ନୂଆଦିଲ୍ଲୀ : ଡାକ୍ତରୀ ପାଠପଢା ସହ ସମ୍ପର୍କିତ ନିଟ୍-ୟୁଜି ପରୀକ୍ଷା ରବିବାର ସଫଳତାର ସହ ଶେଷ ହୋଇଥିବା ଦାବି ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ପେପର ଲିକ୍ ଖବରକୁ ଗୁଜବ ବୋଲି କହିଛି। ଏହା ସହିତ ଏପରି ଗୁଜବ ରଟଉଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉଥିବା ଚେତାବନୀ ମଧ୍ୟ ଦେଇଛି। କେନ୍ଦ୍ର ଗୃହମନ୍ତ୍ରାଳୟ ଅଧିନରେ କାମ କରୁଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇଫୋରସି) ସମେତ କେନ୍ଦ୍ର ଓ ରାଜ୍ୟ ଯାଞ୍ଚ ଏଜେନ୍ସୀ ଏଥିରେ ସାମିଲ ଲୋକ ଓ ରାକେଟ୍ ର ଏବେ ସନ୍ଧାନ କରୁଥିବା ଓ କାର୍ଯ୍ୟାନୁଷ୍ଠାନ କରିବେ ବୋଲି କହିଛି।

ଏଥି ମଧ୍ୟରେ ଏନଟିଏ ଇଣ୍ଟରନେଟ୍ ମିଡିଆର ଅଲଗା ଅଲଗା ପ୍ଲାଟଫର୍ମରେ ପେପର ଲିକ୍ କୁ ନେଇ ପ୍ରସାରିତ ହେଉଥିବା ମିଛ ଭିଡିଓ ନେଇ ଛାତ୍ର ଓ ଅଭିଭାବକଙ୍କୁ ସତର୍କ କରିଛି। କହିଛି ଯେ କୌଣସି ପ୍ରକାରର ମିଥ୍ୟା ଜାଲରେ ନ ଫଶି ଅଧିକାରୀକ ସୂଚନା ପାଇଁ କେବଳ ଏନଟିଏ ଅଧିକୃତ ସୂଚନା ଉପରେ ନିର୍ଭର କରନ୍ତୁ । ନିଟ୍-ୟୁଜିକୁ ନେଇ ଏପରି ସ୍ଥିତି ସେତେବେଳେ ଉପୁଜିଛି ଯେତେବେଳେ ପରୀକ୍ଷାକୁ ସଫଳତା ପୂର୍ବକ କରାଇବା ପାଇଁ ଏନଟିଏ ସହିତ କେନ୍ଦ୍ର ସରକାରଙ୍କ ପ୍ରାୟ ୬ଟି ମନ୍ତ୍ରାଳୟ ଓ ରାଜ୍ୟସରକାରମାନେ ଗତ ୩୭ ଦିନ ହେଲା ଲାଗି ପଡିଛନ୍ତି।

ଏଥି ମଧ୍ୟରେ ଇଣ୍ଟରନେଟ୍ ମିଡିଆରେ ପ୍ରସରୁଥିବା ଗୁଜବର ମୁକାବିଲା ନିମନ୍ତେ ଇଣ୍ଟରନେଟ୍ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମରେ ଜୁନ ୨୨ ତାରିଖ ପର୍ଯ୍ୟନ୍ତ ବ୍ୟାନ ମଧ୍ୟ ଲଗାଯାଇଥିଲା। ଯଦି ଏନଟିଏଙ୍କୁ ବିଶ୍ୱାସ କରାଯାଏ ତେବେ ଏପରି ଗୁଜବ ଛାତ୍ରଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବା ପାଇଁ ହେଉଥିବା କହିଛନ୍ତି। ଏନଟିଏ କହିଛନ୍ତି ଯେ ରବିବାର ଦ୍ୱିତୀୟବାର ଅନୁଷ୍ଠିତ ପରୀକ୍ଷାକୁ ବ୍ୟାପକ ସୁରକ୍ଷା ଓ କଡ଼ା ଦେଖରେଖରେ ସଫଳତା ପୂର୍ବକ ଆୟୋଜନ କରାଯାଇଛି। ଦେଶର ପ୍ରାୟ ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ନିଟ୍-ୟୁଜି ପରୀକ୍ଷା ପାଇଁ ସାରା ଦେଶରେ ୨୨.୭୯ଲକ୍ଷ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରାଇଥିଲେ। ତେବେ ପରୀକ୍ଷା ଶେଷ ହେବା ପରେ କେତେକ ଇଣ୍ଟରନେଟ୍ ମିଡିଆରେ ଏକ ଭିଡିଓ ପ୍ରସାରିତ ହେଉଛି, ଯେଉଁଥିରେ ନିଟ୍ ପେପର ଲିକ୍ ହୋଇଥିବାର ଦାବି କରାଯାଉଛି।