କୋଲକାତା: ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ମୁକୁଲ ରୟଙ୍କ ବୋହୂ ଶର୍ମିଷ୍ଠା ଭୌମିକ ରୟ ନେପାଳ-ତିବ୍ବତ ସୀମାନ୍ତରେ ଆସିଥିବା ଭୟଙ୍କର ଫ୍ଲାସ୍ ଫ୍ଲଡ୍ (ଆକସ୍ମିକ ବନ୍ୟା) ପରଠାରୁ ନିଖୋଜ ଅଛନ୍ତି। ସେ ପୂର୍ବତନ ତୃଣମୂଳ କଂଗ୍ରେସ ବିଧାୟକ ଶୁଭ୍ରାଂଶୁ ରୟଙ୍କ ପତ୍ନୀ। ଉତ୍ତର ୨୪ ପ୍ରଗଣାର ନିବାସୀ ଶର୍ମିଷ୍ଠା ରୟ ଅଗଷ୍ଟ ୨୧ ରେ ଏକ ସଂସ୍ଥା ମାଧ୍ୟମରେ ଏକାକୀ ନେପାଳ ଗସ୍ତରେ ଯାଇଥିଲେ। ଅଗଷ୍ଟ ୨୫ ରାତି ପରଠାରୁ ତାଙ୍କର ନିଜ ପରିବାର ସହ କୌଣସି ସମ୍ପର୍କ ହୋଇପାରି ନାହିଁ।

କୈଳାସ ମାନସରୋବର ଯାତ୍ରାରେ ଯାଇଥିବା କୋଲକାତାର ୩୦ ଜଣ ପର୍ଯ୍ୟଟକ ଏବଂ ୨ ଜଣ ଟୁର୍ ମ୍ୟାନେଜରଙ୍କ ସମେତ ୩୨ ଜଣିଆ ଦଳ ନେପାଳ-ତିବ୍ବତ ସୀମାନ୍ତ ରସୁୱାଗଢ଼ି (Rasuwagadhi) ଇମିଗ୍ରେସନ୍ ଅଫିସ ନିକଟରୁ ନିଖୋଜ ଅଛନ୍ତି।

ଏହି ବନ୍ୟାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୭୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୮୮ ଜଣ ଭାରତୀୟଙ୍କ ସମେତ ୭୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବହୁ ରାସ୍ତା, ପୋଲ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲଙ୍କ ଅନୁଯାୟୀ, ବୁଧବାର ସକାଳେ ତିବ୍ବତ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହେବାର ମାତ୍ର କିଛି ମିନିଟ୍ ମଧ୍ୟରେ ଆକସ୍ମିକ ବନ୍ୟା ମାଡ଼ି ଆସିଥିଲା। ଭୂକମ୍ପ ଯୋଗୁଁ ଗ୍ଲେସିୟର ଫାଟି ଏହି ବିନାଶକାରୀ ବନ୍ୟା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ରାସ୍ତାଘାଟ ଧୋଇଯିବା ଏବଂ ଯୋଗାଯୋଗ ବ୍ୟବସ୍ଥା ଠପ୍ ହୋଇଯିବା ହେତୁ ଉଦ୍ଧାରକାରୀ ଦଳକୁ ପ୍ରଭାବିତ ଅଞ୍ଚଳରେ ପହଞ୍ଚିବା ପାଇଁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି।