ପାଟଣା ୧୧: ପ୍ରଥମାଷ୍ଟମୀରେ ମାମୁଁ ଘରେ ଜୀବନ ହାରିଲେ ଭଣଜା । ମାମୁଁ ଘର ପଛପଟେ ଥିବା ଆମ୍ବ ଗଛରୁ ମିଳିଛି ଛାତ୍ରଙ୍କ ଝୁଲନ୍ତା ମୃତଦେହ । ସାମାନ୍ୟ ମୋବାଇଲ ପାଇଁଛାତ୍ର ଜଣଙ୍କ ଜୀବନ ହାରି ଦେଇଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲା ବାରିଆ ଥାନା ଗୁଳୁଦିପଶି ଗାଁରେ ଘଟିଛି ଏଭକି ଦୁଃଖଦ ଘଟଣା ମୃତକ ହେଉଛନ୍ତି ଚମ୍ପୁଆ ବ୍ଲକ ବାଲେଶ୍ୱର ଗ୍ରାମର ଫକୀର ମହାନ୍ତଙ୍କ ପୁଅ ଶୈଳେଶ ମହାନ୍ତ ।

ସୂଚନାଯୋଗ୍ୟ ଯେ, ଶୈଳେଶ ବାରିଆ ଥାନା ଗୁଳୁଦିପଶି ଗାଁରେ ନିଜ ମାମୁଁ ଘରେ ରହି ପାଠ ପଢ଼ୁଥିଲେ । ସେ ଗୁଳୁଦିପଶି ଆଇଟିଆଇରେ ପାଠ ପଢୁଥିଲେ l ଶୈଳେଶ ଏକ ନୂଆ ମୋବାଇଲ କିଣିବା ପାଇଁ ଘର ଲୋକଙ୍କୁ କହିଥିଲେ । ତେବେ ଘର ଲୋକ ନୂଆ ମୋବାଇଲ କିଣି ଦେଇନଥିଲେ । ତେଣୁ ଯୁବକ ଜଣଙ୍କ ମାମୁଁ ଘରେ ଘର ପଛପଟେ ଥିବା ଏକ ଆମ୍ବ ଗଛରେ ଗାମୁଛା ସାହାଯ୍ୟରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘର ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଭଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

​​​​​​​ଖବର ପାଇ ବାରିଆ ପୋଲିସ ଡାକ୍ତରଖାନାରେ ପହଞ୍ଚିଥିଲେ । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଇଛି ପୋଲିସ