ନ୍ୟୁୟର୍କ, ୦୨/୦୪ : ମହାକାଶ ଅଭିମୁଖେ ଆର୍ଟେମିସ୍ ମିଶନ-୨ । ନାସାର ବହୁ ପ୍ରତୀକ୍ଷିତ ଆର୍ଟେମିସ୍ ମିଶନ ଏପ୍ରିଲ ୨ ତାରିଖରେ ଲଞ୍ଚ୍ ହୋଇଛି । ଯାହାର ଉତକ୍ଷେପଣ ସଫଳ ହୋଇଛି । ଫ୍ଲୋରିଡାର କେନେଡି ସ୍ପେଶ୍ ସେଣ୍ଟରରୁ ଭାରତୀୟ ସମୟାନୁସାରେ ଭୋର୍ ୩ଟା ୫୪ରେ ଏହାର ଲଞ୍ଚ୍ କରାଯାଇଛି ।

ଏହା ହେଉଛି ୫୪ ବର୍ଷ ପରେ ନାସାର ଚନ୍ଦ୍ର ନିକଟକୁ ମାନବ ମିଶନ । ଅର୍ଥାତ ଦୀର୍ଘ ବର୍ଷ ପରେ ଚନ୍ଦ୍ର ଅଭିମୁଖେ ନାସା ମହାକାଶଚାରୀଙ୍କୁ ପଠାଇଛି । ଶେଷ ଖବର ସୁଧା ମିଶନ ସଫଳ ହୋଇଥିବା ବେଳେ ମହାକାଶଚାରୀ ସୁରକ୍ଷିତ ଭାବେ ପୃଥିବୀ କକ୍ଷରେ ପହଁଚି ଯାଇଛନ୍ତି । ସାରା ବିଶ୍ୱ ଏହି ଉତକ୍ଷେପଣକୁ ଦେଖିଛି ।

ମିଶନରେ ୪ ମହାକାଶଚାରୀ

ନାସାର ଏହି ମିଶନରେ ୪ ଜଣ ମହାକାଶଚାରୀଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ ମିଶନ କମାଣ୍ଡର ରିଡ୍ ବାଇସମ୍ୟାନ୍, ଭିକ୍ଟର ଗ୍ଲୋବର, ମିଶନ ସ୍ପେଶାଲିଷ୍ଟ କ୍ରିଷ୍ଟିନା କୋଚ୍ ଏବଂ ଜେରେମି ହେନସେନ୍ ।

ମିଶନର ଲକ୍ଷ୍ୟ

ଆର୍ଟେମିସ୍-୨ ଲ୍ୟାଣ୍ଡିଂ ମିଶନ ନୁହେଁ । ଅର୍ଥାତ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଣରେ ଅବତରଣ କରିବେ ନାହିଁ । ସେମାନେ କେବଳ ଏହାର ଚାରିପାଖରେ ଚକ୍କର କାଟିବେ । ମହାକାଶଚାରୀମାନେ ଅତି ନିକଟରୁ ଜହ୍ନର ପରୀକ୍ଷା କରିବେ । ଏହାପରେ ପୃଥିବୀକୁ ଚାଲିଆସିବେ । ସମସ୍ତ ପ୍ରକ୍ରିୟା ୧୦ ଦିନରେ ଶେଷ ହେବ । ଏହି ସମୟରେ ଓରିଅନ୍ କ୍ୟାପସୁଲରର କ୍ଷମତା, ଜୀବନ ରକ୍ଷା ପ୍ରଣାଳୀ, ନାଭିଗେସନ, କମ୍ୟୁନିକେସନର ଯାଞ୍ଚ୍ କରାଯିବ । ଫେରିବା ବେଳେ ଓରିଅନ୍ ଘଣ୍ଟା ପ୍ରତି ୪୦ ହଜାର କିଲୋମିଟର ବେଗରେ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବ ।

କ'ଣ ରହିଛି ମହତ୍ତ୍ୱ

ଏହି ଲଞ୍ଚ୍ ଏଥିପାଇଁ ଐତିହାସିକ କାରଣ ଆପୋଲା-୧୭ ପରେ ପ୍ରଥମ ଥର ପାଇଁ କୌଣସି ମହାକାଶଚାରୀ ଚନ୍ଦ୍ର ନିକଟକୁ ଯାଉଛନ୍ତି । ଏହାର ସଫଳତା ପରେ ନାସା ଆର୍ଟେମିସ୍-୩ ଆରମ୍ଭ କରିବ ଏବଂ ଜହ୍ନ ପୃଷ୍ଣରେ ମାନବଙ୍କୁ ଓହ୍ଲାଇବ । ଯାହା ଭବିଷ୍ୟତରେ ନାସାର ମଙ୍ଗଳ ମିଶନର ମୂଳଦୁଆ ପକାଇବ ।