ନୂଆଦିଲ୍ଲୀ: ସାରା ଦେଶରେ ମେଡିକାଲ ପ୍ରବେଶ ପରୀକ୍ଷା ନିଟ୍-ୟୁଜିକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ଏଥର ବିବାଦ ପରୀକ୍ଷା ଅଥବା ରେଜଲ୍ଟକୁ ନେଇ ନୁହେଁ, ବରଂ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ନେଇ। କେନ୍ଦ୍ର ସରକାର ନିଟ୍-ରି ଏଗଜାମିନେସନ ପୂର୍ବରୁ ଟେଲିଗ୍ରାମ ଉପରେ ଅସ୍ଥାୟୀ ରୋକ ଲଗାଇବା ସହ ଏହାର ଖାସ ଫିଚରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ କହିବା କଥା ହେଉଛି ଟେଲିଗ୍ରାମର ‘ଏଡିଟେଡ ମେସେଜ’ କିଛି ଲୋକଙ୍କ ଲାଗି ଏପରି ଅସ୍ତ୍ର ପାଲଟିଛି ଯାହାଦ୍ୱାରା ସେମାନେ ଛାତ୍ରଙ୍କୁ ପରୀକ୍ଷାର ପେପର ପୂର୍ବରୁ ଲିକ୍ ହୋଇ ସାରିଥିବା ବିଶ୍ୱାସ ଦିଆଉଥିଲେ। ସେମାନଙ୍କ ଏହି ଜାଲରେ ପଡି ଅନେକ ଛାତ୍ର କୋଟି କୋଟି ଟଙ୍କା ହରାଇଛନ୍ତି।

ଟେଲିଗ୍ରାମ ଉପରେ କାହିଁକି ଲାଗିଲା କଟକଣା?
ନିଟ ରି-ଏଗଜାମିନେସନ ଜୁନ ୨୧ରେ ଅନୁଷ୍ଠିତ ହେବ। ପରୀକ୍ଷାର ନିରପେକ୍ଷତା ଲାଗି ସରକାର ଟେିଲଗ୍ରାମକୁ ୨ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପ୍ରଥମ ନିର୍ଦ୍ଦେଶ ହେଉଛି ପ୍ଲାଟଫର୍ମ ସେବା ଗୁଡିକ ଉପରେ ଜୁନ ୨୨ ପର୍ଯ୍ୟନ୍ତ ଅସ୍ଥାୟୀ ରୋକ ଲଗାଯାଉ। ସେହିପରି ଦ୍ୱିତୀୟ ନିର୍ଦ୍ଦେଶରେ ଟେଲିଗ୍ରାମ ତାର ‘ଏଡିଟେଡ’ ଫିଚରକୁ ଜୁନ ୩୦ ପର୍ଯ୍ୟନ୍ତ ନିଷ୍କ୍ରିୟ ରଖୁ। ଜାତୀୟ ପରୀକ୍ଷା ଏଜେନ୍ସୀ (ଏନଟିଏ) କହିବା ଅନୁସାରେ ଏହି ଫିଚରର ଭୁଲ ଉପଯୋଗ କରି କିଛି ଲୋକେ ପେପର ଲିକ୍ ହୋଇଥିବାର ଦାବି କରୁଥିଲେ।

ଟେଲିଗ୍ରାମ ‘ଏଡିଟେଡ’ ଫିଚରର ରହସ୍ୟ କ’ଣ?
ଏନଟିଏ ଅନୁସାରେ ଟେଲିଗ୍ରାମର ମେସେଜ ଏଡିଟିଂ ଫିଚର ଜାଲିଆତଙ୍କ ଲାଗି ହେରଫେର ଲୁଚାଇବା ଓ ମିଥ୍ୟା ପେପର ଲିକ୍ ର ପ୍ରମାଣ ପ୍ରସ୍ତୁତ କରିବାର ଏକ ବଡ଼ ଟୁଲ ପାଲଟିଥିଲା । ଏହି ଫିଚରକୁ ଉପଯୋଗ କରି ସ୍କାମର୍ସ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ମିଛ ଭ୍ରମ ସୃଷ୍ଟି କରୁଥିଲେ ଯେ ଅସଲି ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ଲିକ୍ ହୋଇଯାଇଥିଲା। ସରଳ ଭାଷାରେ କହିଲେ କୌଣସି ବି ଚ୍ୟାନେଲ ଆଡମିନ୍ ପରୀକ୍ଷର କିଛିଦିନ ପୂର୍ବରୁ ଏକ ନର୍ମାଲ ମେସେଜ ପୋଷ୍ଟ କରନ୍ତି। ଯେତେବେଳେ ପରୀକ୍ଷା ସରିଯାଏ ଓ ଅସଲି ପ୍ରଶ୍ନପତ୍ର ବଜାରକୁ ଆସିଯାଏ ସେତେବେଳେ ସେମାନେ ପୁରୁଣା ମେସେଜ ଏଡିଟ କରି ଅସଲି ପ୍ରଶ୍ନପତ୍ର ଅପଲୋଡ କରି ଦିଅନ୍ତି। ଟେଲିଗ୍ରାମର ଟେକ୍ନିକାଲ ତ୍ରୁଟି ଯୋଗୁ ଏହି ଏଡିଟେଡ୍ ମେସେଜ ଏପରି ଲାଗେ ଯେପରି ଏହା ପରୀକ୍ଷା ପୂର୍ବରୁ ପୋଷ୍ଟ ହୋଇଥିଲା।

କେମିତି ହୁଏ ଖେଳ? ଷ୍ଟେପ ବାଇ ଷ୍ଟେପ ବୁଝନ୍ତୁ
ଏହି ଡିଜିଟାଲ ହେରଫେରକୁ ବୁଝିବା ପାଇଁ ଏନଟିଏ ଏହି ପୁରା ପ୍ରକ୍ରିୟାକୁ ପର୍ଯ୍ୟାୟକ୍ରମେ ବୁଝାଇ ଦେଇଛନ୍ତି।

ଚ୍ୟାନେଲ ଓ ଡିସ୍କସନ ଗ୍ରୁପକୁ ଲିଂକ କରିବା
ଜାଲିଆତମାନେ ଏଥି ପାଇଁ ପ୍ରଥମେ ଟେଲିଗ୍ରାମରେ ଏକ ପବ୍ଲିକ ଚ୍ୟାନେଲ ତିଆରି କରନ୍ତି ଏହାକୁ ଏକ ଡିସ୍କସନ ଗ୍ରୁପ ସହ ଯୋଡି ଦିଅନ୍ତି।ଟେଲିଗ୍ରାମର ନିୟମ ହେଲା ଯେବେବି ମୁଖ୍ୟ ଚ୍ୟାନେଲରେ କୌଣସି ଡକ୍ୟୁମେଣ୍ଟ ଓ ପୋଷ୍ଟ ପକାଯିବ ତାହା ମନକୁ ମନ ଯୋଡି ହୋଇଥିବା ଡିସ୍କସନ ଗ୍ରୁପରେ ସେୟାର ହୋଇଯିବ।

ଖାଲି ବା ନକଲୀ ପିଡିଏଫ ଅପଲୋଡ କରିବା
ପରୀକ୍ଷାର ଦୁଇ ଦିନ ପୂର୍ବରୁ ଆଡମିନ ମୁଖ୍ୟ ଚ୍ୟାନେଲରେ ଏକ ଡମି ବା ନକଲୀ ପିଡିଏଫ ଫାଇଲ ଅପଲୋଡ କରେ। ଧରନ୍ତୁ ଏହି ଫାଇଲ ୧୮ ଜୁନ ପୂର୍ବାହ୍ନ ୧୦ଟା ବେଳେ ଅପଲୋଡ କରାଗଲା ଟେଲିଗ୍ରାମ ଏହା ଉପରେ ୧୮ ଜୁନ ୧୦ଟା ବେଳର ଟାଇମ ଷ୍ଟାମ୍ପ ଲଗାଇ ଦେବ। ଏହି ପୋଷ୍ଟ ଡିସ୍କସନ ଗ୍ରୁପରେ ଟାଇମ ଷ୍ଟାମ୍ପ ସହିତ କପି ହୋଇଯାଏ।

ପରୀକ୍ଷା ପରେ ଅସଲି ପେପରରେ ବଦଳିବା
ଯେତେବେଳେ ପରୀକ୍ଷା ସରିଯାଏ ଓ ଅସଲି ପ୍ରଶ୍ନପତ୍ର ସବୁ ସ୍ଥାନରେ ଉପଲବ୍ଧ ହେବାରେ ଲାଗେ ସେତେବେଳେ ଆଡମିନ ମୁଖ୍ୟ ଚ୍ୟାନେଲକୁ ଯାଇ ଜୁନ ୧୮ର ପୁରୁଣା ପୋଷ୍ଟ କୁ ଏଡିଟ କରି ସେହି ଡମି ପିଡିଏଫ ସ୍ଥାନରେ ଅସଲି ପ୍ରଶ୍ନପତ୍ର ଅପଲୋଡ କରିଦେଇଥାଏ। ମୁଖ୍ୟ ଚ୍ୟାନେଲରେ ଏହି ପୋଷ୍ଟ ଆଗରେ ‘ଏଡିଟେଡ’ ଲେଖା ଆସିଯାଇଥାଏ।

ଡିସ୍କନ ଗ୍ରୁପ, ଲୁପହୋଲ ଓ ଠକେଇ
ଏହିଠାରୁ ହିଁ ଆରମ୍ଭ ହୁଏ ଅସଲି ଖେଳ। ମୁଖ୍ୟ ଚ୍ୟାନେଲରେ ‘ଏଡିଟେଡ’ ଲେଖା ହୋଇଥିଲେ ବି ଯେଉଁ ପୋଷ୍ଟ ଡିସ୍କସନ ଗ୍ରୁପରେ ଅଟୋ କପି ହୋଇଥାଏ ସେଠାରେ ଟେଲିଗ୍ରାମର ‘ଏଡିଟେଡ’ ଟ୍ୟାଗ୍ ଦେଖାଏ ନାହିଁ। ସେଠାରେ କେବଳ ପୁରୁଣା ଟାଇମ ଷ୍ଟାମ୍ପ ହିଁ ଦେଖା ଯାଏ। ଜାଲିଆତମାନେ କମେଣ୍ଟସ ଲକ୍ କରି ଦିଅନ୍ତି ଓ ଲୋକଙ୍କୁ ଡିସ୍କସନ ଗ୍ରୁପର ସ୍କ୍ରିନସଟ୍ ଦେଖାଇ ‘ଦେଖ ଆମ ପାଖରେ ପରୀକ୍ଷା ପୂର୍ବରୁ ଅସଲି ପ୍ରଶ୍ନପତ୍ର ଥିଲା’ ବୋଲି କହି ବୁଲନ୍ତି। ଏହି ମିଥ୍ୟା ପ୍ରମାଣ ଆଧାରରେ ସ୍କାମର୍ସ ନିରିହ ଛାତ୍ର ଓ ସେମାନଙ୍କ ମାତାପିତାଙ୍କୁ ‘ଇନସାଇଡର ଆକ୍ସେସ’ (ଭିତିରିଆ ସେଟିଂ) କଥା କହି ଲକ୍ଷଲକ୍ଷ ଟଙ୍କା ଠକି ନିଅନ୍ତି।

ଛାତ୍ର ଓ ଅଭିଭାବକଙ୍କ ଲାଗି ଶିକ୍ଷା କ’ଣ?
ପୋଲିସ ଓ ଯାଞ୍ଚ ଅଧିକାରୀଙ୍କ କହିବା କଥା ହେଉଛି କୌଣସି ଟେଲିଗ୍ରାମ ଚ୍ୟାନେଲ, ହ୍ୱାଟସ୍ ଆପ୍ ଗ୍ରୁପ ଅଥବା ସୋସିଆଲ ମିଡିଆ ଆକାଉଣ୍ଟ ଦ୍ୱାରା ପେପର ଲିକ୍ ଦାବି ଉପରେ ଭରସା କରିବା ଉଚିତ ନୁହେଁ। ଯଦି କୌଣସି ବ୍ୟକ୍ତି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଉପଲବ୍ଧ କରିବାର ଦାବି କରନ୍ତି ଓ ଏହା ବଦଳେ ପଇସା ମାଗନ୍ତି ତେବେ ଏହା ନିଶ୍ଚିତ ରୂପେ ଠକେଇ ବୋଲି ବୁଝି ଯାଆନ୍ତୁ। ଏଣୁ ଛାତ୍ର ଛତ୍ରୀଙ୍କୁ କେବଳ ଏନଟିଏ ଓ ଅଧିକାରୀକ ସ୍ରୋତରୁ ମିଳୁଥିବା ସୂଚନା ଉପରେ ଭରସା କରିବା ଉଚିତ ବୋଲି କୁହାଯାଇଛି।