ନୂଆଦିଲ୍ଲୀ: ସେଲିବ୍ରିଟି ଓ ସୋସିଆଲ ମିଡିଆ ଇନଫ୍ଲୁଏନସର୍ସ ଖାଦ୍ୟପେୟକୁ ନେଇ ଅନେକ ପ୍ରକାରର ଦାବି କରୁଛନ୍ତି। ସେମାନଙ୍କର ଏହି ସବୁ ଦାବିରେ ଖାଦ୍ୟ ଇମ୍ୟୁନିଟି ବଢାଇବାରୁ ଆରମ୍ଭ କରି ପୋଷକ ତତ୍ୱରେ ଭରପୁର ବୋଲି କହୁଛନ୍ତି। ଏପରି ଦାବି ଉପରେ ଏବେ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ ଇଣ୍ଡିଆ (ଏଫଏସ୍ଏସ୍ଏଆଇ)ଙ୍କ ନଜର ପଡିଛି। ଏଥିରେ ଭ୍ରମିତ କରୁଥିବା ପ୍ରମୋସନକୁ ରୋକିବା ଲାଗି ଏଫଏସ୍ଏସ୍ଏଆଇ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିରେ ଏଫଏସ୍ଏସ୍ଏଆଇ ସେଲିବ୍ରିଟି ଓ ଇନଫ୍ଲୁଏନସର୍ସଙ୍କୁ ବିନା ଯାଞ୍ଚ ଓ ପରଖରେ ଏପରି ଦାବିକୁ ସମର୍ଥନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇ ପାରେ ବୋଲି ଚେତାବନୀ ଦେଇଛନ୍ତି।

ଏହାସହିତ ନିୟାମକ ଅସୁରକ୍ଷିତ ଖାଦ୍ୟ ଉତ୍ପାଦ ବିକ୍ରି କରୁଥିବା ମେନୁଫେକ୍ଚରର୍ସଙ୍କ ବିରୋଧରେ ମଧ୍ୟ ମୁଠା ଟାଣ କରିଛନ୍ତି। ଏହି ଆଡଭାଇଜରୀ ଏପରି ସମୟରେ ଆସିଛି ଯେତେବେଳେ ଫୁଡବ୍ରାଣ୍ଡମାନେ ଅନଲାଇନରେ ଲକ୍ଷଲକ୍ଷ ଗ୍ରାହକଙ୍କୁ ହେଲଥ୍ ଡ୍ରିଙ୍କସ୍, ପ୍ରୋଟିନ ସପ୍ଲିମେଣ୍ଟସ୍, ସ୍ନାକ୍ ଓ ପ୍ୟାକଡ ଫୁଡର ମାର୍କେଟିଂ ଲାଗି ଡିଜିଟାଲ କ୍ରିୟେଟର୍ସ ଓ ସେଲିବ୍ରିଟିଙ୍କ ଉପରେ ନିର୍ଭର କରୁଛନ୍ତି। ଏଫଏସ୍ଏସ୍ଏଆଇ ଇନଫ୍ଲୁଏନସର୍ସଙ୍କୁ କହିଛନ୍ତି ଯେ ସେମାନେ ଉତ୍ପାଦ ସହ ନିଜ ନାମ ଓ ବିଶ୍ୱସନୀୟତା ଯୋଡିବା ପୂର୍ବରୁ ଏହା ନିଶ୍ଚିତ କରିନିଅନ୍ତୁ ଯେ ବ୍ରାଣ୍ଡର ସବୁ ଦାବି ସତ୍ୟ, ବୈଜ୍ଞାନିକ ରୂପେ ପ୍ରମାଣିତ ଓ ଫୁଡସେଫ୍ଟି ନିୟମ ଅନୁସାରେ।

କାରଣ ଏଣ୍ଡୋର୍ସମେଣ୍ଟ (ସମର୍ଥନ) କେବଳ ବିଜ୍ଞାପନ ଅପେକ୍ଷା ଅନେକଗୁଣା ଅଧିକ ପ୍ରଭାବ ପକାଏ। କାରଣ ଗ୍ରାହକ ପ୍ରାୟତଃ ପ୍ରମୋସନ କରୁଥିବା ଲୋକଙ୍କ ଉପରେ ଅଧିକ ନିର୍ଭର କରନ୍ତି। ଏଣୁ ସେଲିବ୍ରିଟି ଓ ଇନଫ୍ଲୁଏନସର୍ସଙ୍କ ଏହା ଦାୟିତ୍ୱ ହେବା ଦରକାର ଯେ ସେମାନେ ଉଚିତ ସାମଗ୍ରୀର ପ୍ରମୋସନ କରନ୍ତୁ। ଏଫଏସ୍ଏସ୍ଏଆଇ ଇନଫ୍ଲୁଏନସର୍ସଙ୍କୁ ଚେତାବନୀ ଦେଇଛନ୍ତି ଯେ ଇମ୍ୟୁନିଟି ବଢାଇବା ଓ ପୋଷକତତ୍ୱରେ ଭରପୁର ଭଳି ଦାବି ସେ ପର୍ଯ୍ୟନ୍ତ ନ କରନ୍ତୁ ଯେଉଁ ପର୍ଯ୍ୟନ୍ତ ସୋନଙ୍କ ପାଖରେ ପ୍ରମାଣ ଓ ଖାଦ୍ୟ ଆଇନ ଅନୁଯାୟୀ ପ୍ରମାଣ ନ ମିଳିଛି।

ନିୟାମକ କହିଛନ୍ତି ଯେ ଖାଇବା ପିଇବା ସାମଗ୍ରୀର ଭ୍ରମିତ କରିବା ଭଳି ବିଜ୍ଞାପନ ଓ ଏଣ୍ଡୋର୍ସମେଣ୍ଟ ପାଇଁ ‘ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ-୨୦୦୬ ଓ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ (ଆଡଭର୍ଟାଇଜିଂ ଆଣ୍ଡ କ୍ଲେମସ୍) ରେଗୁଲେସନ ୨୦୧୮’ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏହା ଛଡା ଏଫଏସ୍ଏସ୍ଏଆଇ ଗ୍ରାହକଙ୍କୁ ଏହା ଅପିଲ କରିଛନ୍ତି ଯେ ସେମାନେ ନିଜର ଫୁଡ ସେଫ୍ଟି କନେକ୍ଟ ପ୍ଲାଟଫର୍ମ ମାଧ୍ୟମରେ ଖାଦ୍ୟ ଓ ପାନୀୟ ସାମଗ୍ରୀର ଭ୍ରମାତ୍ମକ ବିଜ୍ଞାପନ ଓ ସେଲିବ୍ରିଟିଙ୍କ ଏଣ୍ଡୋର୍ସମେଣ୍ଟର ରିପୋର୍ଟ କରନ୍ତୁ।