ଭୁବନେଶ୍ଵର: ଦୁର୍ବଳ ଆତ୍ମା ଭଳି ବ୍ୟବହାର କରିଲା ବିଜେଡି ମୁଁ ଭାବୁଥିଲି ହିରୋ ହେଇଥାନ୍ତେ। କିନ୍ତୁ କମଜୋର ଆତ୍ମା ହୋଇ ରହିଗଲେ । ସମର୍ଥନ ନ କରି ସମର୍ଥନ କଲା ବିଜେଡି । ଉପରାଷ୍ଟ୍ରପତିରେ କାହାକୁ ଭୋଟ ନ ଦେବାର ନିଷ୍ପତି ଅର୍ଥ ଏହା ବିଜେପିକୁ ସମର୍ଥନ କଲା ଭୋଟ ଦେବା ପାଇଁ । ବିଜେଡି ଭୋଟ ଦେଲେ କି ନ ଦେଲେ କିଛି ପ୍ରଭାବ ପକାଇ ନଥାନ୍ତା । କିନ୍ତୁ ପୋଲିଟିକ୍ସ ରେ ଗୋଟେ ଷ୍ଟାଣ୍ଡ ରହିଥାନ୍ତା ବୋଲି ବିଜେଡିକୁ ଟାର୍ଗେଟ୍ କରି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

ଭକ୍ତ ଦାସ କହିଛନ୍ତି, ସାଙ୍ଗରେ ବିଜେଡ଼ି ରହିବ କି ନାହିଁ ଏହା ପ୍ରସଙ୍ଗ ଥିଲା। କିନ୍ତୁ ସେମାନେ ବିରତି ରହି ପରୋକ୍ଷରେ ଏନଡିଏକୁ ସମର୍ଥନ ଦେଲେ। ଏନଡିଏ ବିରୋଧରେ ଭୋଟ୍ ଦେଇଥିଲେ ତାଙ୍କ ଏମପି ଏମଏଲଏ ଉତ୍ସାହିତ ହୋଇଥାନ୍ତେ ।  ବିରୋଧୀ ଦଳ ଭାବେ ନିଜର କାର୍ଯ୍ୟ କରିଛନ୍ତି ବୋଲି ଭାବି ଥାନ୍ତେ । ବିରୋଧୀ ଦଳରେ ଥାଇ ମଧ୍ୟ ବସି ରହୁଛନ୍ତି । କିଛି କରିପାରୁ ନାହାନ୍ତି।  ଏହା ତାଙ୍କ ପାଇଁ ଗୋଟେ ସୁଯୋଗ ଥିଲା  ସେମାନେ କିଛି ନିଷ୍ପତି ନେବେ । ଏମିତି କରିଥିଲେ  ତାଙ୍କ ବିଧାୟକ ଓ ସାଂସଦ ଉତ୍ସାହିତ ହୋଇଥାନ୍ତେ। ସେମାନଙ୍କୁ ବିରୋଧୀ ଦଳ ହିସାବରେ କହିବାକୁ ସୁଯୋଗ ମିଳିଥାନ୍ତା। କିନ୍ତୁ ବିଜେଡି ଦଳର ବିଧାୟକ ନେତାମେନେ ନିରାଶ ହୋଇଛନ୍ତି। ତାଙ୍କ ଆଶା ଭରସା ସବୁ ମଉଳି ଯାଇଛି।

ଭକ୍ତ ଏହା ମଧ୍ୟ କହିଛନ୍ତି, ଇଣ୍ଡିଆ ଆଲାଇନ୍ସକୁ ସମର୍ଥନ କରିଥିଲେ, ଗୋଟେ ହିଷ୍ଟୋରିକଲ ଡିସିସନ ହେଇଥାନ୍ତା। ନିଜର ବିରୋଧୀ ଭୂମିକାକୁ ସ୍ପଷ୍ଟ କରିପାରିଥାନ୍ତେ । କିନ୍ତୁ ବିଜେଡିର ଏମିତି ନିଷ୍ପତ୍ତି ପୁଣି ଥରେ ଦର୍ଶାଇ ଦେଇଛି ଏବେ ବି ବିଜେପି ଓ ବିଜେଡି ମିଶି କି ଅଛନ୍ତି।

ସୂଚନାଯୋଗ୍ୟ, ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏନଡିଏ ପକ୍ଷରୁ ସିପି ରାଧାକୃଷ୍ଣନ ପ୍ରାର୍ଥୀ ହୋଇଥିବା  ବେଳେ ବିରୋଧୀ ଇଣ୍ଡିଆ ପକ୍ଷରୁ ବି ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ଅଛନ୍ତି। ରାଜ୍ୟଠୁ ନେଇ ଜାତୀୟସ୍ତରରେ ସଭିଙ୍କ ନଜର ଥିଲା ବିଜେଡି ଉପରେ। ଏହି ଦଳ କାହାକୁ ସମର୍ଥନ କରିବ ଏନଡିଏ ନା ଇଣ୍ଡିଆ। ଆଶା କରାଯାଉଥିଲା ରାଜ୍ୟରେ କ୍ଷମତା ହରାଇବା ଏବଂ ବିରୋଧୀ ଆସନରେ ବସିବା ପରେ ବିଜେଡି ବିରୋଧୀ ଦଳର ଭୂମିକା ନିଭାଇବ ଏବଂ ବିଜେପିକୁ ବିରୋଧ କରିବ। କିନ୍ତୁ ନବୀନ ନିଜର ପୂର୍ବ ରଣନୀତିସ୍ଵରୂପ ସମଦୂରତା ନୀତିକୁ ବଜାୟ ରଖିଛନ୍ତି। ସରଳ ଭାଷାରେ କହିବାକୁ ଗଲେ କେନ୍ଦ୍ରରେ ବିଜେପି ଏବଂ ନବୀନଙ୍କ ନିବିଡ଼ ବନ୍ଧୁତା ଏବେ ବି ଜାରି ରହିଛି। ​​​​​​​