ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସମୟରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଦିଲ୍ଲୀରେ ବସି ଦଳୀୟ ରାଜନୀତିରେ ମାତିଛନ୍ତି। ପ୍ରଥମେ ସରକାର ୨ରୁ ୩ଟି ଜିଲ୍ଲାରେ ବନ୍ୟା ହେବ ବୋଲି ଆକଳନ କରିଥିଲେ, କିନ୍ତୁ ବାସ୍ତବରେ ୨୨ଟି ଜିଲ୍ଲାର ଲୋକେ ବନ୍ୟାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ଗୁଡ଼ିକ ଉପରେ ରାଜ୍ୟ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ ବୋଲି ଟାର୍ଗେଟ କରିଛି ଓଡ଼ିଶା କୃଷକ ଜନତା କଂଗ୍ରେସ।ବନ୍ୟାରେ ୬ ଜଣଙ୍କର ମୂଲ୍ୟବାନ ଜୀବନ ଯାଇଥିବାବେଳେ ସରକାର ମାତ୍ର ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିବାକୁ ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ବଦଳରେ ସର୍ବନିମ୍ନ ୧୦ ଲକ୍ଷ ଟଙ୍କା ସହାୟତା ଦେବାକୁ ଦାବି କରାଯାଇଛି।

ଚାଷୀମାନଙ୍କ କ୍ଷତି ସମ୍ପର୍କରେ ସଂଗ୍ରାମ ମାଝୀ କହିଛନ୍ତି ଯେ, ଏବେ ଚାଷ ସମୟରେ ବନ୍ୟା ଯୋଗୁଁ ବ୍ୟାପକ ଚାଷ କ୍ଷତି ହୋଇଛି। ମୁଖ୍ୟମନ୍ତ୍ରୀ ନିଜକୁ ଚାଷୀ ଘରର ପିଲା ବୋଲି କହୁଥିବାବେଳେ ଜଳସେଚିତ ଜମି ପାଇଁ ୧୭,୦୦୦ ଟଙ୍କା ଏବଂ ଅଣଜଳସେଚିତ ଜମି ପାଇଁ ୨୨,୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି। କିନ୍ତୁ ବାସ୍ତବରେ ଏକ ଏକର ଚାଷ ପାଇଁ ୩୫,୦୦୦ ରୁ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ତେଣୁ ସରକାର ସଠିକ୍ ସର୍ଭେ କରି ଚାଷୀଙ୍କର ଯେତିକି କ୍ଷତି ହୋଇଛି ସେହି ପରିମାଣର କ୍ଷତିପୂରଣ ଦେବାକୁ ଓଡ଼ିଶା କୃଷକ ଜନତା କଂଗ୍ରେସ ପକ୍ଷରୁ ଜୋରଦାର ଦାବି କରାଯାଇଛି।

ଏହାଛଡ଼ା ଭଙ୍ଗା ଘର ପାଇଁ ମାତ୍ର ୩ ହଜାର ଟଙ୍କା ସହାୟତାକୁ ମଧ୍ୟ ଦଳ ନାପସନ୍ଦ କରିଛି, କାରଣ ଏତିକି ଟଙ୍କାରେ ବାଉଁଶ କିମ୍ବା ଅନ୍ୟାନ୍ୟ ସାମଗ୍ରୀ କିଣିବା ମଧ୍ୟ ଅସମ୍ଭବ। ସେହିପରି ମାଛ ଚାଷ ଏବଂ କୁକୁଡ଼ା ଫାର୍ମଗୁଡ଼ିକର ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଥିଲେ ମଧ୍ୟ ସରକାର ସେଗୁଡ଼ିକୁ ଛାଡ଼ିଦେଇଛନ୍ତି; ଯାହାର ତୁରନ୍ତ ସର୍ଭେ କରାଯାଇ କ୍ଷତିପୂରଣ ଦେବାକୁ କୁହାଯାଇଛି।ବନ୍ୟା ଆକଳନ ଓ ରିଲିଫ୍ ବଣ୍ଟନ ବେଳେ ମଧ୍ୟ ଦଳୀୟ ରାଜନୀତି କରାଯାଉଥିବା ଅଭିଯୋଗ କରି ସଂଗ୍ରାମ ମାଝୀ ଚେତାବନୀ ଦେଇଛନ୍ତି ଯେ, ଯଦି ସରକାର ଏହିସବୁ ସମସ୍ୟାର ସମାଧାନ ନ କରନ୍ତି ଏବଂ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ସହାୟତା ନ ଦିଅନ୍ତି, ତେବେ ଗାଁରୁ ସହର ପର୍ଯ୍ୟନ୍ତ ଏହାର ଜୋରଦାର ପ୍ରତିବାଦ କରାଯିବ।