LIVE TV

କୁଲଦୀପଙ୍କ ଯାଦୁ, ଦମଦାର ଆରମ୍ଭ ପରେ ୧୪୬ ରନରେ ଆଣ୍ଠେଇଲା ପାକିସ୍ତାନ

NEWS7
IND vs PAK

ଦୁବାଇ: ୪୧ ବର୍ଷ ଏସିଆ କପ୍ ଇତିହାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଉଛି ଫାଇନାଲ୍ ମ୍ୟାଚ୍। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୯.୧ ଓଭରରେ ୧୪୬ ରନରେ ଅଲଆଉଟ୍ ହୋଇଛି। ଦୁଇ ଓପନର ସାହିବଜାଦା ଫରହାନ ୫୭ ରନର ଦମଦାର ଇନିଂସ ଖେଳିଥିବା ବେଳେ ଫଖର ଜମାନ ୪୬ ରନ କରିଥିଲେ। ଦୁଇ ଓପନରଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନ ଥିଲେ।  ଭାରତ ସାମ୍ନାରେ ରହିଛି ୧୫୦ ରନର ବିଜୟ ଲକ୍ଷ୍ୟ। ଏକଦା ଏକ ଓ୍ଵିକେଟ୍ ହରାଇ ୧୧୩ ରନ କରିଥିବା ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ବାକି ୯ ଓ୍ଵିକେଟ୍ ୩୩ ରନରେ ହରାଇଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନର ଦୁଇ ଓପନର  ସାହିବଜାଦା ଫରହାନ ଓ ଫଖର ଜମାନ  ଦମଦାର ବ୍ୟାଟିଂ ଆରମ୍ଭ ଦେଇଥିଲେ।  ବିଶେଷ କରି ସାହିବଜାଦା ଫରହାନ ଭାରତୀୟ ବୋଲରଙ୍କୁ ପ୍ରହାର କରିଥିଲେ। ଏହି କ୍ରମରେ ସାହିବଜାଦା ଚଳିତ ଏସିଆ କପରେ ଭାରତ ବିପକ୍ଷରେ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ୯.୪ ଓଭରରେ ଦୁଇ ଓପନର ୮୪ ରନ ଯୋଡ଼ି ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ସାହିବଜାଦାଙ୍କୁ ଆଉଟ୍ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ ବରୁଣ ଚକ୍ରବର୍ତ୍ତୀ। ସାହିବଜାଦା ୩୮  ବଲରୁ ୫ ଚୌକା ଓ ୩ ଛକା ସହ ୫୭ ରନ କରିଥିଲେ।

ଏହା ପରେ ଦିଗହରା ହୋଇ ଯାଇଥିଲା ପାକିସ୍ତାନ ଇନିଂସ। ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ଓ ଅକ୍ଷର ପଟେଲ୍ ପାକ୍ ବ୍ୟାଟରଙ୍କୁ ଜାଲରେ ଫସାଇ ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ। ଫଖର ଜମାନ  ୪୬ ରନ କରିଥିବା ବେଳେ ସାଇମ ଆୟୁବ ୧୪ ରନ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଏହା ପରେ କୁଲଦୀପ ଯାଦବ ୪ ପାକିସ୍ତାନ ବ୍ୟାଟରଙ୍କୁ ପାଭିଲିୟନ ପଠାଇଥିଲେ। ଅଧିନାୟକ ସଲମାନ ଆଗା(୮) ପୁଣି ଥରେ ନିରାଶ କରିଥିଲେ।   ମହମ୍ମଦ ହାରିସ ଖାତା ଖୋଲି ପାରି ନ ଥିଲେ। ଶେଷ ଦୁଇଟି ଓ୍ଵିକେଟ୍ ବୁମରା ନେଇ ପାକିସ୍ତାନ ଇନିଂସକୁ ୧୪୬ ରନରେ ଅନ୍ତ ଘଟାଇଥିଲେ।

ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ ୪ ଓଭରରେ ୨୬ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ଅକ୍ଷର ପଟେଲ ମଧ୍ୟ ଶାଣିତ ବୋଲିଂ କରି ୪ ଓଭରରେ ମାତ୍ର ୨୬ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ। ବରୁଣ ଚକ୍ରବର୍ତ୍ତୀ  ଓ ଯଶପ୍ରୀତ ବୁମରାଙ୍କୁ ଦୁଇଟି ଲେଖାଏଁ ଓ୍ଵିକେଟ୍ ମିଳିଛି। ​​​​​​​