ମୁମ୍ବାଇ: ମହାରାଷ୍ଟ୍ରରେ ଅର୍ଥ ବିଭାଗକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କ ନେତୃତ୍ୱରେ ଅଜିତ ପାୱାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ବରିଷ୍ଠ ନେତାମାନେ ରବିବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର  ଫଡନାଭିସଙ୍କ ସରକାରୀ ବାସଭବନରେ ତାଙ୍କୁ ଭେଟିଛନ୍ତି। ଏହି ବୈଠକରେ ଦଳକୁ ଆର୍ଥିକ ପୋର୍ଟ୍ଫୋଲୀଓ ଫେରାଇବାକୁ ଦାବି କରାଯାଇଥିଲା। ଆଗାମୀ ଶୀତକାଳୀନ ଅଧିବେଶନ ପୂର୍ବରୁ ଦଳର ଆର୍ଥିକ ପୋର୍ଟ୍ଫୋଲୀଓ ମିଳିବ ବୋଲି NCP ଆଶା ରଖିଛି।

ବୈଠକ ପରେ NCPର ବରିଷ୍ଠ ନେତା ଛଗନ ଭୁଜବଳ କହିଛନ୍ତି ଯେ ଅର୍ଥ ବିଭାଗ ଫେରାଇବା ଦାବି ଉପରେ ମୁଖ୍ୟମନ୍ତ୍ରୀ ଫଡ଼ନବିସ ସକାରାତ୍ମକ ମନୋଭାବ ପ୍ରକାଶ କରିଛନ୍ତି। ତେବେ ଏହି ବିଭାଗ କେବେ ହସ୍ତାନ୍ତର ହେବ, ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇନାହିଁ। ଭୁଜବଳଙ୍କ ସହ ଧନଞ୍ଜୟ ମୁଣ୍ଡେ, ହସନ ମୁଶ୍ରିଫ ଓ ଜୟ ପାୱାର ମଧ୍ୟ ବୈଠକରେ ହୋଇଥିବା ନିଷ୍ପତି ଉପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଭୁଜବଳ କହିଥିଲେ ଯେ ଅର୍ଥ ବିଭାଗ ଦଳକୁ ଫେରାଇବାର ସମୟ ହୋଇସାରିଛି ଏବଂ ଏହାକୁ ଯଥାଶୀଘ୍ର ହସ୍ତାନ୍ତର କରିବାକୁ ଏନସିପି ପକ୍ଷରୁ ଦାବି କରାଯାଇଛି।

ତାଙ୍କ କହିବା ଅନୁସାରେ, ଏହି ବିଭାଗ ହସ୍ତାନ୍ତର କରିବା ନେଇ କୌଣସି ବିବାଦ ନାହିଁ ବୋଲି ଦେବେନ୍ଦ୍ର ଫଡନାଭିସ୍ ସ୍ପଷ୍ଟ କରିଛନ୍ତି। ରାଜ୍ୟର ବର୍ତ୍ତମାନର ଆର୍ଥିକ ପରିସ୍ଥିତି, ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ସହାୟତା ଏବଂ ପାଣ୍ଠି ବ୍ୟବସ୍ଥାକୁ ବିଚାରକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ ଆଶ୍ୱାସନା ଦେଇଥିବା ଭୁଜବଳ କହିଛନ୍ତି।

ଭୁଜବଳଙ୍କ ସୂଚନା ଅନୁଯାୟୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ଫଡ଼ନବିସଙ୍କୁ ସ୍ୱାଧୀନତା ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ରାଜ୍ୟର ଆର୍ଥିକ ଆବଶ୍ୟକତା ଏବଂ ବିଭିନ୍ନ ସହାୟତା ଯୋଜନା ପାଇଁ ଆବଶ୍ୟକ ପାଣ୍ଠିର ହିସାବକିତାବ କରୁଛନ୍ତି। ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ସହାୟତା, ଋଣଛାଡ଼ ସମ୍ବନ୍ଧୀୟ ପଦକ୍ଷେପ ଏବଂ ଅଗ୍ରିମ ରିଲିଫ୍ ବାବଦରେ ୫,୦୦୦ ଟଙ୍କା ପ୍ରଦାନ ପାଇଁ ବିପୁଳ ପାଣ୍ଠିର ଆବଶ୍ୟକତା ରହିଛି। ଏହି କାରଣରୁ ଅର୍ଥ ବିଭାଗ ହସ୍ତାନ୍ତରର ସମୟ ନିର୍ଦ୍ଧାରଣ କରିବା ପୂର୍ବରୁ ସରକାର ଏସବୁ ଦିଗକୁ ବିଚାର କରୁଥିବା ମଧ୍ୟ ଭୁଜବଳ ଜଣାଇଛନ୍ତି ।

ଏହି ବୈଠକକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । କାରଣ କିଛି ଦିନ ପୂର୍ବରୁ ସୁନେତ୍ରା ପାୱାର ଓ ତାଙ୍କ ପୁଅ ପାର୍ଥ ପାୱାର ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଥିଲେ। ଏହା ପରେ NCPର ଦାବି ଏବଂ ମହାୟୁତି ମେଣ୍ଟ ମଧ୍ୟରେ ରାଜନୈତିକ ସମୀକରଣକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ NCPର ଦୁଇ ଗୋଷ୍ଠୀର ମିଶ୍ରଣ ସମ୍ଭାବନାକୁ ଭୁଜବଳ ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି। ଏହା ସହିତ ଦଳର ଚାରିରୁ ପାଞ୍ଚ ଜଣ ମନ୍ତ୍ରୀଙ୍କୁ ନେଇ କୌଣସି ବୈଠକ ହେବା ସମ୍ପର୍କିତ ଖବରକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି। ଭୁଜବଳ କହିଛନ୍ତି ଯେ ରବିବାରର ବୈଠକରେ ମିଶ୍ରଣ କିମ୍ବା ମନ୍ତ୍ରୀମାନଙ୍କ ସମ୍ଭାବ୍ୟ ପରିବର୍ତ୍ତନ ନେଇ କୌଣସି ଆଲୋଚନା ହୋଇନଥିଲା। ଦଳ କେବଳ ନିଜର ଅର୍ଥ ବିଭାଗ ଫେରାଇବା ଦାବି ଉଠାଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।

also read- ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି, ମାନହାନୀ ମାମଲାରେ ଦୋଷମୁକ୍ତ କଲେ କୋର୍ଟ

NCP କୋଟାରେ ଖାଲି ପଡ଼ିଥିବା ମନ୍ତ୍ରୀ ପଦ ସମ୍ପର୍କରେ ପଚରାଯିବାରୁ ଭୁଜବଳ କହିଥିଲେ ଯେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମହାୟୁତି ମେଣ୍ଟରେ ସାମୂହିକ ଭାବେ ନିଷ୍ପତ୍ତି ନିଆଯିବ। ଏଥିରେ ବିଜେପିରେ ଖାଲି ପଡ଼ିଥିବା ପଦଗୁଡ଼ିକୁ ମଧ୍ୟ ବିଚାରକୁ ନିଆଯିବ। ସମ୍ପ୍ରସାରଣ କେବେ ହେବ, ତାହା ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରଣ କରିବେ। ଆଗାମୀ ଶୀତକାଳୀନ ଅଧିବେଶନ ପୂର୍ବରୁ ଅର୍ଥ ବିଭାଗ ହସ୍ତାନ୍ତର ପ୍ରସଙ୍ଗର ସମାଧାନ ପାଇଁ NCP ଗୁରୁତ୍ୱ ଦେଉଥିବା ବେଳେ ଏହା ଉପରେ ମୁଖ୍ୟମନ୍ତ୍ରୀ କେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ, ଏବେ ସମସ୍ତଙ୍କ ନଜର ସେଥିପ୍ରତି ରହିଛି।