ବାଲେଶ୍ବର ୧୨।୯: ବାଲେଶ୍ୱର ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର । ପୂର୍ବାଞ୍ଚଳ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ଉଚ୍ଚସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଆସୁଥିବା ତିନୋଟି ପ୍ରମୁଖ ଜିଲ୍ଲା ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜର ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାର ତୃଣମୂଳ ସ୍ତରରୁ ଅନୁଧ୍ୟାନ କରିଛନ୍ତି ଡିଜିପି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ପୁରା ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପ୍ରଶାସନକୁ ସମ୍ପୂର୍ଣ୍ଣ ଆକ୍ସନ ମୋଡ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବୈଠକରେ ଏଡିଜି ସଞ୍ଜୟ କୁମାର ଏବଂ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର, ଭଦ୍ରକ ଏସପି ମନୋଜ ରାଉତ ଏବଂ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲି ନିଜ ନିଜ ଜିଲ୍ଲାର ବର୍ତ୍ତମାନର ସ୍ଥିତି, ସମ୍ବେଦନଶୀଳ ପଏଣ୍ଟ ଏବଂ ପାର୍ବଣ ପାଇଁ ଗ୍ରହଣ କରାଯାଇଥିବା ସୁରକ୍ଷା ରଣନୀତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି ।

Also Read:- ମାଲକାନଗିରି ବନ୍ୟା ସ୍ଥିତିର ସମୀକ୍ଷା କଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, କହିଲେ- ଆସନ୍ତା ମୌସୁମୀରେ ରହିବନି ସମସ୍ୟା

ବିଶେଷ କରି ପାର୍ବଣ ସମୟରେ ଜନଗହଳିପୂର୍ଣ୍ଣ ସ୍ଥାନ, ପୂଜା ମଣ୍ଡପ ଓ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବା, ରାତ୍ରିକାଳୀନ ପାଟ୍ରୋଲିଂ ବଢ଼ାଇବା ଏବଂ ସନ୍ଦିଗ୍ଧ ବ୍ୟକ୍ତି ତଥା ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିବା ଓ ସାଧାରଣ ଲୋକଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ଭୟମୁକ୍ତ ପରିବେଶ ସୃଷ୍ଟି କରିବା ଦିଗରେ ତିନି ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀମାନେ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି ।

Watch Video: