ନୂଆଦିଲ୍ଲୀ ୧୯।୦୫; ମେ ୨୦ରେ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ । ଅନଲାଇନ୍ ଔଷଧ ବିକ୍ରିକୁ ବିରୋଧ କରି ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟସ୍ ପକ୍ଷରୁ ଦେଶବ୍ୟାପୀ ମେଡିକାଲ୍ ଷ୍ଟୋର ବନ୍ଦ ଡାକ ଦିଆଯାଇଛି। ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ଜରୁରୀ ପ୍ରସ୍ତୁତି ନେବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ବିଶେଷ କରି ଜୀବନରକ୍ଷାକାରୀ ଔଷଧର ଅଭାବ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବନ୍ଦ ବେଳେ ହସ୍ପିଟାଲ୍ ମେଡିକାଲ୍ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶାବଳୀ ଅନୁସାରେ, ସରକାରୀ ଓ ବେସରକାରୀ ହସ୍ପିଟାଲ୍ ସହ ସଂଲଗ୍ନ ସମସ୍ତ ଇନ୍-ହାଉସ୍ ଫାର୍ମାସି ଏବଂ ୨୪ ଘଣ୍ଟିଆ ମେଡିସିନ୍ ଷ୍ଟୋରଗୁଡ଼ିକୁ ଖୋଲା ରଖିବା ପାଇଁ ଆବଶ୍ୟକ ଅତିରିକ୍ତ କର୍ମଚାରୀ ନିଯୁକ୍ତିର ବ୍ୟବସ୍ଥା କରିବାକୁ କୁହାଯାଇଛି । ସାଧାରଣ ଲୋକ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ସହଯୋଗରେ ଆବଶ୍ୟକ ମେଡିକାଲ୍ ଷ୍ଟୋର ଖୋଲା ରଖିବାକୁ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି। ସେପଟେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏନ୍ ଦାବି କରିଛି ଯେ, ଇ-ଫାର୍ମାସି ବା ଅନଲାଇନ୍ ବିକ୍ରିରେ ରିହାତି ତ ମିଳୁଛି।

ହେଲେ ଏଥିରେ ଗୁଣବତ୍ତାକୁ ଅଣଦେଖା କରାଯାଉଛି, ଯାହା ସ୍ବାସ୍ଥ୍ୟପ୍ରତି ହାନିକାରକ। ରିହାତି ଦ୍ୱାରା କର୍ପୋରେଟ ସଂସ୍ଥା ମାର୍କେଟକୁ ଅସ୍ଥିର କରୁଛନ୍ତି । କାରଣ ଔଷଧର ଦର ଓ ଲାଭର ମାର୍ଜିନକୁ ଭାରତ ସରକାର ନିର୍ଦ୍ଧାରଣ କରିଥାନ୍ତି। କର୍ପୋରେଟ ମନମାନି ଦ୍ୱାରା ଗାଁ ଓ ଅନ୍ୟ ସ୍ଥାନରେ ଔଷଧ ବିକ୍ରେତାଙ୍କ ବ୍ୟାପାର ପ୍ରଭାବିତ ହେଉଛି । ସେପଟେ କୋଭିଡ ସମୟର ଯେଉଁ ଅସ୍ଥାୟୀ ନିୟମ ଥିଲା, ତାକୁ ଉଛେଦ ପାଇଁ ବି ଦାବି କରିଛି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ।