ଭୁବନେଶ୍ୱର ୮।୭: ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍ ଆବାସ ଯୋଜନା ସହ ଯୋଡ଼ାଯିବ । ଏ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା । ତେବେ ଏହା ସେମାନଙ୍କ ଇଚ୍ଛାଧୀନ ରହିବ କହିଲେ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ।

ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ନବୀକରଣୀୟ ଶକ୍ତି ଏବଂ ସୁଲଭ ଗୃହ ନିର୍ମାଣ ଉପରେ ଗୁରୁତ୍ୱ ଦେଇ ଉପ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ପିଏମ୍-ସୂର୍ଯ୍ୟ ଘର ଯୋଜନାକୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଯଥା ପିଏମ୍-ଆବାସ ଯୋଜନା ସହ ଯୋଡ଼ାଯିବ । ଏହା ସେମାନଙ୍କ ଇଚ୍ଛାଧୀନ ରହିବ । ଆମର ଲକ୍ଷ୍ୟ ହେଉଛି ପିଏମ୍ ଆବାସ ଏବଂ ଅନ୍ୟାନ୍ୟ ଗୃହ ଯୋଜନାର ପ୍ରତ୍ୟେକ ହିତାଧିକାରୀ ମଧ୍ୟ ସୌର ଶକ୍ତିର ସୁବିଧା ପାଇପାରନ୍ତୁ । ରାଜ୍ୟ ଗୃହ ଯୋଜନା ସହ ପିଏମ୍-ସୂର୍ଯ୍ୟ ଘରକୁ ଯୋଡ଼ିକରି ଆମେ ଲୋକଙ୍କୁ ୨୪ ଘଣ୍ଟିଆ ପରିଷ୍କାର ଏବଂ ସୁଲଭ ବିଜୁଳି ଯୋଗାଇ ଦେବା ସହ ସେମାନଙ୍କ ବିଜୁଳି ବିଲ୍ ମଧ୍ୟ ହ୍ରାସ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଯୋଜନା ଅଧୀନରେ ସହରାଞ୍ଚଳରେ ୧ କିଲୋ ୱାଟ ବିଶିଷ୍ଟ ଛାତ ଉପର ସୌର ଶକ୍ତି ପ୍ୟାନେଲ ସ୍ଥାପନ ପାଇଁ କେନ୍ଦ୍ରରୁ ₹୩୦୦୦୦ ଟଙ୍କା ଏବଂ ରାଜ୍ୟରୁ ₹୨୫୦୦୦ ଟଙ୍କା ସବସିଡି ସହାୟତା ଦିଆଯାଉଛି । ହିତାଧିକାରୀଙ୍କୁ ମାତ୍ର ₹୧୮୭୫ ଟଙ୍କା ବ୍ୟୟରେ ଏହି ସୁବିଧା ମିଳିବ ।

Also Read:- ଟ୍ରେନ୍ରୁ ନେଇଯାଇଥିଲେ ଭ୍ୟାନିଟି ବ୍ୟାଗ୍, ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର ସହ ୨ ଗିରଫ

ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଜନ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଡିସ୍କମ୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାର ସମସ୍ତ ୪ଟି ବିଦ୍ୟୁତ ବିତରଣ କମ୍ପାନୀ ଅଧୀନରେ ₹୩୭୦୮ କୋଟି ବ୍ୟୟରେ ଭୂତଳ କେବୁଲ ତାର ବିଛାଯିବ । ଏହା ଦ୍ୱାରା ବାତ୍ୟା କିମ୍ବା କାଳବୈଶାଖୀ ସମୟରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବ ନାହିଁ । ଓଡ଼ିଶା ବିଦ୍ୟୁତ ବିତରଣ କମ୍ପାନୀ ପାଇଁ ଏକ ସମଗ୍ର ସୁରକ୍ଷା ଡିପିଆର ପ୍ରସ୍ତୁତ କରାଯାଉଛି । ବିପଜ୍ଜନକ ଖୋଲା, ତଳକୁ ଝୁଲୁଥିବା ତାର ସ୍ଥାନାନ୍ତର, ଖାଲି କଣ୍ଡକ୍ଟର ସ୍ଥାନରେ ଇନସୁଲେଟେଡ୍ କଣ୍ଡକ୍ଟର(ଆବରଣ ଥିବା), ବିତରଣ ସବଷ୍ଟେସନରେ ଫେନ୍ସିଂ(ତାର ଜାଲି) ସ୍ଥାପନ, ପାୱାର ସବଷ୍ଟେସନ ବାଉଣ୍ଡ୍ରି ଓ୍ୱାଲ୍ ଏବଂ ସୁରକ୍ଷା ପାଇଁ କ୍ରେଡେଲ୍/ଗାର୍ଡ ତାର ବ୍ୟବସ୍ଥା କରାଯିବ ।

ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଓ ୟୁଟିଲିଟି ଲେଡ୍ ଆଗ୍ରିଗେସନ ମଡେଲ୍ର କାର୍ଯ୍ୟାନ୍ୱୟନର ମଧ୍ୟ ସମୀକ୍ଷା କରାଯାଇଛି । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ପ୍ରତ୍ୟେକ ଘରକୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ବିଜୁଳି ଯୋଗାଇବା ପାଇଁ ରାଜ୍ୟ ସରକାର ଅହରହ ଚେଷ୍ଟିତ । ଶକ୍ତି, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ଆଦି ବିଭାଗ ଗୁଡ଼ିକର ସମନ୍ୱୟରେ ଏହି ସୁଧାର କାର୍ଯ୍ୟ ଗୁଡ଼ିକ ପର୍ଯ୍ୟାୟକ୍ରମେ ସମ୍ପାଦନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଜୁଳି ବିଲ୍ରୁ ମୁକ୍ତି ସହିତ ସୁରକ୍ଷିତ ଓଡ଼ିଶା ଗଠନ ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ।

ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ, ବିଶାଳ କୁମାର ଦେବ ଓପିଟିସିଏଲ୍ ର ସିଏମ୍ଡି ଭାସ୍କର ଜ୍ୟୋତି ଶର୍ମା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଏସ୍ ଏନ୍ ଗିରୀଶ ଏବଂ ଶକ୍ତି ବିଭାଗ ଓ ବିଦ୍ୟୁତ ବିତରଣ କମ୍ପାନୀର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।