ନୂଆଦିଲ୍ଲୀ: ଖ୍ରୀଷ୍ଟିୟାନ ସ୍କୁଲରେ ଶିଖ ଛାତ୍ରୀଙ୍କୁ ଅକଥନୀୟ ଅତ୍ୟାଚାର ନେଇ ଖବର ମିଳିଛି । ପାକିସ୍ତାନର ଫୈସଲାବାଦ ଜିଲ୍ଲାର ଏକ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ଖାଲସା ଭକ୍ସରେ ପ୍ରକାଶିତ ରିପୋର୍ଟ ମୁତାବକ, ଶିଖ ଛାତ୍ରୀଙ୍କୁ ମାଡ଼ ମାରିବ ସହ ସେ ପିନ୍ଧିଥିବା ପଗଡ଼ିକୁ ଖୋଲି ଦିଆଯାଇଥିଲା । ସେ ଖ୍ରୀଷ୍ଟିୟାନ ପ୍ରାର୍ଥନା ସଭାରେ ଯୋଗ ଦେବାକୁ ମନାକରିବାରୁ ତାଙ୍କ ଉପରେ ଏଭଳି ଅତ୍ୟାଚାର କରାଯାଇଛି । ବାରିସପୁରା ଅଞ୍ଚଳରେ ଥିବା ସେଣ୍ଟ କାଥେରିନ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି ।

ଅଭିଯୋଗ କଲେ ପୀଡ଼ିତାଙ୍କ ମା’

Also Read: Pakistan's 1971 War: ୧୯୭୧ରେ ବଙ୍ଗାଳୀ ହିନ୍ଦୁଙ୍କ ଉପରେ ପାକିସ୍ତାନର ଅତ୍ୟାଚାରକୁ ଗଣହତ୍ୟାର ମାନ୍ୟତା ମିଳୁ: ଆମେରିକା ସଂସଦରେ ପ୍ରସ୍ତାବ ଆଗତ

ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ବିଧା, ଗୋଇଠା ମାରିଛନ୍ତି । ଛାତ୍ରୀଙ୍କୁ ଆସ୍ଥମା ଥିବା ବେଳେ ତାଙ୍କ ଉପରେ ଅତ୍ୟାଚାର ହୋଇଛି । ତାଙ୍କ ଭଉଣୀ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ବି ତାଙ୍କୁ କର୍ତ୍ତୃପକ୍ଷମାନେ ଅଟକାଇଥିଲେ ବୋଲି ପୀଡ଼ିତାଙ୍କ ମା’ କହିଛନ୍ତି । ଶିଖ ସଂପ୍ରଦାୟ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଥିବା ବେଳେ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଛି ।

ପୀଡ଼ିତାଙ୍କ ମା’ଙ୍କୁ ଅତ୍ୟାଚାର କରାଯାଇଥିଲା

ପୀଡ଼ିତାଙ୍କ ମା’ ଆହୁରି ଅଭିଯୋଗ କରିଛନ୍ତି ଯେ, ଶିଖ ନେତାଙ୍କ ପାଖରୁ ତାଙ୍କୁ କୌଣସି ସହାୟତା କିମ୍ବା ସମର୍ଥନ ମିଳିନାହିଁ । ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ସେ ଦାବି କରିଛନ୍ତି । ଖାଲସା ଭକ୍ସ ରିପୋର୍ଟ କରିଛି ଯେ, ପୂର୍ବରୁ ପୀଡ଼ିତାଙ୍କ ମା’ଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଯାଇଥିଲା । ଫୈସଲାବାଦରେ ତାଙ୍କୁ ଅପହରଣ କରି ୯ ମାସ ପର୍ଯ୍ୟନ୍ତ ବନ୍ଦୀ କରି ରଖାଯାଇଥିଲା ଏବଂ ଅତ୍ୟାଚାର କରାଯାଇଥିଲା । ସେତେବେଳେ ତାଙ୍କ ପୁଅର ମୁଣ୍ଡରୁ ଚୁଟି କାଟି ଦିଆଯାଇଥିଲା ।

ଏମିତି ସାମ୍ନାକୁ ଆସିଲା ମାମଲା

ଜଣେ ସାମ୍ବାଦିକ ଏହି ମାମଲାକୁ ସାମ୍ନାକୁ ଆଣିଥିଲେ । ପୀଡ଼ିତାଙ୍କ ମା’ଙ୍କୁ ମୁକୁଳାଇବା ଲାଗି ପଞ୍ଜାବର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ହସ୍ତକ୍ଷେପ କରିଥିଲେ । କିନ୍ତୁ ଏବେ ଶିକ୍ଷ ଛାତ୍ରୀଙ୍କ ଉପରେ ଅତ୍ୟାଚାର ଘଟଣା, ପାକିସ୍ତାନରେ ଶିକ୍ଷ ସଂପ୍ରଦାୟଙ୍କ ପ୍ରତି ବଢ଼ୁଥିବା ବିପଦକୁ ଦର୍ଶାଉଛି । ଏହା ଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।