ନୂଆଦିଲ୍ଲୀ: ଘର ଚଟାଣରେ ପଡ଼ିଥିଲା ପୁଅର ରକ୍ତ ଜୁଡ଼ୁବୁଡ଼ ଶବ। ଛାତିରେ ଉପରେ ଥିଲା ବାଇବେଲ। ପାଖରେ ବସିଥିଲା ମାଆ। ଦିନେ କି ଦୁଇ ଦିନ ନୁହେଁ, ପୂରା ୫ ଦିନ ଧରି ଏଭଳି ବସି ରହିଥିଲା ମାଆ। ଆଉ ଆଉ ଏଭଳି କରିବାର କାରଣ ଥିଲା ବୃଦ୍ଧା ମାଆ ଭାବୁଥିଲା ନିଜ ପୁଅ ଜୀବିତ ହୋଇଯିବ। ଏଭଳି ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ଚକିତ କରିଛି। ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାରେ ଘଟିଛି ଏହି ଘଟଣା।

ସୂଚନା ଅନୁସାରେ, ବୃଦ୍ଧାଙ୍କ ଘରକୁ କ୍ଷୀର ଦେବାକୁ ଆସୁଥିବା ବ୍ୟବସାୟୀ ଏହି ଦୃଶ୍ୟ ଦେଖି ପୋଲିସ ଏବଂ ପଡ଼ୋଶୀଙ୍କୁ ଜଣାଇଥିଲେ। ଯାହା ପରେ ଘଟଣା ସାମ୍ନାକୁ ଆସିଥିଲା। ବିଦିଶା ଏସପି ରୋହିତ କାଶବାଣୀ କହିଛନ୍ତି, ମୃତ ୪୨ ବର୍ଷୀୟ ବ୍ୟକ୍ତି ମୁମ୍ବାଇରେ ଫ୍ୟାସନ ଡିଜାଇନିଂ କମ୍ପାନିରେ କାମ କରୁଥିଲେ। ମାଆ ଅବସରପ୍ରାପ୍ତ ଶିକ୍ଷକ। ବାପାଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ମାଆଙ୍କ ସହ ବିଦିଶାରେ ରହୁଥିଲେ। ତାଙ୍କର ଦୁଇ ଭାଇ ବିଦେଶରେ ରହୁଛନ୍ତି। ବ୍ୟକ୍ତି ଜଣକ ଅସୁସ୍ଥ ଥିଲେ ଏବଂ ତାଙ୍କ ମାଆ ଡିପ୍ରେସନରେ ରହୁଥିଲେ। ସେ ଆଖପାଖର କାହା ସହ ମଧ୍ୟ କଥା ହେଉନଥିଲେ।

Also Read: ଏମିତି ମାଆ କାହାକୁ ନମିଳୁ, ୧୭ ଖଣ୍ଡ ଦାମୀ ଶାଢ଼ି ପାଇଁ ଝିଅକୁ ବିକିଦେଲା

କାଶାବାଣୀ କହିଛନ୍ତି ପ୍ରଥମେ ମହିଳା ଜଣକ ପୋଲିସକୁ ଶବକୁ ହାତ ଲଗାଇବାକୁ ଦେଇନଥିଲେ। ଅନେକ ଚେଷ୍ଟା ପରେ ପୋଲିସ ଶବ ଉଦ୍ଧାର କରି ତାଙ୍କ ଭାଇ ଏବଂ ପରିବାରବର୍ଗଙ୍କୁ ସୂଚନା ଦେଇଥିଲା। ବର୍ତ୍ତମାନ ମହିଳାଙ୍କୁ ନିରୀକ୍ଷଣରେ ରଖାଯାଇଛି ଏବଂ ତାଙ୍କ ବୟାନ ରେକର୍ଡ କରାଯାଉଛି। ଯେପରି ବ୍ୟକ୍ତିଙ୍କ ମୃତ୍ୟୁ କିଭଳି ହେଲା ତାହା ଜଣାପଡ଼ିବ। ଏହା ସହ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଉଛି।

ସେପଟେ ପଡ଼େଶୀ କହିଛନ୍ତି ଗତ ତିନି- ଚାରି ଦିନ ଘରୁ ଦୁର୍ଗନ୍ଧ ଆସୁଥିଲା। କିନ୍ତୁ ମୃତକଙ୍କ ମାଆ ସବୁଦିନ ଭଳି ନିଜ କାମ କରୁଥିଲେ। ଏଥିପାଇଁ କାହାକୁ ସନ୍ଦେହ ହେଉନଥିଲା ଯେ, ଘରେ ଏଭଳି କିଛି ଘଟିଥିବ।