LIVE TV

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସାଙ୍ଗରେ ଆସିଲା OIC, ସାଉଦୀ ଓ ଅଜରବୈଜାନ ଦେଲେ ସମର୍ଥନ

NEWS7
OIC

ନ୍ୟୁୟର୍କ ୨୪।୯: ପାକିସ୍ତାନ ପୁଣି ଥରେ ଇସ୍ଲାମିକ୍ ସହଯୋଗ ସଙ୍ଗଠନ (ଓଆଇସି) ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠାଇଛି। ପାକିସ୍ତାନ ବିଦେଶ କାର୍ଯ୍ୟାଳୟ ପକ୍ଷରୁ ଜାରୀ ଏକ ବୟାନରେ କୁହାଯାଇଛି ଯେ ‘ପାକିସ୍ତାନ ସହିତ ଅଜାରବୈଜାନ, ତୁର୍କି, ସାଉଦୀ ଆରବ ଓ ନାଇଜର କାଶ୍ମୀରୀ ଲୋକଙ୍କ ଆତ୍ମନିର୍ଣ୍ଣୟର ଅବିଭାଜ୍ୟ ଅଧିକାର ଲାଗି ଅତୁଟ ସମର୍ଥନ ଦୋହରାଉଛୁ’। ଏଥିରେ କୁହାଯାଇଛି ଯେ ‘ଏହି କଥା ଉପରେ ଗୁରୁତ୍ୱ ଦିଆଯାଉଛି ଯେ ଆଜାଦ ଜମ୍ମୁ-କାଶ୍ମୀର ଓ ଗିଲଗିଟ ବାଲଟି ସ୍ତାନ ସମ୍ପର୍କରେ କେତେକ ଭାରତୀୟ ନେତାଙ୍କ ଅନୁଚିତ ଦାବି ଓ ଦାୟିତ୍ୱହୀନ ବୟାନ ଆଞ୍ଚଳିକ ଶାନ୍ତି ପାଇଁ ବିପଦ’।

ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ କାଶ୍ମୀରର ସେହି ଅଂଶକୁ ଆଜାଦ କାଶ୍ମୀର କହୁଛି ଯାହାକୁ ସେ ୧୯୪୮ ମସିହାରେ ଦଖଲ କରିନେଇଥିଲା। ଓଆଇସି ବୈଠକରେ ଭାରତ ଉପରେ କାଶ୍ମୀର କାର୍ଯ୍ୟକର୍ତ୍ତା ଓ ରାଜନୈତିକ ଦଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ସମ୍ପତ୍ତି ଜବତ ଓ ବଡ ଧରଣର ଗିରଫଦାରୀ ଭଳି ଗତିବିଦ୍ଧି ଦ୍ୱାରା ସ୍ଥାନୀୟ ଜନତାଙ୍କୁ ଦମନ କରୁଥିବାର ପାକିସ୍ତାନ ଆରୋପ ଲଗାଇଛି।  ସେହିପରି ନିକଟରେ ଭାରତୀୟ ନେତାଙ୍କ ବୟାନବାଜୀ କ୍ଷେତ୍ରିୟ ଶାନ୍ତି ପାଇଁ ବିପଦ ବୋଲି ପାକିସ୍ତାନ କହିଛି। ଏଥିରେ ପାକିସ୍ତାନ ବିଦେଶ ବିଭାଗ ଦାବି କରିଛି ଯେ ‘ଓଆଇସି କାଶ୍ମୀରବାସୀଙ୍କ ସ୍ୱଶାସନ ଅଧିକାର ଉପରେ କୌଣସି ବୁଝାମଣା ନ କରିବାକୁ କହିଛି’।

ପାକିସ୍ତାନ ବିଦେଶ ମନ୍ତ୍ରାଳୟର ଏହି ବୟାନ ସିଧାଶଳଖ ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ନିକଟରେ ଦେଇଥିବା ବୟାନ ସହ ସମ୍ପର୍କିତ। ଏଥିରେ ରାଜନାଥ କହିଥିଲେ ଯେ ପିଓକେ ମଧ୍ୟ ଖୁବ୍ ସହଜରେ ଭାରତ ସହ ମିଶିଯିବ। ଏହା ଛଡା ଭାରତର ସେହି ନିଷ୍ପତ୍ତିକୁ ମଧ୍ୟ ପାକିସ୍ତାନ ସମାଲୋଚନା କରିଛି ଯେଉଁଥିରେ ଭାରତରେ ଅବୈଧ ରୂପେ ବସବାସ କରୁଥିବା ବାଂଲାଦେଶୀ ନାଗରିକଙ୍କୁ ବାହାର କରାଯାଉଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ମାନବାଧିକାରର ଉଲ୍ଲଂଘନ ବୋଲି କହିଛି।

ତେବେ ସବୁଠୁ ଯାହା ଆଶ୍ଚର୍ଯ୍ୟର କଥା ଏପରି ଅଭିଯୋଗ ସେହି ପାକିସ୍ତାନ କରିଛି ଯିଏ ନିକଟରେ ଲକ୍ଷଲକ୍ଷ ଆଫଗାନଙ୍କୁ ଦେଶରୁ ବାହାର କରିଦେଇଛି। କେବଳ ଏତିକି ନୁହେଁ ପାକିସ୍ତାନର ମିତ୍ର ଦେଶ ତୁର୍କିର ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗାନ ମିଳିତ ଜାତିସଂଘ ମହାସଭାରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏହାକୁ ଭାରତ ସମାଲୋଚନା କରିଛି।