ନୂଆଦିଲ୍ଲୀ: ତିରୁପତି ମନ୍ଦିର ଦାନ ହୁଣ୍ଡି ଟଙ୍କାକୁ ନେଇ ଆନ୍ଧ୍ର ପ୍ରଦେଶରେ ରାଜନୀତି ଜୋର ଧରିଛି । ରାଜ୍ୟରେ କ୍ଷମତାରେ ଥିବା ଟିଡିପି ପୂର୍ବ ସରକାର ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛି । ଟିଡିପି ବିଧାୟକ ନାରା ଲୋକେଶ ଅଭିଯୋଗ କରିଛନ୍ତି, ତିରୁମାଲା ମନ୍ଦିରର ଦାନ ହୁଣ୍ଡିରୁ ୧୦୦ କୋଟି ଟଙ୍କା ଚୋରି କରାଯାଇଛି । ଜଗନମୋହନ ରେଡ୍ଡୀ ସରକାର ସମୟରେ ଏହି ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଟିଡିପି ସାଧାରଣ ସମ୍ପାଦକ ନାରା ଲୋକେଶ ଏକ ଭିଡିଓ ସେୟାର କରିଛନ୍ତି । ଏକ୍ସରେ ସିସିଟିଭି ଫୁଟେଜ୍ ସେୟାର କରି ଭଗବାନ ଭେଙ୍କଟେଶ୍ୱରଙ୍କ ସେବାରେ ବ୍ୟାପକ ଅନିୟମିତତା ହୋଇଥିବା ସେ ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି, ୱାଇସିପି ଚୋରମାନେ ଭଗବାନ ଭେଙ୍କଟେଶ୍ୱରଙ୍କ ସମ୍ପତ୍ତି ଲୁଟିଛନ୍ତି । ଶେହ କୋଟି ଟଙ୍କାର ପରାକାମଣି (ଦାନ ବାକ୍ସ) ଚୋରି ପଛରେ ୱାଇସିପି ନେତାଙ୍କ ହାତ ରହିଛି । ଜଗନମୋହନଙ୍କ ପାଞ୍ଚ ବର୍ଷର କାର୍ଯ୍ୟକାଳ ସମୟରେ ଦୁର୍ନୀତି ଚରମରେ ପହଞ୍ଚିଥିଲା । ଜଗନ ଆନ୍ଧ୍ର ପ୍ରଦେଶକୁ ଚୋର, ଲୁଟେରା ଏବଂ ମାଫିଆଙ୍କ ପାଇଁ ସ୍ୱର୍ଗରେ ପରିଣତ କରିଥିଲେ । ଜଗନ ଗ୍ୟାଙ୍ଗ ଖଣି, ଜମି, ଜଙ୍ଗଲ ଏବଂ ସମସ୍ତ ସମ୍ପଦ ଲୁଟ କରିଥିଲେ, ଲୋକଙ୍କ ଶୋଷଣ କରିଥିଲେ... ଶେଷରେ, ସେମାନେ ତିରୁମାଲାରେ ଭଗବାନ ଭେଙ୍କଟେଶ୍ୱରଙ୍କ ପବିତ୍ର ସମ୍ପତ୍ତିକୁ ମଧ୍ୟ ଛାଡି ନଥିଲେ

ଟିଡିପି ବିଧାୟକ ଦାବି କରିଛନ୍ତି, ପୂର୍ବତନ ତିରୁମାଲା ତିରୁପତି ଦେବସ୍ଥାନମ୍ସ (ଟିଟିଡି) ଅଧ୍ୟକ୍ଷ ଭୂମାନା କରୁଣାକର ରେଡ୍ଡୀଙ୍କୁ ଏହି ଦୁର୍ନୀତିରେ ସାମିଲ ଥିଲେ । ଲୁଟର ଅଂଶ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନଙ୍କ ବାସଭବନ ତାଡେପାଲି ପ୍ୟାଲେସରେ ପହଞ୍ଚିଥିଲା । ଉଲ୍ଲେଖଯୋଗ୍ୟ ଟିଟିଡି ହେଉଛି ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ମନ୍ଦିର ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରର ସରକାରୀ ସଂରକ୍ଷକ ।

ଲୋକେଶ ଅଭିଯୋଗ କରିଛନ୍ତି ଯେ ଚୋରି ହୋଇଥିବା ପାଣ୍ଠିକୁ ରିୟଲ ଇଷ୍ଟେଟରେ ନିବେଶ କରାଯାଇଥିଲା ଏବଂ ଲୋକ ଅଦାଲତରେ ମାମଲାକୁ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା । କ୍ଷମତାରେ ଥାଇ ଜଗନ ଗ୍ୟାଙ୍ଗ ଭଗବାନ ଭେଙ୍କଟେଶ୍ୱରଙ୍କ ବିରୁଦ୍ଧରେ ସମସ୍ତ ଅପମାନ କରିଥିଲେ ।