ପେଶାଓ୍ୱାର ୨୮/୦୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢିଛି । ଏହି ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୋଧରେ କିଛି କଠୋର ପଦକ୍ଷେପ ନେଇଛି । ସବୁଠୁ ବଡ଼ ପଦକ୍ଷେପ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ । ଭାରତର ଏହି ପଦକ୍ଷେପ ପରେ, ପାକିସ୍ତାନ ବି କିଛି ଘୋଷଣା କରିଛି। ଏହାରି ଭିତରେ ସାମ୍ନାକୁ ଆସିଛି ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତାରାର ବୟାନ। ଭାରତ ବିଷୟରେ ଏକ ଭିତ୍ତିହୀନ ବୟାନ ଦେଇଛନ୍ତି ତାରାର ।
ଆତାଉଲ୍ଲାହ କହିଛନ୍ତି ଯେ ଭାରତ ନିଜେ ଆତଙ୍କବାଦୀ ଘଟଣାରେ ଜଡିତ । ତାରାର କହିଛନ୍ତି, "ଭାରତ ଆତଙ୍କବାଦୀ ଘଟଣାରେ ସିଧାସଳଖ ସମ୍ପୃକ୍ତ । ଆମ ପାଖରେ ଏହାର ପ୍ରମାଣ ଅଛି । ଯଦି ପାକିସ୍ତାନର ପାଣି ବନ୍ଦ କରିବାକୁ କୌଣସି ପ୍ରୟାସ କରାଯାଏ । ତେବେ ଏହାକୁ ଶତ୍ରୁତାମୂଳକ କାର୍ଯ୍ୟ ବୋଲି ବିବେଚନା କରାଯିବ । ତାରାର କହିଛନ୍ତି ଯେ ଆତଙ୍କବାଦୀ କାର୍ଯ୍ୟକଳାପରେ ଭାରତର ସମ୍ପୃକ୍ତି ବିଷୟରେ ସମସ୍ତେ ଜାଣନ୍ତି।
ପାକିସ୍ତାନର ସୂଚନା ମନ୍ତ୍ରୀ ତାରାର ମଧ୍ୟ ତାଙ୍କ ବିବୃତ୍ତିରେ କୁଲଭୂଷଣ ଯାଦବଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, "ଯଦି କୁଳଭୂଷଣ ଯାଦବଙ୍କୁ ଗିରଫ କରାଯାଇନଥାନ୍ତା ତେବେ ଅନେକ ତଥ୍ୟ ସାମ୍ନାକୁ ଆସି ନଥାନ୍ତା । ତାରାର କହିଛନ୍ତି ଯେ ଭାରତ ଯୋଗୁଁ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି।
ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବହୁ ପରିମାଣରେ ବୃଦ୍ଧି ପାଇଥିଲା । ଏହା ପରେ ତୁରନ୍ତ ଭାରତୀୟ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଜମ୍ମୁ-କାଶ୍ମୀରର ଉରିରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ପରେ କାଶ୍ମୀରର ଅନେକ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଭାରତ ମଧ୍ୟ ପାକିସ୍ତାନ ବିରୋଧରେ ଅନେକ ପଦକ୍ଷେପ ନେଇଥିଲା।