ନୂଆଦିଲ୍ଲୀ,୧୨|୦୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଶାନ୍ତି ଚୁକ୍ତି ବାତିଲ ହୋଇଛି । ପରସ୍ପର ଉପରେ ଭୟଙ୍କର ଆକ୍ରମଣ କରୁଛନ୍ତି । କେହି କାହାରିକୁ ଛାଡୁ ନାହାଁନ୍ତି । ହର୍ମୋଜ୍ ବନ୍ଦ ହୋଇଗଲାଣି । ଏସବୁ ଭିତରେ ଓମାନ ଉପକୂଳରେ ଏକ ଜାହାଜ ଉପରେ ଆକ୍ରମଣ ହୋଇଛି । ଯାହାକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ନିନ୍ଦା କରିଛି ।

ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଓମାନ ଉପକୂଳରେ ଏକ ଜାହାଜକୁ ଟାର୍ଗେଟ୍ କରାଯାଇଛି । ଏହି ଜାହାଜର ନାଁ ଜିଏଫଏସ୍ ଗ୍ୟାଲେକ୍ସି । ଏଥିରେ ୧୧ ଜଣ ଭାରତୀୟ ନାଗରିକ ଥିଲେ । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଜଣେ ଏବେବି ନିଖୋଜ ଅଛନ୍ତି । ଆକ୍ରମଣ ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ନିଖୋଜ ନାଗରିକଙ୍କ ସନ୍ଧାନ ପାଇଁ ଅଭିଯାନ ଚାଲିଛି । ଓମାନର ଅଧିକାରୀ ମଧ୍ୟ ଭାରତୀୟ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରୁଛନ୍ତି । ଏଥିପାଇଁ ଭାରତ ସରକାର ଧନ୍ୟବାଦ ଅର୍ପଣ କରିଛନ୍ତି ।

Also Read :-ବିଶ୍ୱ ଚାମ୍ପିଅନର ଶୋଚନୀୟ ଅବସ୍ଥା : ଖାଲି ଟସ୍ ଜିତିଲା ଭାରତ କିନ୍ତୁ ମ୍ୟାଚ୍ ନୁହେଁ, ଗମ୍ଭୀର-ଶ୍ରେୟସଙ୍କ ଉପରେ ପ୍ରଶ୍ନ !

ମନ୍ତ୍ରାଳୟ ଆହୁରି କହିଛି ଯେ, ଜାହାଜ ଉପରେ ଆକ୍ରମଣ କରିବା ଦୁଃଖ ଏବଂ ଚିନ୍ତଜନକ ବିଷୟ । ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଟିକ୍ ନୁହେଁ । ଏପରି ଘଟଣା ଲଗାତାର ଭାବେ ଘଟୁଛି । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ତୁରନ୍ତ କମ୍ ହେବା ଦରକାର । କୁଟନୈତିକ ସ୍ତରରେ ଶାନ୍ତି ପାଇଁ ଦୁଇ ପକ୍ଷ ଆଲୋଚନା କରିବା ଜରୁରୀ ବୋଲି ମନ୍ତ୍ରାଳୟ କହିଛି ।

ଭାରତ ପକ୍ଷରୁ ଆହୁରି କୁହାଯାଇଛି ଯେ, ବାଣିଜ୍ୟିକ ଜାହାଜ ଏବଂ ନାଗରିକଙ୍କ ସୁରକ୍ଷା ଜରୁରୀ । ନୀରିହଙ୍କ ଉପରେ ଆକ୍ରମଣ ତୁରନ୍ତ ବନ୍ଦ ହେବା ଦରକାର । ଅନ୍ତର୍ଜାତୀୟ ନିୟମ ଅନୁସାରେ ଜଳପଥରେ ମୁକ୍ତ ବାଣିଜ୍ୟ ହେବା ଉଚିତ । ଏହାସହ ସୁରକ୍ଷାକୁ ସମସ୍ତେ ପ୍ରାଥମିକତା ଦିଅନ୍ତୁ ବୋଲି ମନ୍ତ୍ରାଳୟ କହିଛି ।