କାଙ୍ଗାଳ ଦେଶର ବିକଳ ଚିତ୍କାର। ମୁଣ୍ଡ ଉପରେ ଋଣ ଭାର। ଯୁଦ୍ଧ କରିବାକୁ ଉଚ୍ଛନ୍ନ। ପହଲଗାମରେ ହୋଇଥିବା ଆତଙ୍କୀ ହମ୍ଲା ପରେ ପାକିସ୍ତାନକୁ ନିନ୍ଦା କରୁଛି ସାରା ବିଶ୍ୱ। କୁଟନୈତିକ ସ୍ତରରେ ବଡ଼ ଆକ୍ସନ ନେଉଛି ଭାରତ। ପାକିସ୍ତାନ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଭାରତର ଯେକୌଣସି କଠୋର କାର୍ଯ୍ୟାନୁଷ୍ଠାନ ଏହାର ପରିସ୍ଥିତିକୁ ଆହୁରି ଖରାପ କରିପାରେ। ପାକିସ୍ତାନ ପାଖରେ ନା ଅଛି ସୁନା, ନା ଅଛି ଟଙ୍କା। ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ପ୍ରାୟ ନଗଣ୍ୟ। ଏପରି ପରିସ୍ଥିତିରେ ଯଦି ଯୁଦ୍ଧ ହୁଏ, ତେବେ ପାକିସ୍ତାନ ୭୮ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ସଙ୍କଟର ସମ୍ମୁଖୀନ ହେବ। ଆସନ୍ତୁ ଜାଣିବା ପାକିସ୍ତାନର ବର୍ତ୍ତମାନର ଆର୍ଥିକ ଅବସ୍ଥା କ’ଣ ଏବଂ ଏହା ଭାରତଠାରୁ କେତେ ପଛରେ ଅଛି।
ପାକିସ୍ତାନ ଦୀର୍ଘ ସମୟ ଧରି ଆର୍ଥିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଭାରୀ ଋଣ, ମୁଦ୍ରାସ୍ଫୀତି ବୃଦ୍ଧି, ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ, ରାଜନୈତିକ ଅସ୍ଥିରତା ଏହାର ଅର୍ଥନୀତିକୁ ଦୁର୍ବଳ କରିଛି। ବର୍ତ୍ତମାନ ପାକିସ୍ତାନର ଆର୍ଥିକ ନିଅଣ୍ଟ ୭.୪ ପ୍ରତିଶତରେ ପହଞ୍ଚିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ।
୨୦୨୪-୨୫ ବର୍ଷ ପାଇଁ ପାକିସ୍ତାନର GDP ଅଭିବୃଦ୍ଧି ହାର ମାତ୍ର ୩.୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି, ଯାହା ବିଶ୍ୱ ହାର ତୁଳନାରେ ବହୁତ କମ୍। ସେପଟେ ଋଣରେ ବୁଡିଛି ପାକିସ୍ତାନ। ଅକ୍ଟୋବର ୨୦୨୪ ସୁଦ୍ଧା, ପାକିସ୍ତାନ ସରକାରଙ୍କ ମୋଟ ଋଣ ରେକର୍ଡ ୭୦.୩୬ ଲକ୍ଷ କୋଟି ପାକିସ୍ତାନୀ ଟଙ୍କାକୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ପ୍ରତ୍ୟେକ ନାଗରିକଙ୍କ ଉପରେ ହାରାହାରି ୨.୩୪ ଲକ୍ଷ ପାକିସ୍ତାନୀ ଟଙ୍କା ଋଣ ଅଛି।
ଅନ୍ତର୍ଜାତୀୟ ଏଜେନ୍ସି ଫିଚ୍ ରେଟିଂ ଅନୁଯାୟୀ, ପାକିସ୍ତାନକୁ ୨୦୨୫ ଆର୍ଥିକ ବର୍ଷରେ ୨୨ ବିଲିୟନ ଡଲାରରୁ ଅଧିକ ବାହ୍ୟ ଋଣ ପରିଶୋଧ କରିବାକୁ ପଡିବ। ସେହିପରି ଟିକସ ରାଜସ୍ୱ ମଧ୍ୟ ବହୁତ କମ୍। ୨୦୨୪ ମସିହାରେ ଜିଡିପିରେ ଟିକସ ରାଜସ୍ୱର ଅଂଶ ମାତ୍ର ୬.୮ ପ୍ରତିଶତ ରହିବ, ଯେତେବେଳେ କୋଭିଡ୍ ମହାମାରୀ ପୂର୍ବରୁ ଏହା ୧୦.୮ ପ୍ରତିଶତ ଥିଲା। ଏହା ସରକାରଙ୍କ ଆୟ ଉପରେ ମଧ୍ୟ ଏକ ବଡ଼ ପ୍ରଭାବ ପକାଇଛି।
ପାକିସ୍ତାନର ଅର୍ଥନୀତି ବର୍ତ୍ତମାନ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ସହାୟତାରେ ଚାଲିଛି। ସେପ୍ଟେମ୍ବର 2024ରେ, IMF ପାକିସ୍ତାନକୁ ୭ ବିଲିୟନ ଡଲାରର ସହାୟତା ପ୍ୟାକେଜ୍ ଦେଇଥିଲା। ଯାହାକି ଏକ ବିଶ୍ୱ ରେକର୍ଡ। ସେହିପରି ସୁନା ଭଣ୍ଡାର କ୍ଷେତ୍ରରେ ମଧ୍ୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ଅଛି। ପାକିସ୍ତାନ ପାଖରେ କେବଳ ୬୪.୭୪ ଟନ୍ ସୁନା ଅଛି। ହେଲେ ଭାରତ ପାଖରେ ୮୦୦ ଟନରୁ ଅଧିକ ସୁନା ଭଣ୍ଡାର ଅଛି। ଭାରତ ବିଦେଶୀ ମୁଦ୍ରା ଭଣ୍ଡାରରେ ମଧ୍ୟ ପାକିସ୍ତାନଠାରୁ ଅନେକ ଗୁଣ ଆଗରେ ରହିଛି।
ପାକିସ୍ତାନର ସେୟାର ବଜାର ମଧ୍ୟ ଏକ ଗମ୍ଭୀର ସଙ୍କଟର ସମ୍ମୁଖୀନ ହେଉଛି। ଗତ ସପ୍ତାହରେ, ପାକିସ୍ତାନର ସୂଚକାଙ୍କ ଗୋଟିଏ ଦିନରେ ପ୍ରାୟ ୨ ହଜାର ପଏଣ୍ଟର ଏକ ବଡ଼ ହ୍ରାସ ରେକର୍ଡ କରିଥିଲା। ପରିସ୍ଥିତି ଏତେ ଖରାପ ଥିଲା ଯେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜର ୱେବସାଇଟ୍ ମଧ୍ୟ କ୍ରାସ୍ ହୋଇଗଲା।
ଅନ୍ୟପକ୍ଷରେ, ଭାରତ ଅର୍ଥନୈତିକ କ୍ଷେତ୍ରରେ ଦୃଢ଼ ଭାବରେ ଆଗକୁ ବଢ଼ୁଛି। ୨୦୨୩ ମସିହାରେ ଭାରତର ଅର୍ଥନୀତି ପାକିସ୍ତାନ ତୁଳନାରେ ପ୍ରାୟ ୧୦ ଗୁଣା ଅଧିକା। ଭାରତର ଯେକୌଣସି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପାକିସ୍ତାନର ପରିସ୍ଥିତିକୁ ଆହୁରି ଖରାପ କରିପାରେ। ଆଗାମୀ ସମୟରେ, ପାକିସ୍ତାନ ପାଇଁ ଏହାର ଅର୍ଥନୀତିକୁ ପରିଚାଳନା କରିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିବ।