ନୂଆଦିଲ୍ଲୀ, ୨୪/୧୨: ଏପଷ୍ଟେଇନ୍ ଫାଇଲକୁ ନେଇ ଆମେରିକାରେ ଝଡ । ୟୁଏସ ରାଜନୀତିର ଅନେକ ଗୁମର ଖୋଲିଛି ବହୁ ଚର୍ଚ୍ଚିତ ଏପଷ୍ଟେଇନ୍ ଫାଇଲ୍ । ଧିରେ ଧିରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଅନେକ କଥା ସାମ୍ନାକୁ ଆସିଲାଣି । ନବେଦଶକରେ ଶିଶୁ ବିରୋଧୀ ହିଂସାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ସହ ଟ୍ରମ୍ପ୍ ଗୋଟିଏ ବିମାନରେ ଯାତ୍ରା କରୁଥିଲେ ବୋଲି ଫାଇଲରେ ଉଲ୍ଲେଖ ରହିଛି ।

ସାମ୍ନାକୁ ଆସିଥିବା ତଥ୍ୟରେ ଜଣା ପଡିଛି ଯେ, ୧୯୯୦ରେ ଡୋନାଲ୍ଡ ଟ୍ରମ୍ପ, ଜେଫରୀ ଏପଷ୍ଟେଇନ୍ ଏବଂ ଅନ୍ୟ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ବିମାନରେ ଯାତ୍ରା କରିଥିଲେ । ଯୁବତୀଜଣଙ୍କ ପୀଡିତା ନା ନାହିଁ ତାହା ଜଣା ପଡି ନାହିଁ । ଯାହା ଉପରେ ଆମେରିକାର ଆଇନ ମନ୍ତ୍ରାଳୟ ତଦନ୍ତ କରୁଛି । ତେବେ ମାମଲାରେ କୋଟିପତି ଜେଫରୀ ଏପଷ୍ଟେଇନଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କ ରହିଥିଲା । ଯାହା ଉପରୁ ଧିରେ ଧିରେ ପରଦା ହଟୁଛି ।

ଜାରି ହୋଇଥିବା ନୂଆ ଦସ୍ତାବିଜରେ କୁହାଯାଇଛି ଯେ, ନବେ ଦଶକରେ ଘଟିଥିବା ଭୟଙ୍କର ଅପରାଧରେ ଅନେକ ଥର ଟ୍ରମ୍ପଙ୍କ ନାଁ ସାମ୍ନାକୁ ଆସୁଛି । ସେ ମୁଖ୍ୟ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ବିମାନରେ ଉଡାଣ ଭରିଛନ୍ତି । ଯାହା ପ୍ରଥମେ ୨୦୨୦ରେ ୟୁଏସର ଆଟର୍ଣ୍ଣି ଜେନେରାଲଙ୍କ ଏକ ଇ-ମେଲରୁ ଏହା ଜଣାପଡିଥିଲା । ଇ-ମେଲରେ ସେ ଟ୍ରମ୍ପଙ୍କ ବିମାନ ଗସ୍ତର ତଥ୍ୟ ପାଇଥିବା କହିଥିଲେ ।

ଇ-ମେଲରେ ଆହୁରି ଉଲ୍ଲେଖ ଥିଲା ଯେ, ୧୯୯୩ରୁ ୧୯୯୬ ମଧ୍ୟରେ ବର୍ତ୍ତମାନର ୟୁଏସ ପ୍ରେସିଡେଣ୍ଟ୍ ଏପଷ୍ଟେଇନଙ୍କ ବିମାନରେ ଟ୍ରମ୍ପ ୪ ଥର ଗସ୍ତ କରିଛନ୍ତି । ଏଥିରେ ମ୍ୟାକ୍ସଓ୍ୱେଲନାମକ ଅନ୍ୟ ଜଣେ ବ୍ୟକ୍ତି ରହିଥିଲେ । ଏହାପରେ ମଧ୍ୟ ଡୋନାଲ୍ଡ ଅନେକ ବିମାନ ଯାତ୍ରା କରିଛନ୍ତି । ଯେଉଁ ସବୁ ଯାତ୍ରାରେ ଟ୍ରମ୍ପଙ୍କ ପୁଅ ଏବଂ ଝିଅ ମଧ୍ୟ ସାମିଲ ଥିଲେ ।

ତେବେ ୧୯୯୩ରେ ଏପଷ୍ଟେଇନଙ୍କ ସହ ଟ୍ରମ୍ପ ଏବଂ ଅନ୍ୟ ଦୁଇ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଏମାନେ ହେଲେ ଏପଷ୍ଟେଇନ୍ ଏବଂ ଅନ୍ୟ ଜଣେ ମହିଳା । କେବଳ ଏତିକି ନୁହେଁ ଏହାପରେ ଆଉ ଦୁଇଟି ବିମାନ ଯାତ୍ରାରେ ଟ୍ରମ୍ପଙ୍କ ସହ ଜଣେ ମହିଳା ସାମିଲ ଥିଲେ ବୋଲି ଜଣାପଡିଛି ।