କାଠମାଣ୍ଡୁ: ନେପାଳର ପ୍ରଳୟଙ୍କରୀ ବନ୍ୟାକୁ ସପ୍ତାହେ ହେବାକୁ ଯାଉଛି । କାଦୁଅ ମାଟି, ଭଗ୍ନାବଶେଷ ତଳୁ ଜୀବନ ଖୋଜା ଚାଲିଛି । ହଜାର ହଜାର ଲୋକ ଏବେ ବି ନିଖୋଜ । ମୃତ୍ୟୁ ସଂଖ୍ୟାର ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । ମଙ୍ଗଳବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ହଜାରେ ଟପିଛି । ଏସବୁ ଭିତରେ ନେପାଳ ପୋଲିସ ଆଉ ଏକ ବଡ଼ ଚ୍ୟାଲେଞ୍ଜର ସାମନା କରୁଛି । ବନ୍ୟାରେ ଧୋଇଯାଇଥିବା କିମ୍ୱା କାଦୁଅ ତଳେ ପୋତି ହୋଇଥିବା ଅତି କମରେ ୨୦ ବ୍ୟାଙ୍କର ଭଣ୍ଡାରରେ ଥିବା ସଂପତ୍ତି ଠାବ କରିବା ଏବଂ ସୁରକ୍ଷିତ କରିବା ।

ନେପାଳର ପ୍ରବଳ ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ନୁୱାକୋଟ୍ ଜିଲ୍ଲାରେ ଥିବା 'କୃଷି ବିକାଶ ବ୍ୟାଙ୍କ'ର ତ୍ରିଶୂଳୀ ଢୁଙ୍ଗେ ଶାଖାରୁ ନଗଦ ଟଙ୍କା, ସୁନା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଲିସ ଉଦ୍ଧାର କରିଛି । ପୋଲିସର ସୂଚନା ଅନୁଯାୟୀ, ପ୍ରାୟ ୮ ଘଣ୍ଟା ଧରି ଚାଲିଥିବା ଏକ ଅପରେସନ୍ ପରେ ବ୍ୟାଙ୍କ ଲକରରୁ ପାଖାପାଖି ନଗଦ ୧.୫ କୋଟି ନେପାଳୀ ଟଙ୍କା ଏବଂ ପ୍ରାୟ ୫୦ କୋଟି ନେପାଳୀ ଟଙ୍କା ମୂଲ୍ୟର ସୁନା ଉଦ୍ଧାର କରାଯାଇଛି । ସେଗୁଡ଼ିକୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହାସହ ବ୍ୟାଙ୍କରୁ କେତେକ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ଦଲିଲ ମଧ୍ୟ ଉଦ୍ଧାର କରାଯାଇଛି ।

ଅଞ୍ଚଳରେ ବନ୍ୟା ଜଳ ପ୍ରବାହିତ ହେଉଥିବା ସତ୍ତ୍ୱେ ପୋଲିସ ବ୍ୟାଙ୍କ ଭିତରକୁ ପଶି ଏହି ସମ୍ପତ୍ତି ଓ ମୂଲ୍ୟବାନ ସାମଗ୍ରୀଗୁଡ଼ିକୁ ବାହାର କରିଥିଲା । ପରବର୍ତ୍ତୀ ସମୟରେ ଏହି ଜିନିଷଗୁଡ଼ିକୁ ଏକ କଡ଼ା ସୁରକ୍ଷାବଳୟରେ ଥିବା ସ୍ଥାନକୁ ପଠାଯାଇଛି । ନେପାଳ ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଉଦ୍ଧାର କାର୍ଯ୍ୟର ଭିଜୁଆଲ ସେୟାର କରିଛି ।

 

ନେପାଳରେ ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ମୃତ୍ୟୁସଂଖ୍ୟା ହଜାରେକୁ ବୃଦ୍ଧି ପାଇଥିବା ବେଳେ ୪,୨୪୭ ଜଣ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ କେତେକ ଅଞ୍ଚଳରେ ସର୍ଚ୍ଚ ଅଭିଯାନ ଜାରି ରହିଛି । ଅଧିକାରୀମାନେ ବନ୍ୟାରେ ପ୍ରାଣ ହରାଇଥିବା ଅଜଣା ଶବଗୁଡ଼ିକର ସାମୂହିକ ସତ୍କାରଆରମ୍ଭ କରିଛନ୍ତି । ଚିତୱାନ ଜିଲ୍ଲାର ଦେବଘାଟ ଜଙ୍ଗଲରେ ଶହ ଶହ ଶବ ପାଇଁ ଅସ୍ଥାୟୀ ସତ୍କାର ସ୍ଥଳ ପ୍ରସ୍ତୁତ କରାଯାଇଛି । ବନ୍ୟାରେ ଭାସିଯାଇଥିବା ଅନେକ ଶବ ପଚିବାକୁ ଲାଗିଲାଣି ଏବଂ ସେଗୁଡ଼ିକୁ ଚିହ୍ନଟ କରିବା ଅସମ୍ଭବ ହୋଇପଡ଼ିଛି । ପଚିଯାଉଥିବା ଏହି ଶବଗୁଡ଼ିକ ଯୋଗୁଁ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରି ପ୍ରଶାସନ ସମସ୍ତ ଶବକୁ ଏକାଠି କବର ଦେବାକୁ ନିଷ୍ପତ୍ତି ନେଇଛି ।