LIVE TV

୨ ବର୍ଷରୁ ଛୋଟ ପିଲାଙ୍କୁ କଫ୍ ସିରଫ୍ ମନା, କେନ୍ଦ୍ର ସରକାର ଜାରି କଲେ ମାର୍ଗଦର୍ଶିକା

NEWS7
syrup

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଥିତ ରୂପେ ପ୍ରତିବନ୍ଧିତ ଔଷଧ (କଫ୍ ସିରପ୍) ପିଇ ପିଲାଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ର ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ଦୁଇ ବର୍ଷ ବୟସରୁ କମ ପିଲାଙ୍କୁ କାଶ ଓ କଫ ପାଇଁ କପ୍ ସିରଫ୍ ନଦେବା ପାଇଁ ସରକାର କହିଛନ୍ତି । ଡିଜିଏଚ୍‌ଏସ୍ (ସ୍ୱାସ୍ଥ୍ୟ ସେବା ମହାନିର୍ଦେଶାଳୟ) ଶିଶୁଙ୍କୁ କିପରି କପ୍ ସିରଫ ଦିଆଯିବ ତାହା ଉପରେ ମଧ୍ୟ ମାର୍ଗଦର୍ଶିକା ଜାରି କରିଛି ।

ସରକାର କହିଛନ୍ତି, ଦୁଇ ବର୍ଷକୁ ସାନ ପିଲାଙ୍କୁ କାଶ ଓ ଥଣ୍ଡା ପାଇଁ ଔଷଧ ନଦିଆଯିବା ଦରକାର । ସାଧାରଣତଃ ପାଞ୍ଚ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଏହା ସୁପାରିଶ କରାଯାଏ ନାହିଁ । ଯେକୌଣସି ଔଷଧର ବ୍ୟବହାର ପାଇଁ ସତର୍କତାପୂର୍ଣ୍ଣ ନୈଦାନିକ ମୂଲ୍ୟାଙ୍କନ, କଡ଼ା ନିରୀକ୍ଷଣ କରାଯିବା ଦରକାର । ଏହା ବ୍ୟତୀତ ଡାକ୍ତରଙ୍କ ଦ୍ୱାରା ନିର୍ଦ୍ଧାରିତ ଔଷଧ ସେବନ ଉପରେ ସଚେତନତା କରାଯିବା ଦରକାର ।

ଉଲ୍ଲେଖଯୋଗ୍ୟ ଯେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଥିତ ରୂପେ ବ୍ୟାନ କଫ ସିରପ୍ ପିଇବା କାରଣରୁ ମୋଟ ୧୧ ପିଲାଙ୍କ ମୃତ୍ୟୁ ହୋଇଛି । ଏଥିରେ ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ମୃତ ପିଲାଙ୍କ ସଂଖ୍ୟା ବଢି ୯ ହୋଇଛି । ତେବେ ପ୍ରାଥମିକ ତଦନ୍ତରେ କଫ୍ ସିରପ୍ ସାମ୍ପଲରେ ଡିଇଜି ଓ ଇଜିର ଅଂଶ ମିଳିନାହିଁ, ଯାହା ମୁଖ୍ୟତଃ କିଡନୀ ଉପରେ ପ୍ରଭାବ ପକାଇଥାଏ । କେନ୍ଦ୍ର ସ୍ୱାସ୍ଥ୍ୟ ଓ  ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ମଧ୍ୟପ୍ରଦେଶ ଛିନ୍ଦୱାଡ଼ାରେ ଅତି କମରେ ୯ ଜଣଙ୍କ ମୃତ୍ୟୁ ପରେ ସଂଗ୍ରହ କରାଯାଇଥିବା ସିରପ୍ ନମୂନାରେ ଡାୟଥିଲିନ ଗ୍ଲାଇକଲ୍ (ଡିଆଇଜି) କିମ୍ୱା ଏଥିଲିନ ଗ୍ଲାଇକଲ୍ (ଇଜି)ର କୌଣସି ଅଂଶ ମିଳି ନାହିଁ । ତେବେ ବିଶେଷଜ୍ଞ ଟିମ୍ ଅନ୍ୟ ସମ୍ଭାବିତ କାରଣର ତଦନ୍ତ କରୁଛନ୍ତି ।