କାବୁଲ: ଆଫଗାନିସ୍ତାନରେ ବିବାହ, ଛାଡପତ୍ର ଓ ବାଲ୍ୟ ବିବାହ ସମ୍ପର୍କିତ ନୂଆ ପାରିବାରିକ ଆଇନ ଲାଗୁ ହୋଇଛି। ଏଥିରେ ଥିବା ପ୍ରାବଧାନକୁ ନେଇ ଏବେ ଅନ୍ତର୍ଜାତୀୟ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂଆ ଆଇନରେ ଏପରି ଅନେକ ପ୍ରାବଧାନ ରହିଛି ଯାହାକୁ ନେଇ ମହିଳା ଅଧିକାର ସଙ୍ଗଠନ ଓ ରାଜନୈତିକ ବିଶ୍ଲେଷକମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁସାରେ ପତି-ପତ୍ନୀଙ୍କ ମଧ୍ୟରେ ବିଚ୍ଛେଦ ସିଦ୍ଧାନ୍ତ ଶୀର୍ଷକ ୩୧ ଅନୁଚ୍ଛେଦର ଏହି ଆଇନକୁ ସର୍ବୋଚ୍ଚ ତାଲିବାନ ନେତା ହିବତୁଲ୍ଲାହ ଅଖୁନ୍ଦଜାଦା ମୋହର ଲଗାଇଛନ୍ତି।

କୁଆଁରୀ ଝିଅର ନିରବତାକୁ ବିବାହ ସମ୍ମତି ବୁଝାଯିବ
ଏହି ଆଇନକୁ ଅଧିକାରୀକ ଗେଜେଟରେ ମଧ୍ୟ ପ୍ରକାଶ କରାଯାଇଛି। ନୂଆ ଆଇନରେ ବିବାହ, ବାଲ୍ୟବିବାହ, ନିଖୋଜ ସ୍ୱାମୀ, ଧର୍ମ ପରିବର୍ତ୍ତନ ଓ ବ୍ୟାଭିଚାର ଭଳି ପ୍ରସଙ୍ଗରେ ପ୍ରାବଧାନ ରହିଛି। ତେବେ ସବୁଠୁ ଅଧିକ ବିବାଦ ଆଇନର ସେହି ପ୍ରାବଧାନକୁ ନେଇ ଉପୁଜିଛି ଯେଉଁଥିରେ ଯୌବନ ପ୍ରାପ୍ତ କରିସାରିଥିବା କୁଆଁରୀ ଯୁବତୀଙ୍କ ନିରବତାକୁ ତାଙ୍କ ବିବାହ ସମ୍ମତି ବୁଝିବା ହେବ ବୋଲି କୁହାଯିବା। ତେବେ କୁହାଯାଇଛି ଯେ କୌଣସି ଯୁବକ ଅଥବା ପୂର୍ବରୁ ବିବାହୀତା ମହିଳାଙ୍କ ନିରବତାକୁ ସମ୍ମତି ବୁଝାଯିବ ନାହିଁ। ଆଇନରେ ‘ଖିଆର ଅଲ-ବୁଲୁଧ’ର ମଧ୍ୟ ଉଲ୍ଲେଖ ରହିଛି। ଏଥିରେ ବାଲ୍ୟବିବାହ କରିଥିବା ପିଲା ଯୌବନ ପ୍ରାପ୍ତ କରିବା ପରେ ବିବାହ ରଦ୍ଦ କରିବାକୁ ଦାବି କରିବାର ଅଧିକାର ଦିଆଯାଇଛି। ତେବେ ଏଥି ଲାଗି ତାଲିବାନ କୋର୍ଟର ଅନୁମତି ମଧ୍ୟ ଜରୁରି କରାଯାଇଛି।

ଚିନ୍ତା ବଢାଇଲା ନୂଆ ଆଇନ
ନୂଆ ଆଇନ ଅନୁସାରେ ଯଦି କୌଣସି ନାବାଳିକାର ପିତା ଅଥବା ଜେଜେଙ୍କ ବ୍ୟତୀତ ଅନ୍ୟ କୌଣସି ସମ୍ପର୍କିୟଙ୍କ ଦ୍ୱାରା ବିବାହ ପ୍ରସ୍ତାବ ନିର୍ଦ୍ଧାରିତ ହୁଏ ତେବେ କିଛି ସର୍ତ୍ତ ସହ ଆଇନଗତ ମାନ୍ଯତା ଦିଆଯିବ ବୋଲି ବ୍ୟବସ୍ଥା ରହିଛି। ତେବେ ଅନୁପଯୁକ୍ତ ଜୀବନ ସାଥୀ ଓ ଅନୁଚିତ ଯୌତୁକରେ ବିବାହକୁ ଅମାନ୍ୟ ମନେ କରାଯିବ। ଆଇନର ଏହି ପ୍ରାବଧାନକୁ ନେଇ ବାଲ୍ୟ ବିବାହ ଚିନ୍ତା ଆହୁରି ବଢି ଯାଇଛି। କାରଣ ଅନେକ ଅନ୍ତର୍ଜାତୀୟ ସଂସ୍ଥା ପୂର୍ବରୁ ତାଲିବାନ ନୀତିଗୁଡିକୁ ମହିଳା ଅଧିକାର ବିରୋଧୀ ବୋଲି କହି ଆସୁଛନ୍ତି।

ଇସ୍ଲାମରେ ଦବାଇ ଦିଆଯାଏ ମହିଳାଙ୍କ ସ୍ୱର
ଅଗଷ୍ଟ ୨୦୨୧ରେ ତାଲିବାନ ସରକାର ଶାସନକୁ ଫେରିବା ପରେ ମହିଳାଙ୍କ ଉପରେ ଅନେକ ପ୍ରକାର କଟକଣା ଲଗାଇଛି। ଆଫଗାନିସ୍ତାନରେ ଷଷ୍ଠ ଶ୍ରେଣୀ ପରେ ଛାତ୍ରୀଙ୍କ ପାଠପଢା ନିଷେଧ କରାଯାଇଛି। ସେହିପରି ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ଆଡମିସନ ଓ ଅନେକ କ୍ଷେତ୍ରରେ କାମ କରିବା ଉପରେ ମଧ୍ୟ କଟକଣା ରହିଛି। ରାଜନୈତିକ ଟିପ୍ପଣୀକାର ଫହିମା ମହମ୍ମଦ କହିଛନ୍ତି ଯେ ବାଲ୍ୟ ବିବାହ କୌଣସି ଦୃଷ୍ଟିରୁ ବିବାହ ନୁହେଁ। ଏକ କିଶୋରୀ ଠିକରେ ସହମତି ଦେଇ ନପାରେ ଓ ତାର ନିରବତାକୁ ସହମତି ମନେ କରିବା ବିପଦଜନକ। କାରଣ ଇସ୍ଲାମରେ ଏକ ଝିଅର ସ୍ୱରକୁ ସମ୍ପୂର୍ଣ୍ଣ ଦବାଇ ଦିଆଯାଏ।