ନୂଆଦିଲ୍ଲୀ ୨୮।୦୪ : ବେକାବୁ କାର୍ । କାନାଡ଼ା ଭାଙ୍କୌଭର ସହରରେ ଭୟଙ୍କର ଦୁର୍ଘଟଣା । ଲାପୁ-ଲାପୁ ଡେ ଉତ୍ସବ ଚାଲିଥିବା ବେଳେ ଧସେଇ ପଶିଲା ଏକ ଏସୁୟଭି କାର । ଯାହାଫଳରେ ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର୍ ଡ୍ରାଇଭରଙ୍କୁ ଅଟକ ରଖି ଜେରା କରୁଛି ।
ଭାଙ୍କୌଭର ପୋଲିସ ଅନୁସାରେ, ଏହି ଘଟଣା ରାତି ପ୍ରାୟ ୮ଟା ୧୪ ମନିଟରେ ଇଷ୍ଟ ୪୩ ଆଭେନ୍ୟୁ ଓ ଫ୍ରେଜର ଷ୍ଟ୍ରିଟ ନିକଟରେ ଘଟିଛି। ଜଣେ ୩୦ ବର୍ଷୀୟ ବ୍ୟକ୍ତି ଏକ କଳା ରଙ୍ଗର ଏସ୍ୟୁଭି କାର୍ ଦ୍ରୁତ ଗତିରେ ଆଣି ଉତ୍ସବ ଭିତରକୁ ପ୍ରବେଶ କରିଥିଲେ । ଉକ୍ତ ସ୍ଥାନରେ ଲାପୁ-ଲାପୁ ଡେ ଉତ୍ସବ ପାଳନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା । ବ୍ୟକ୍ତି ଜଣଙ୍କ ପ୍ରଥମେ ଧୀରେ ଧୀରେ କାର୍ ଆଣି ବାରିକେଡ୍ ଭାଙ୍ଗିଥିଲେ, ଆଉ ଏହାପରେ ଦ୍ରୁତ ଗତିରେ ଗାଡ଼ି ଚଳାଇଥିଲେ । ଏପିରିକି ଗାଡ଼ି ସାମ୍ନାରେ ଯିଏ ଆସିଲା, ତାଙ୍କ ଉପରେ କାର୍ ଚଢାଇ ଦେଇଥିଲେ । ଯାହାଫଳରେ ଏକାଧିକ ଲୋକ ଆହତ ହେବା ସହ ୧୧ ଜଣଙ୍କର ମୃତ୍ୟୁ ହୋଇଯାଇଛି ।
ଦୁର୍ଘଟଣା ସଂପର୍କରେ ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ଏହାପରେ ଅଭିଯୁକ୍ତ ଡ୍ରାଇଭରଙ୍କୁ ଅଟକ ରଖି ଜେରା କରୁଛି । କେଉଁ ପରିସ୍ଥିତିରେ ଏବଂ କାହିଁକି ସେ ଏଭଳି ଦୁର୍ଘଟଣା ଘଟାଇଲେ । ସେନେଇ ଛାନ୍ଭିନ୍ ଜାରି ରହିଛି । ସେହିପରି ପ୍ରଧାନମନ୍ତ୍ରୀ ଦୁର୍ଘଟଣା ସଂପର୍କରେ ଖବର ପାଇ ମୃତକ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।