ଭୁବନେଶ୍ୱର: ରାଜଧାନୀରେ ସାମ୍ନାକୁ ଆସିଛି ବଡ଼ ଧରଣର ମହାଘୋଟାଲା। ଭୁବନେଶ୍ୱର ରୋଡ୍ସ ଆଣ୍ଡ ବିଲ୍ଡିଂ (R&B) ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରାୟ ୯.୨୪ କୋଟିରୁ ଅଧିକ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଓଡ଼ିଶା ଭିଜିଲାନ୍ସ ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ କାର୍ଯ୍ୟାଳୟର ସେକ୍ସନ ଅଫିସର ବନଲତା ମହାନ୍ତି ଏବଂ ଜୁନିୟର ଆସିଷ୍ଟାଣ୍ଟ ବିଭୂଦତ୍ତ ନାୟକଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରୁ ୨୦୨୫-୨୬ ମଧ୍ୟରେ ଏହି ଦୁଇ ସରକାରୀ କର୍ମଚାରୀ କାର୍ଯ୍ୟାଳୟର ସହଯୋଗୀଙ୍କ ସହ ମିଶି ଏକ ବଡ଼ ଷଡ଼ଯନ୍ତ୍ର ରଚିଥିଲେ। ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରୋଭିଜନାଲ ଗ୍ରାଚ୍ୟୁଇଟି, ଅବ୍ୟବହୃତ ଛୁଟି ବାବଦ ଅର୍ଥ ଏବଂ କାର୍ଯ୍ୟାଳୟର ଜରୁରୀକାଳୀନ ପାଣ୍ଠି (Contingency Fund) ନାଁରେ ଜାଲ୍ ମଞ୍ଜୁରୀ ଆଦେଶ ଓ ବିଲ୍ ପ୍ରସ୍ତୁତ କରାଯାଇଥିଲା। ଏହି ନକଲି ବିଲ୍ଗୁଡ଼ିକୁ ବେଆଇନ ଭାବେ ଇଣ୍ଟିଗ୍ରେଟେଡ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ସିଷ୍ଟମ (IFMS) ମାଧ୍ୟମରେ ପାସ୍ କରାଇ ସରକାରୀ ଅର୍ଥ ହରିଲୁଟ କରାଯାଉଥିଲା।

ବିଲ୍ରେ ଅବସରପ୍ରାପ୍ତ କର୍ମଚାରୀଙ୍କ ବଦଳରେ ସେମାନଙ୍କ ସମ୍ପର୍କୀୟ ଓ ପରିଚିତ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସଂଯୋଗ କରାଯାଇଥିଲା। ସେକ୍ସନ ଅଫିସର ବନଲତା ମହାନ୍ତିଙ୍କ ପୁଅ, ଡ୍ରାଇଭର ଏବଂ ଜୁନିୟର ଆସିଷ୍ଟାଣ୍ଟ ବିଭୂଦତ୍ତ ନାୟକଙ୍କ ଭାଇ ଓ ସମ୍ପର୍କୀୟଙ୍କ ସମେତ ମୋଟ ୪୮ ଜଣ ବ୍ୟକ୍ତିଙ୍କ ୭୭ଟି ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଆକାଉଣ୍ଟଧାରୀମାନେ ଟଙ୍କା ଉଠାଇ ମୁଖ୍ୟ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରୁଥିଲେ।

Also Read: ଭିଜିଲାନ୍ସର ବଡ଼ ଆକ୍ସନ: ୩୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ଗିରଫ

ଏହି ଦୁର୍ନୀତିର ପର୍ଦ୍ଦାଫାଶ ହେବା ପରେ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୩.୯୬ କୋଟି ଟଙ୍କା ସିଜ୍ କରାଯାଇଛି। ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ସଙ୍ଗୀନ ଦଫାରେ ମାମଲା (କେସ୍ ନଂ ୨୧/୨୫.୦୯.୨୦୨) ରୁଜୁ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।