ଅନାମ ମିଶ୍ର ଏବଂ ମାଆ ସଂଗୀତ ମିଶ୍ର। ତେବେ ପୁଅର ଦୁର୍ବ୍ୟବହାର ଅସହ୍ୟ ହେବା ଯୋଗୁଁ ଆଜି ଉଭୟ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଏବେ ପୁରୀ ସହରରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ବାପା ମାଆଙ୍କ ପ୍ରତି ପୁଅର ଏଭଳି ଆଚରଣକୁ ସାଧାରଣରେ କଡ଼ା ନିନ୍ଦା କରାଯାଇଛି।

ସେପଟେ ଉଭୟ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ପୋଲିସ ପାଖରେ ପହଞ୍ଚିବା ପରେ ତାଳବଣିଆ ଥାନା ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପୁରୀ ହସ୍ପିଟାଲକୁ ପଠାଇଛି। ଏହି ଘଟଣାକୁ ନେଇ ମଧ୍ୟ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତେବେ ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ଏହି ଘଟଣା ପଛରେ ଅନ୍ୟ କିଛି କାରଣ ରହିଛି କି ନାହିଁ ସେ ଦିଗରେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି। ସେପଟେ ମୃତ ଦମ୍ପତିଙ୍କ ପୁଅ ଅନୁସଞ୍ଜିତ ମିଶ୍ର କହିଛନ୍ତି ବାପା ମାଆଙ୍କ ସହିତ ମୋର ବିଭିନ୍ନ କଥାକୁ ନେଇ ମନୋମାଳିନ୍ୟ ଥିଲା। ମୁଁ ନିଶା ସେବନ କରି ଘରକୁ ଆସୁଥିବାରୁ ବାପା ମାଆ ମତେ ବିରୋଧ କରୁଥିଲେ। ସେମାନେ ଏଭଳି ଚରମ ନିଷ୍ପତ୍ତି ନେବେ ବୋଲି ବିଶ୍ବାସ ହେଉନି। ପୋଲିସ ଘଟଣାର ତଦନ୍ତ କରି ଆତ୍ମହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ କରିବା ଆବଶ୍ୟକ କହିଛନ୍ତି ମୃତ ଦମ୍ପତିଙ୍କ ପୁଅ।