ନୂଆଦିଲ୍ଲୀ: ନେପାଳର ନବନିର୍ବାଚିତ ତଥା ଯୁବ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ସଂସଦରେ ଭାରତ-ନେପାଳ ସୀମା ବିବାଦକୁ ନେଇ ଏକ ଚକିତ କଲାଭଳି ବୟାନ ଦେଇଛନ୍ତି । ସଂସଦରେ ପ୍ରଶ୍ନକାଳରେ, ସାଂସଦମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୀମା ଜବରଦଖଲ କେବଳ ଗୋଟିଏ ପଟୁ ହୋଇନାହିଁ, ବରଂ ଦୁଇ ପଟୁ ହୋଇଛି । କେବଳ ଭାରତ ନୁହେଁ, ବରଂ ନେପାଳ ମଧ୍ୟ ଭାରତୀୟ ଭୂଭାଗକୁ ଜବରଦଖଲ କରିଛି ବୋଲି ସେ ଦାବି କରିଛନ୍ତି । ତେବେ ସେ ଏହି ସ୍ଥାନଗୁଡ଼ିକର ଅଧିକର ବିବରଣୀ ଦେଇନାହାନ୍ତି । ଏହି ସମ୍ବେଦନଶୀଳ ସୀମା ବିବାଦକୁ କୌଣସି ବିବାଦ ଭିତରକୁ ନଟାଣି, ଦୁଇ ଦେଶ ଏକାଠି ବସି କୂଟନୈତିକ ଆଲୋଚନା ମାଧ୍ୟମରେ ସବୁଦିନ ପାଇଁ ସମାଧାନ କରିବା ଉଚିତ ବୋଲି ସେ ଜୋର ଦେଇ କହିଛନ୍ତି । ଏହା ସହିତ ଲିପୁଲେଖ ଏବଂ ଲିମ୍ପିୟାଧୁରା ବାଣିଜ୍ୟିକ ମାର୍ଗ ସମ୍ପର୍କରେ ନେପାଳ ପଠାଇଥିବା କୂଟନୈତିକ ଚିଠିର ଜବାବ ନୂଆଦିଲ୍ଲୀ ଦେଇ ସାରିଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ, ପ୍ରଧାନମନ୍ତ୍ରୀଙ୍କ ଏହି ଅପ୍ରତ୍ୟାଶିତ ବୟାନ ପରେ ନେପାଳ ସଂସଦରେ ପ୍ରବଳ ହଙ୍ଗାମା ଆରମ୍ଭ ହୋଇଯାଇଛି । ମୁଖ୍ୟ ବିରୋଧୀ ଦଳ 'ନେପାଳୀ କଂଗ୍ରେସ' ଏହି ବୟାନକୁ ଅତ୍ୟନ୍ତ ଆପତ୍ତିଜନକ ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କଠାରୁ ତୁରନ୍ତ ପ୍ରମାଣ ଓ ସ୍ପଷ୍ଟୀକରଣ ଦାବି କରିଛି । ବିରୋଧୀଙ୍କ କହିବା କଥା, ଦେଶର ପ୍ରଧାନମନ୍ତ୍ରୀଙ୍କୁ ଏଭଳି ସୂକ୍ଷ୍ମ ଏବଂ କୂଟନୈତିକ ବିଷୟରେ ବିନା କୌଣସି ଦୃଢ଼ ପ୍ରମାଣରେ ବୟାନ ଦେବା ଉଚିତ ନୁହେଁ । ଯଦି ସରକାର ଏହାର ପ୍ରମାଣ ଦେଇ ନପାରିବେ, ତେବେ ଏହି ବୟାନକୁ ସଂସଦର ରେକର୍ଡରୁ ତୁରନ୍ତ ହଟାଇ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ଭାରତ ପକ୍ଷରୁ କୈଳାସ ମାନସରୋବର ଯାତ୍ରା ଘୋଷଣା କରାଯିବା ପରେ ନେପାଳ ଏହାକୁ ନେଇ ଆପତ୍ତି ଉଠାଇଥିଲା । ନେପାଳ ସରକାରଙ୍କ ଦାବି ଥିଲା ଯେ ଏହି ଯାତ୍ରା ଲିପୁଲେଖ ଦେଇ ଯାଇପାରିବ ନାହିଁ, କାରଣ ସେହି ଅଞ୍ଚଳ ସେମାନଙ୍କ ଦେଶର । ଏହି କାରଣରୁ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ କିଛିଟା ତିକ୍ତତା ଦେଖାଦେଇଥିଲା ।

ଏହାରି ଭିତରେ, ନେପାଳର ଶାସକ ଦଳ 'ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି'ର ସଭାପତି ରବି ଲାମିଛାନେ ଜୁନ୍ ୧ରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଦିଲ୍ଲୀ ଗସ୍ତରେ ଆସୁଛନ୍ତି । ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଶୀର୍ଷ ମନ୍ତ୍ରୀମାନଙ୍କୁ ଭେଟିବେ । ବାଲେନ ଶାହ ପ୍ରଧାନମନ୍ତ୍ରୀ ହେବା ପରେ ଲାମିଛାନେଙ୍କ ଏହି ଦିଲ୍ଲୀ ଗସ୍ତ ଦୁଇ ଦେଶର ସମ୍ପର୍କ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।