ଜୟପୁର: ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ରାଜସ୍ଥାନ ପଞ୍ଚାୟତୀରାଜ ନିର୍ବାଚନରେ ନିଜର ସ୍ଥିତିକୁ ମଜଭୁତ ରଖି ଶୁକ୍ରବାର ଅନୁଷ୍ଠିତ ୨୫୫ ପଞ୍ଚାୟତ ସମିତି ପ୍ରଧାନ ନିର୍ବାଚନରେ ବିଜୟ ହାସଲ କରିଛି। ରାଜ୍ୟର ୩୭ ଜିଲ୍ଲାରେ ପ୍ରଧାନଙ୍କ ୪୧୯ ପଦରୁ ବିଜେପି ମାତ୍ର ୧୦୫ ହାତେଇ ପାରିଛି। ରାଜ୍ୟ ପଞ୍ଚାୟତ ସମିତି ନିର୍ବାଚନରେ ନିର୍ବାଚିତ ସଦସ୍ୟମାନେ ନିଜ ଭିତରୁ ଜଣଙ୍କୁ ପ୍ରଧାନ ବାଛନ୍ତି। ଏହି ନିର୍ବାଚନ ୨୭ ନଭେମ୍ବର ଶୁକ୍ରବାର ଅନୁଷ୍ଠିତ ହୋଇଛି।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁସାରେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲପି) ୨୪ ପ୍ରଧାନପଦ, ସ୍ୱାଧୀନ ୧୯ ପଦରେ, ଭାରତ ଆଦିବାସୀ ପାର୍ଟି (ବିଏପି) ୧୪ଟି ପଦରେ ଓ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ୨ ପ୍ରଧାନ ପଦ ପାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ୪୧ଟିରୁ ୩୭ଟି ଜିଲ୍ଲାରେ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ୱାର୍ଡ ନିର୍ବାଚନ ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସର ଜୋରଦାର ବିଜୟ ହୋଇଛି। ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ୩,୭୦୧ଟି ସିଟ୍ ରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ୨,୧୮୧ଟି ଆସନ ମିଳିଛି। ସେହିପରି ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ ୫୯୯ଟି ଆସନ ଜିତିଥିବା ବେଳେ ବିଜେପିକୁ ୩୦୧ଟି ସିଟ୍ ମିଳିଛି।

ରାଜ୍ୟର ୩୭ ଜିଲ୍ଲାରେ ପଞ୍ଚାୟତ ସମିତିର ୭୫୪୩ ଓ ଜିଲ୍ଲା ପରିଷଦର ୧,୨୭୫ ଆସନ ଲାଗି ଗତ ଶୁକ୍ରବାର ଭୋଟ ଗଣନା ହୋଇଥିଲା। ରାଜ୍ୟର ୪ ଜିଲ୍ଲା କୋଟା, ବାରାଂ, କରୌଲୀ ଓ ଶ୍ରୀଗଙ୍ଗାନଗର ଭୋଟଗଣନାକୁ ଡିସେମ୍ବର ୧୭ ପର୍ଯ୍ୟନ୍ତ ଟାଳି ଦିଆଯାଇଛି। କାରଣ ଏବେକା ପଞ୍ଚାୟତମାନଙ୍କ କାର୍ଯ୍ୟକାଳ ଆଗାମୀ ମାସରେ ସମାପ୍ତ ହେଉଛି।