ନୂଆଦିଲ୍ଲୀ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବଢ଼ୁଥିବା ସଂପର୍କ ଦେଖି ପାକିସ୍ତାନ ବିଚଳିତ ହୋଇପଡ଼ିଛି । ପାକିସ୍ତାନ ଅଭିଯୋଗ କରୁଛି ଯେ ଭାରତ, ତାଲିବାନକୁ ତା’ ବିରୁଦ୍ଧରେ ବ୍ୟବହାର କରୁଛି । ଏହାରି ଭିତରେ ପାକିସ୍ତାନର ଡିଜି ଆଇଏସପିଆର୍ ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ଚୌଧୁରୀ ଅତି ବିବାଦୀୟ ବୟାନ ଦେଇଛନ୍ତି । ସେ ଦୁଇ ଦେଶର ମଧ୍ୟରେ ଘନିଷ୍ଠତା ଉପରେ ପ୍ରଶ୍ନ ଉଠାଇ ଧର୍ମକୁ ବ୍ୟବହାର କରିଛନ୍ତି । କୁରାନର ଏକ ଆୟାତକୁ ଉଦୃତ କରି କହିଛନ୍ତି ଯେ, ମୁସଲମାନମାନେ କାଫିରମାନଙ୍କ ସହିତ ବନ୍ଧୁତା କରିବା ଠିକ୍ ନୁହେଁ ।

ଉଲ୍ଲେଖଯୋଗ୍ୟ ଯେ ନିକଟରେ ତାଲିବାନର ଜଣେ ମନ୍ତ୍ରୀ ଭାରତ ଗସ୍ତ ଆସିଥିଲେ । ସେହି ସମୟରେ ସେ ଭାରତ ଏବଂ ଆଫଗାନିସ୍ତାନର ଡିଏନଏ ସମାନ ବୋଲି କହିଥିଲେ । ରାୱଲପିଣ୍ଡିରେ ଏକ ସାମ୍ବାଦିକ ସମ୍ମିଳନୀରେ ଚୌଧୁରୀଙ୍କୁ ତାଲିବାନ ମନ୍ତ୍ରୀଙ୍କ ବୟାନ ବିଷୟରେ ପଚରାଯାଇଥିଲା । ଏହାର ଉତ୍ତରରେ ସେ କୁରାନର ଆୟାତ ଦର୍ଶାଇ ଯୁକ୍ତି କରିଥିଲେ ଯେ ଯେଉଁମାନେ ଭାରତ ଏବଂ ହିନ୍ଦୁମାନଙ୍କ ସହିତ ବନ୍ଧୁତା ରଖନ୍ତି, ସେମାନଙ୍କର ଇସଲାମିକ ସିଦ୍ଧାନ୍ତ ଉପରେ ପ୍ରଶ୍ନ ଉଠିବା ଦରକାର । ଏହାସହ ଚୌଧୁରୀ ପାକିସ୍ତାନୀ ପ୍ରୋପାଗାଣ୍ଡା ପ୍ରଚାର କରି ଭାରତ, ଆଫଗାନିସ୍ତାନ ତାଲିବାନ ସହ ମିଶି ପାକିସ୍ତାନରେ ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ । ତେବେ ଭାରତ ଆରମ୍ଭରୁ ଏହିସବୁ ଅଭିଯୋଗକୁ ଖଣ୍ଡନ କରିଆସିଛି ।

ଅହମ୍ମଦ ଚୌଧୁରୀ ଭାରତ ଏବଂ ଆଫଗାନିସ୍ତାନର ଏକାପରି ଡିଏନଏ ପ୍ରସଙ୍ଗକୁ ପାକିସ୍ତାନୀ ଦୃଷ୍ଟିକୋଣରୁ ରଖିବାକୁ ଚେଷ୍ଟା କରିଥିଲେ । ସେ କହିଥିଲେ, "ଆମେ କୃତଜ୍ଞ ଯେ ସେମାନେ ଏହି କଥା କହିଛନ୍ତି । ମୁଁ ସାଧାରଣ ଆଫଗାନ ଲୋକଙ୍କ କଥା କହୁନାହିଁ, ମୁଁ ଆଫଗାନ ତାଲିବାନ ଶାସନ ବିଷୟରେ କହୁଛି । ପ୍ରକୃତରେ କାହାର ଡିଏନଏ ସମାନ, ତାହା ବୁଝିବାରେ ଆମକୁ ସତର୍କ ରହିବାକୁ ପଡ଼ିବ । ଏହି ଡିଏନଏ ସାଧାରଣ ଆଫଗାନ ଲୋକଙ୍କ ଭଳି ନୁହେଁ । ସାଧାରଣ ଆଫଗାନ ଲୋକମାନେ ଏହି ତାଲିବାନ ଶାସନର ଅତ୍ୟାଚାର ତଳେ ପେଷି ହେଉଛନ୍ତି । ସେମାନଙ୍କ ଡିଏନଏ ଏମାନଙ୍କ ଭଳି ନୁହେଁ।"

ଉଲ୍ଲେଖଯୋଗ୍ୟ ଯେ, ଆଫଗାନିସ୍ତାନରୁ ଇଣ୍ଡୋନେସିଆ ପର୍ଯ୍ୟନ୍ତ ଅନେକ ଲୋକ ସେମାନଙ୍କର ଉତ୍ପତ୍ତି ଭାରତରୁ ବୋଲି ମାନନ୍ତି । ୧୯୪୭ ପରଠାରୁ ପାକିସ୍ତାନ ନିଜ ଉତ୍ପତ୍ତିକୁ ନେଇ କାହାଣୀ ଗଢ଼ିଆସିଛି । ଆରମ୍ଭରେ ସେମାନେ ନିଜକୁ ଆରବର ବଂଶଧର ବୋଲି କହୁଥିଲେ । ପରେ ଆରବମାନେ ଏହାକୁ ଗ୍ରହଣ ନକରିବାରୁ ସେମାନେ ତୁର୍କୀରେ ନିଜର ମୂଳ ଖୋଜିବାକୁ ଲାଗିଲେ । କିନ୍ତୁ ପ୍ରକୃତ କଥା ହେଉଛି ସେମାନେ ମଧ୍ୟ ଭାରତୀୟ ଡିଏନଏର ଅଂଶବିଶେଷ ।

ଚୌଧୁରୀ ତାଲିବାନର ଇସଲାମିକ ସିଦ୍ଧାନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ, "ଆହ୍ଲା ସ୍ପଷ୍ଟ ଭାବରେ କହିଛନ୍ତି, ‘କାଫିରମାନଙ୍କୁ ନିଜର ବନ୍ଧୁ କିମ୍ବା ରକ୍ଷକ କର ନାହିଁ । ଯଦି ଆପଣ ଏହା କରନ୍ତି, ତେବେ ଆପଣ ପ୍ରକୃତ ମୁସଲମାନ ନୁହନ୍ତି । ତେଣୁ ଆମକୁ ଡିଏନଏର ଅର୍ଥ ମଧ୍ୟ ବୁଝିବାକୁ ପଡ଼ିବ । ଏହା ଦର୍ଶାଉଛି ଯେ ସେମାନଙ୍କର ପ୍ରକୃତ ସମ୍ପର୍କ କ’ଣ । ହଁ, କିଛି ସମାନତା ଅଛି । ଭାରତ ଏବଂ ଆଫଗାନ ତାଲିବାନ ମଧ୍ୟରେ ପ୍ରକୃତ ସମ୍ପର୍କ ହେଉଛି ମାଲିକ ଏବଂ ଦାସର । ତାଲିବାନ, ଭାରତର ଶୋଷଣକାରୀ ବ୍ୟବସ୍ଥାର ଚାକର।"

ସୂଚନାଯୋଗ୍ୟ, ପାକିସ୍ତାନ ଆରମ୍ଭରୁ ଭାରତ ବିରୋଧରେ ଏପରି ଅଭିଯୋଗ ଆରିଆସୁଛି । ତେବେ ଭାରତ ଯେତେବେଳେ ବି ପ୍ରମାଣ ମାଗିଛି, ଇସଲାମାବାଦ ନୀରବ ରହିଛି । ଇତିହାସକୁ ଦେଖିଲେ, ଏହି ପାକିସ୍ତାନ ହିଁ ଆଫଗାନିସ୍ତାନ ଉପରେ ବୋମା ବର୍ଷଣ କରିଆସିଛି । ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ସମୟରେ ପାକିସ୍ତାନ ଖୁବ୍ ଖୁସି ମନାଇଥିଲା । ସେତେବେଳର ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେମାନଙ୍କୁ ଭାଇ ବୋଲି କହିଥିଲେ । କିନ୍ତୁ ଯେତେବେଳେ ତାଲିବାନ ସେମାନଙ୍କ ପାଇଁ ଦ୍ୱାର ବନ୍ଦ କରିଦେଲା, ସେତେବେଳେ ପାକିସ୍ତାନ ସେମାନଙ୍କୁ ଶତ୍ରୁ ଏବଂ ଭାରତର ବନ୍ଧୁ ବୋଲି ଆଖ୍ୟା ଦେବାକୁ ଲାଗିଲା ।