ନୂଆଦିଲ୍ଲୀ: ନାସା (NASA) ଏକ ଗୁରୁତ୍ୱପୂର୍ଣ୍ଣ ମହାକାଶ ଟେଲିସ୍କୋପକୁ ପୃଥିବୀ ପୃଷ୍ଠରେ ଖସିପଡ଼ିବାରୁ ରକ୍ଷା କରିବା ପାଇଁ ଏକ ବଡ଼ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି ଉଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ୩୦ ମିଲିୟନ ଡଲାର (ପ୍ରାୟ ୨୫୦ କୋଟିରୁ ଅଧିକ ଟଙ୍କା) ଖର୍ଚ୍ଚ କରାଯିବ । ନାସାର 'ସୁଇଫ୍ଟ ଅବଜରଭେଟୋରୀ' ନାମକ ଏକ ଶକ୍ତିଶାଳୀ ଟେଲିସ୍କୋପ୍ ୨୦୦୪ ମସିହାରୁ ମହାକାଶରେ ରହି ବ୍ରହ୍ମାଣ୍ଡର ବଡ଼ ବଡ଼ ବିସ୍ଫୋରଣ ଉପରେ ନଜର ରଖିଛି। କିନ୍ତୁ ନିକଟରେ ସୌର ଝଡ଼ ଯୋଗୁଁ ଏହି ଟେଲିସ୍କୋପଟି ନିଜ କକ୍ଷପଥରୁ ତଳକୁ ଖସିବାରେ ଲାଗିଛି। ବର୍ତ୍ତମାନ ଏହା ପ୍ରାୟ ୨୨୪ ମାଇଲ୍ (୩୬୦ କିଲୋମିଟର) ଉଚ୍ଚତାରେ ଅଛି। ଯଦି ଏହାକୁ ରକ୍ଷା କରାନଯାଏ, ତେବେ ଆସନ୍ତା ଅକ୍ଟୋବର ସୁଦ୍ଧା ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ନଷ୍ଟ ହୋଇଯିବାର ଆଶଙ୍କା ରହିଛି।

ଏହି ମୂଲ୍ୟବାନ ଟେଲିସ୍କୋପକୁ ରକ୍ଷା କରିବାକୁ ନାସା 'କାଟାଲିଷ୍ଟ ସ୍ପେସ୍ ଟେକ୍ନୋଲୋଜିଜ୍‌' ନାମକ ଏକ ଷ୍ଟାର୍ଟଅପ୍ କମ୍ପାନୀ ସହ ଚୁକ୍ତି କରିଛି। ଏହି ସପ୍ତାହରେ ପାସିଫିକ୍ ମହାସାଗରର ମାର୍ଶଲ ଦ୍ୱୀପପୁଞ୍ଜରୁ ଏକ 'ପେଗାସସ୍ ରକେଟ୍' ସାହାଯ୍ୟରେ ଏକ ରୋବୋଟିକ୍ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରାଯିବ, ଏହାର ନାମ 'ଲିଙ୍କ୍' ରଖାଯାଇଛି। ଏହି 'ଲିଙ୍କ୍' ନାମକ ରୋବୋଟିକ୍ ସ୍ପେସକ୍ରାଫ୍ଟରେ ତିନୋଟି ବାହୁ ବା ହାତ ରହିଛି । ଏହା ମହାକାଶକୁ ଯାଇ ସୁଇଫ୍ଟ ଟେଲିସ୍କୋପକୁ ଧରିବ ଏବଂ ତାକୁ ଧୀରେ ଧୀରେ ଉପରକୁ ଠେଲି ପ୍ରାୟ ୩୭୩ ମାଇଲ୍ (୬୦୦ କିଲୋମିଟର) ଉଚ୍ଚ କକ୍ଷପଥକୁ ନେଇଯିବ।

ଏହି ରୋବୋଟକୁ ସୁଇଫ୍ଟ ନିକଟରେ ପହଞ୍ଚିବା ପାଇଁ ପ୍ରାୟ ଏକ ମାସ ସମୟ ଲାଗିବ ଏବଂ ଏହାର କକ୍ଷପଥ ବଢ଼ାଇବା ପାଇଁ ଆହୁରି କିଛି ମାସ ଲାଗିବ। ଯଦି ସବୁକିଛି ଠିକ୍ ରହେ, ତେବେ ସେପ୍ଟେମ୍ବର ସୁଦ୍ଧା ଟେଲିସ୍କୋପଟି ପୁଣି କାମ କରିବା ଆରମ୍ଭ କରିବ। ସୁଇଫ୍ଟ ଟେଲିସ୍କୋପକୁ ଯେତେବେଳେ ତିଆରି କରାଯାଇଥିଲା, ସେତେବେଳେ ଏହାକୁ ମହାକାଶରେ ମରାମତି କରିବା କିମ୍ବା ରୋବୋଟ୍ ସାହାଯ୍ୟରେ ଧରିବା ପାଇଁ କୌଣସି ବ୍ୟବସ୍ଥା ରଖାଯାଇନଥିଲା। ତେଣୁ ଏହି କାର୍ଯ୍ୟ ବେଶ୍ ଚ୍ୟାଲେଞ୍ଜିଂ ଏବଂ ଏଥିରେ ଶତପ୍ରତିଶତ ସଫଳତା ମିଳିବାର ଗ୍ୟାରେଣ୍ଟି ନାହିଁ। ନାସା ବର୍ତ୍ତମାନ ସୁଇଫ୍ଟର ସମସ୍ତ ବୈଜ୍ଞାନିକ ଯନ୍ତ୍ରପାତି ବନ୍ଦ କରିଦେଇଛି, ଫଳରେ ଏହାର ତଳକୁ ଖସିବା ପ୍ରକ୍ରିୟା ଟିକେ ଧୀମା ହୋଇପାରିବ।

କେବଳ ସୁଇଫ୍ଟ ନୁହେଁ, ନାସାର ସବୁଠାରୁ ପ୍ରସିଦ୍ଧ ଏବଂ ପୁରୁଣା ହବଲ୍ ସ୍ପେସ୍ ଟେଲିସ୍କୋପ୍ (Hubble Space Telescope) ମଧ୍ୟ ସୌର ଝଡ଼ ଯୋଗୁଁ ଧୀରେ ଧୀରେ ତଳକୁ ଖସୁଛି। ଯଦି ସୁଇଫ୍ଟକୁ ବଞ୍ଚାଇବା ପାଇଁ କରାଯାଉଥିବା ଏହି ଅଭିଯାନ ସଫଳ ହୁଏ, ତେବେ ଆଗାମୀ ୨୦୨୮ ମସିହା ସୁଦ୍ଧା ଏହି ସମାନ ରୋବୋଟିକ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ହବଲ୍ ଟେଲିସ୍କୋପ୍‌କୁ ମଧ୍ୟ ନୂଆ ଜୀବନଦାନ ଦିଆଯାଇପାରିବ। ​ଆମେରିକା ଇତିହାସରେ ଏହା ପ୍ରଥମ ସ୍ପେସ୍ ରୋବୋଟିକ୍ ମିଶନ, ଯାହା ମହାକାଶରେ ଥିବା ପୁରୁଣା ସାଟେଲାଇଟ୍ ଏବଂ ଟେଲିସ୍କୋପ୍ ଗୁଡ଼ିକୁ ମରାମତି ଏବଂ ସୁରକ୍ଷିତ ରଖିବା ପାଇଁ ଏକ ନୂଆ ବାଟ ଦେଖାଇବ।