ନୂଆଦିଲ୍ଲୀ, ୦୩/୦୬: ପାକିସ୍ତାନର ପ୍ରତିଶୋଧ । ବଲୁଚିସ୍ତାନରେ ପାକ୍ ସେନାର ବଡ ପଦକ୍ଷେପ । ଗତ ସପ୍ତାହରେ ପାକ୍ ରେ ଟ୍ରେନ୍ ଉପରେ ହୋଇଥିବା ଘାତକ ଆକ୍ରମଣର ସେନା ପ୍ରତିଶୋଧ ନେଇଛି । ବଲୁଚିସ୍ତାନରେ ପଶି ୧୭ ବିଦ୍ରୋହୀଙ୍କୁ ସୁରକ୍ଷା କର୍ମୀ ହତ୍ୟା କରିଛନ୍ତି । ଏହାସହ ବିଦ୍ରୋହୀଙ୍କ କ୍ୟାମ୍ପରୁ ବିପୁଳ ମାତ୍ରାରେ ଗୁଳିଗୋଳା ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ପାକିସ୍ତାନ ସେନା ମଙ୍ଗଳବାର ଏହି ଅପରେସନ ବାବଦରେ ତଥ୍ୟ ଦେଇଛି । ପାକ୍ ପକ୍ଷରୁ କୁହାଯାଇଛି ଯେ, ବିଦ୍ରୋହୀଙ୍କ ପାଖରେ ବିପୁଳ ମାତ୍ରାରେ ବିସ୍ଫୋରକ ଏବଂ ଆଇଡି ରହିଥିଲା । ଯାହା ଜବତ ହୋଇଛି । ସମସ୍ତ ବିଦ୍ରୋହୀଙ୍କୁ ନିପାତ କରାଯିବ । ଏଥିପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହାସହ ଆତଙ୍କବାଦ ବିରୋଧୀ ଅଭିଯାନ ଜୋରସୋରରେ ଚାଲିବ ।

Also Read :-US-IRAN WAR : ଘମାଘୋଟ ଳଢେଇ, ୟୁଏସ ସେନା ବେସ୍ ଉପରେ ଆକ୍ରମଣ, ଇରାନର ଦ୍ବୀପରେ ଆମେରିକାର ଏୟାର ଷ୍ଟ୍ରାଇକ୍

ସୂଚନାଯୋଗ୍ୟ, ଗତ ମେ ୨୪ ତାରିଖରେ ବଲୁଚିସ୍ତାନର ରାଜଧାନୀ କ୍ୱେଟାର ସୈନ୍ୟ ଅଞ୍ଚଳରେ ଏକ ଟ୍ରେନ୍ ଉପରେ ଆକ୍ରମଣ କରାଯାଇଥିଲା । ବୋମା ଦ୍ୱାରା ଟ୍ରେନ୍ କୁ ଟାର୍ଗେଟ୍ କରାଯାଇଥିଲା । ଏଥିରେ ୧୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ବଲୁଚ୍ ଲିବରେସନ ଆର୍ମୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ।

ଆକ୍ରମଣ ପରେ ପାକ୍ ସେନା ଆକ୍ଟିଭ୍ ହୋଇଥିଲା । ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଇଥିଲା । ତଥ୍ୟ ଆଧାରରେ ବଲୁଚିସ୍ତାନର ମସ୍ତୁଙ୍ଗ୍, ନୁସକି, ଜେହେରୀ, ଖୁଜଦାର ଜିଲ୍ଲାରେ ସେନା ଚଢଉ କରିଥିଲା । ଅପରେସନରେ ସୁରକ୍ଷା କର୍ମୀ ଏବଂ ବିଦ୍ରୋହୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ପାକ୍ ସେନା ଆହୁରି କହିଛି ଯେ, ଅନେକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଏଥିରେ ୧୭ ଜଣ ବିଏଲଏ ବିଦ୍ରୋହୀ ପ୍ରାଣ ହରାଇଥିଲେ । ଯାହା ବିଏଲଏକୁ ବଡ ଝଟକା ବୋଲି ପାକ୍ ସରକାର କହିଛନ୍ତି ।