ଓଏମସି ପରିଚାଳନା ନିର୍ଦ୍ଦେଶକଙ୍କ ଗନ୍ଧମାର୍ଦ୍ଦନ ଓ ଦୈତାରୀ ଖଣି ଅଞ୍ଚଳ ପରିଦର୍ଶନ, କାର୍ଯ୍ୟକ୍ଷମତା ବୃଦ୍ଧି ସହ ପରିବେଶ ସୁରକ୍ଷା ଉପରେ କଲେ ଗୁରୁତ୍ବାରୋପ

Published By : Prameya-News7 Bureau | August 24, 2025 IST

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (ଓଏମସି) ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ, ଆଇଏଏସ, କେନ୍ଦୁଝର ଜିଲ୍ଲା ସ୍ଥିତ ନିଗମର ଗନ୍ଧମାର୍ଦ୍ଦନ ଓ ଦୈତାରୀ ଲୌହ ଖଣି ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ବ୍ୟାପକ ସମୀକ୍ଷା କରିଛନ୍ତି। ଏହି ଅବସରରେ ପରିଚାଳନା ନିର୍ଦ୍ଦେଶକ ଖଣି କ୍ଷେତ୍ରର ଉତ୍ପାଦନ କାର୍ଯ୍ୟକ୍ଷମତା ବୃଦ୍ଧି, ସୁରକ୍ଷା ତଥା ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ବିଭାଗୀୟ ଅଧିକାରୀଙ୍କ ସହିତ ଖଣି ଅଞ୍ଚଳ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଏହି ଗସ୍ତରେ ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ଆଲୋକ କୁମାର ପାଳ ଏବଂ ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ବନ ବିହାରୀ ପାଣିଙ୍କ ସମେତ ଖଣି ଅଞ୍ଚଳର ଅଧିକାରୀ ଓ ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

ପରିଚାଳନା ନିର୍ଦ୍ଦେଶକ ଗନ୍ଧମାର୍ଦ୍ଦନ ଖଣି କ୍ଷେତ୍ର ପରିଦର୍ଶନ କରିବା ଅବସରରେ, ଓର ଷ୍ଟକୟାର୍ଡ, କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ପରିଦର୍ଶନ କରିବା ସହିତ ଖଣି କ୍ଷେତ୍ରର ବାର୍ଷିକ ଲକ୍ଷ୍ୟ ଅନୁସାରେ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ବିକ୍ରୟ ବୃଦ୍ଧି କରି ଶିଳ୍ପଗୁଡ଼ିକୁ ନିୟମିତ ଖଣିଜ ଯୋଗାଣ ସୁନିଶ୍ଚିତ ତଥା ସୁପରିଚାଳନା କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପରିଚାଳନା ନିର୍ଦ୍ଦେଶକ ଗନ୍ଧମାର୍ଦ୍ଦନ ସ୍ଥିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ର ସମୀକ୍ଷା କରି ଏହାର ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଦ୍ଵାରା ପରିଚାଳିତ ବିଭିନ୍ନ ପ୍ରକିୟାକୁ ନିରୀକ୍ଷଣ କରିଥିଲେ। ଏଥିସହ ରିଅଲ୍-ଟାଇମ୍ ମନିଟରିଂ, ଖଣି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହିତ ସମସ୍ତ ପ୍ରକାରର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏପରିକି ଖଣି ଅଞ୍ଚଳରେ, ପରିବେଶଗତ ମାନଦଣ୍ଡ ର କଠୋର ପାଳନ, ଅନଧିକୃତ ଏବଂ ଚୋରି ଚାଲାଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। 

ଏଥିସହ ପରିଚାଳନା ନିର୍ଦ୍ଦେଶକ କର୍ମଚାରୀ ମାନଙ୍କ କଲ୍ୟାଣ ନିମନ୍ତେ ନିର୍ମିତ ବିଭିନ୍ନ ସୁବିଧା ଗୁଡ଼ିକର ମଧ୍ୟ ମୂଲ୍ୟାଙ୍କନ କରିଥିଲେ। କର୍ମଚାରୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଉନ୍ନତ ସୁବିଧା ପ୍ରତି ବିଶେଷ  ପ୍ରାଥମିକତା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

ଗନ୍ଧମାର୍ଦ୍ଦନ ପରେ ପରିଚାଳନା ନିର୍ଦ୍ଦେଶକ ଦୈତାରୀ ଖଣି ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଓର ହ୍ୟାଣ୍ଡଲିଂ ପ୍ଲାଣ୍ଟ , ବାଲିପର୍ବତରେ ସ୍ଥିତ ଓର ଷ୍ଟକୟାର୍ଡ ଏବଂ ଦୈତାରୀ ରେଲୱେ ସାଇଡିଂ ସମେତ କାର୍ଯ୍ୟକ୍ଷମ ଖଣି କ୍ଷେତ୍ର ଗୁଡ଼ିକର ମଧ୍ୟ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ହିଲଟପ୍ ଖଣି ଅଞ୍ଚଳ ପରିଦର୍ଶନ କରି ସେ ନିରବଚ୍ଛିନ୍ନ କାର୍ଯ୍ୟ ଜାରି ରଖିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେବା ସହିତ ପରିବେଶଗତ କ୍ଲିୟରାନ୍ସକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓର ହ୍ୟାଣ୍ଡଲିଂ ପ୍ଲାଣ୍ଟ ସମୀକ୍ଷା ସମୟରେ, ଏମ.ଡି ଉତ୍ପାଦକତା ବୃଦ୍ଧି ଏବଂ ଉଚ୍ଚ କାର୍ଯ୍ୟକ୍ଷମ ଦକ୍ଷତା ହାସଲ କରିବା ପାଇଁ ଉନ୍ନତ ଯାନ୍ତ୍ରିକୀକରଣ ଏବଂ ସୁଗମ ପରିଚାଳନା ପ୍ରଣାଳୀ ଅନୁସରଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବାଲିପର୍ବତ ଷ୍ଟକୟାର୍ଡ ଗସ୍ତ ସମୟରେ, ସେ ଉନ୍ନତ ମାନର ଡିଜିଟାଲ୍ ସିଷ୍ଟମ ମାଧ୍ୟମରେ ବ୍ୟବସ୍ଥିତ ଷ୍ଟକିଂ, ଗ୍ରେଡ୍ ପୃଥକୀକରଣ ଏବଂ ସାମଗ୍ରୀ ଟ୍ରାକିଂ ସୁନିଶ୍ଚିତ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଦୈତାରୀ ଦୈତାରୀ ରେଲୱେ ସାଇଡିଂ ପରିଦର୍ଶନ କରି, ପରିଚାଳନା ନିର୍ଦ୍ଦେଶକ ସଠିକ୍ ସମୟରେ ଏବଂ ନିର୍ଭରଯୋଗ୍ୟ ଖଣିଜ ପଦାର୍ଥ ବିତରଣ ପାଇଁ ଉନ୍ନତ ଲଜିଷ୍ଟିକ୍ସ ବ୍ୟବସ୍ଥା ଏବଂ ଉନ୍ନତ ଧରଣର ପଦ୍ଧତି ଅବଲମ୍ବନ କରି ଦ୍ରୁତ ରେକ୍ ଲୋଡିଂ ଉପରେ ଗୁରୁତ୍ୱାରୋପ କରିଥିଲେ।

ପରିଚାଳନା ନିର୍ଦ୍ଦେଶକ ଉଭୟ ଖଣି କ୍ଷେତ୍ର ପରିଦର୍ଶନ କରିବା ଅବସରରେ, ଉତ୍ପାଦନ ବୃଦ୍ଧି ସହିତ ପରିବେଶଗତ ମଞ୍ଜୁରୀ ଏବଂ ନିଜସ୍ଵ ଉତ୍ତରଦାୟିତ୍ୱକୁ ଅଧିକ ସୁଦୃଢ଼ କରିବା ସହ ଦାୟିତ୍ୱପୂର୍ଣ୍ଣ ଖଣି ପରିଚାଳନା ପାଇଁ ସଠିକ୍ ଆଭିମୁଖ୍ୟ ବଜାୟ ରଖିବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.