ଭୁବନେଶ୍ୱର: ଚଳିତ ବର୍ଷ ଓ ଆସନ୍ତା ବର୍ଷର ପାଣିପାଗ ସ୍ଥିତି ପ୍ରାଣଘାତକ ହେବ। ମୌସୁମୀ ବର୍ଷ କମିବ। ଶୀତ ଦିନେ ଶୀତ ଗାଏବ୍ ହୋଇଯିବ। ଆସନ୍ତା ଗ୍ରୀଷ୍ମ ଋତୁ ଜନଜୀବନ ପାଇଁ ବେଶ୍ ଭୟଙ୍କର ପ୍ରାମାଣିତ ହେବ। କାରଣ ପ୍ରଶାନ୍ତ ମହାସାଗରରେ ସକ୍ରିୟ ହୋଇଛି ଜଳବାୟୁ ପ୍ରକ୍ରିୟା ‘ଏଲନିନୋ’। ଆମେରିକାର ପାଣିପାଗ ସଂସ୍ଥା ନୋଆ (ଏନ୍ଓଏଏ) ଆଜି ଏହି ଆଗମନ ସମ୍ପର୍କରେ ଘୋଷଣା କରିଛି।

ଏହା ସମୟ ସହ ଅଧିକ ଶକ୍ତିଶାଳୀ ହୋଇ ‘ସୁପର୍ ଏଲ୍ନିନୋ’ରେ ପରିଣତ ହେବ। ନଭେମ୍ବରରୁ ଜାନୁଆରି ମାସ ମଧ୍ୟରେ ଅତ୍ୟନ୍ତ ଶକ୍ତିଶାଳୀ ଏଲ୍ ନିନୋ ଘଟଣା ଘଟିବାର ୬୩% ସମ୍ଭାବନା ରହିଛି। ଯାହା ୧୯୫୦ ମସିହାରୁ ଆରମ୍ଭ ହୋଇଥିବା ଏଲ୍ନିନୋ ସ୍ଥିତିଗୁଡ଼ିକ ମଧ୍ୟରେ ସବୁଠାରୁ ଅଧିକ ଶକ୍ତିଶାଳୀ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି।

ଏଲନିନୋକୁ ନେଇ ଚାଷୀଙ୍କ ମଧ୍ୟରେ ଛନକା। କାରଣ ମୌସୁମୀରେ ଭଲ ବର୍ଷା ନହେଲେ ଚାଷ ଉଜୁଡ଼ିଲା। ତେବେ ଏହାକୁ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ। ସେ କହିଛନ୍ତି- ଏଲନିନୋକୁ ନେଇ ଚାଷୀମାନେ ବିଚଳିତ ହୁଅନ୍ତୁ ନାହିଁ। ଏଲନିନୋର ପ୍ରଭାବକୁ ନେଇ ପାଣିପାଗ ବିଭାଗ କହିଛି- ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ। କମ ବର୍ଷା ହେଲେ ପ୍ଲାନ-2, 3 ସରକାରଙ୍କର ପ୍ରସ୍ତୁତ ଅଛି। ଆମେ ବିଭିନ୍ନ ବିଭାଗ ସହ ଆଲୋଚନା ଆରମ୍ଭ କରିଛୁ।

ସାରା ଦେଶରେ ବୃଷ୍ଟିପାତ କମ ହେବ ବୋଲି ଆକଳନ ହୋଇଛି। ପୂର୍ବାନୁମାନ କହୁଛି ଓଡ଼ିଶାରେ ବେଶି ସମସ୍ୟା ହେବନି। ଆବଶ୍ୟକ ହେଉଥିବା ୧୪୫୨ ସେଣ୍ଟିମିଟର ବର୍ଷାରୁ କମ୍ ହେବ ନାହିଁ। ଯଦି ବି ହେଲା. ସେଥିପାଇଁ କିପରି ଜଳାଶୟ ସଂରକ୍ଷଣ ଏବଂ ଅନ୍ୟାନ୍ୟ ଜଳସେଚନର ପ୍ରକଳ୍ପ ଗୁଡିକୁ ପ୍ରସ୍ତୁତ କରାଯିବ। ସେନେଇ ସବୁ ବିଭାଗ ସହ କଥାବାର୍ତ୍ତା ସରିଛି। ବିଚଳିତ ହୁଅନ୍ତୁ ନହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।