ଇସ୍ଲାମାବାଦ ୬।୨: ପାକିସ୍ତାନ ସରକାର ଓ ସୈନ୍ୟ ନେତୃତ୍ୱ ଗୁରୁବାର କାଶ୍ମୀର ଲୋକଙ୍କ ନିମନ୍ତେ ‘ଅତୁଟ ସମର୍ଥନ’ ପୁଷ୍ଟି କରିଛନ୍ତି। ଏଥି ପାଇଁ ସାରା ଦେଶରେ ରାଲି ଓ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଶହବାଜ ସରିଫ ମୁଜଫରାବଦାରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ବିଧାନସଭାକୁ ସମ୍ବୋଧିତ କରି କହିଛନ୍ତି ଯେତେବେଳେ ଦେଶ କାଶ୍ମୀର ଏକଜୁଟ ଦିବସ ପାଳୁଥିଲା ପାକିସ୍ତାନୀ ଜନତା ଓ ପାକିସ୍ତାନୀ ନେତୃତ୍ୱ କାଶ୍ମୀରରେ ଆମର ଭାଇମାନଙ୍କ ପ୍ରତି ଏକଜୁଟତା ପ୍ରଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ କାଶ୍ମୀର ଆମର ହେବ।

ତେବେ ପାକିସ୍ତାନକୁ ଭାରତ ବାରମ୍ବାର କହିଛି ଜମ୍ମୁ ଓ କାଶ୍ମୀର ଏବଂ ଲଦ୍ଦାଖ କେନ୍ଦ୍ର ଶାସିତ ପ୍ରଦେଶ ଦେଶର ଅଭିନ୍ନ ଅଙ୍ଗ ଥିଲେ, ଅଛନ୍ତି ଓ ସବୁବେଳେ ରହିବେ। ମେ ୨୦୨୫ରେ ପାକିସ୍ତାନ ଓ ଭାରତ ମଧ୍ୟରେ ହୋଇଥିବା ୪ ଦିବସୀୟ ଯୁଦ୍ଧକୁ ମନେ ପକାଇ ଶାହବାଜ ଦାବି କରିଛନ୍ତି ଯେ ଏହି ଯୁଦ୍ଧ ଯୋଗୁ କାଶ୍ମୀର ପ୍ରସଙ୍ଗକୁ କୁଟନୈତିକ ରୂପେ ପୁରା ଶକ୍ତିର ସହ ପୁଣି ଆଞ୍ଚ ମିଳିଛି । ଏହା ପରେ ସେ ଆତଙ୍କବାଦ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରି କହିଛନ୍ତି ‘ଭାରତ ଏବେ ପରୋକ୍ଷରେ ଆତଙ୍କବାଦକୁ ଉସକାଉଛି’।

ଶହବାଜ କହିଛନ୍ତି ଯେ ଆମେ ଶାନ୍ତି ଚାହୁଁଛୁ, ହେଲେ ଏହି ଶାନ୍ତି ସମାନତା ଓ ନ୍ୟାୟ ଆଧାରରେ ସ୍ଥାପିତ କରାଯାଇ ପାରିବ। ଶାହବାଜ କହିଛନ୍ତି ଯେ ପାକିସ୍ତାନ ସଂସ୍ଥାପକ ମହମ୍ମଦ ଅଲ୍ଲି ଜିନ୍ନା କାଶ୍ମୀରକୁ ପାକିସ୍ତାନର ‘ଜୀବନ ରେଖା’ ଘୋଷଣା କରିଥିଲେ, ଯାହା ଏବେବି ଦେଶର ବିଦେଶ ନୀତି ଆଧାର ହୋଇ ରହିଛି। ଶହବାଜ ତାଙ୍କ ସମ୍ବୋଧନରେ କାଶ୍ମୀରକୁ ପାଲେଷ୍ଟାଇନ ସହିତ ଯୋଡିଛନ୍ତି ଓ ପ୍ରାଣ ହରାଇଥିବା ଆତଙ୍କବାଦୀ ବୁରହାନ ୱାନୀ, ବିଛିନ୍ନତାବାଦୀ ନେତା ସୈୟଦ ଅଲ୍ଲୀ ଗିଲାନୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସେହିପରି ରାଷ୍ଟ୍ରପତି ଆସିଫ ଅଲ୍ଲି ଜର୍ଦ୍ଦାରୀ କାଶ୍ନୀରବାସୀଙ୍କ ଲାଗି ପାକିସ୍ତାନର ଦୃଢ ନୈତିକ, ରାଜନୈତିକ ଓ କୂଟନୈତିକ ସମର୍ଥନକୁ ଦୋହରାଇଛନ୍ତି। ଏହାଛଡା ଫିଲ୍ଡ ମାର୍ଶଲ ଅସିମ ମୁନିର, ନୌସେନା ମୁଖ୍ୟ ଆଡମିରାଲ ନଭିଦ ଅସ୍ରଫ, ବାୟୁସେନା ମୁଖ୍ୟ ଜହିର ଅହମଦ ବାବର ସିଦଦ୍ଧୁ ଜମ୍ମୁ ଓ କାଶ୍ମୀର ଲୋକଙ୍କ ପ୍ରତି ସେମାନଙ୍କ ଅତୁଟ ସମର୍ଥନ ଘୋଷଣା କରିଛନ୍ତି। ଏଥି ମଧ୍ୟରେ ସାରା ପାକିସ୍ତାନରେ ରାଲି, ପ୍ରଦର୍ଶନ ଓ ସେମିନାର ଆୟୋଜନ କରାଯାଇଥିଲା। ଏହା ଛଡା ସାରା ଦେଶରେ ସକାଳ ୧୦ଟା ବେଳେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ବୋଲି ରେଡିଓ ପାକିସ୍ତାନ ଘୋଷଣା କରିଛି।

ଏହା ବି ପଢନ୍ତୁ :-delhi missing people 2026: ଦିଲ୍ଲୀରେ ମହିଳାଙ୍କ ନିଖୋଜ ମାମଲା ବଢ଼ିବା ରିପୋର୍ଟକୁ ଖାରଜ କଲା ପୁଲିସ, କହିଲା ସମ୍ପୂର୍ଣ୍ଣ ଗୁଜବ