ଅଧାରୁ ଅଧିକ ଲୋକସଭା ଆସନରେ ମତଦାନ ଶେଷ, ଏବେ ୪ଟି ପର୍ଯ୍ୟାୟରେ ୨୬୦ ସିଟ ପାଇଁ ହେବ ଭୋଟ

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ ୭।୫: ଦେଶର ୧୧ଟି ରାଜ୍ୟରେ ୯୩ଟି ଲୋକସଭା ଆସନରେ ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ସମାପ୍ତ ହୋଇଛି। ୧,୩୩୧ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ବନ୍ଦ। ଏହି ପର୍ଯ୍ୟାୟରେ ଅନେକ ଦିଗ୍ଗଜ ନେତାଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ହୋଇଛି। ତଥ୍ୟ ଅନୁସାରେ ତୃତୀୟ ପର୍ଯ୍ୟାୟରେ ମୋଟ ୬୧.୨୯ ପ୍ରତିଶତ ଭୋଟ ପଡିଛି। ଏହି ମତଦାନ ସହିତ ଅଧାରୁ ଅଧିକ ଲୋକସଭା ଆସନ ପାଇଁ ଭୋଟିଂ ଶେଷ ହୋଇଛି। 

ଦେଶରେ ଲୋକସଭାର ମୋଟ ୫୪୩ଟି ଆସନ ରହିଛି। ଏଥିରୁ ପ୍ରଥମ ପର୍ଯ୍ୟାୟରେ ୧୦୨, ଦ୍ୱିତୀୟ ପର୍ଯ୍ୟାୟରେ ୮୮ ଓ ତୃତୀୟ ପର୍ଯ୍ୟାୟରେ ୯୩ ଆସନ ସହ ଦେଶର ୨୮୩ଟି ଲୋକସଭା ଆସନରେ ଭୋଟ ଗ୍ରହଣ ଶେଷ ହୋଇଛି। ଏବେ ବଳକା ୪ଟି ପର୍ଯ୍ୟାୟରେ ୨୬୦ ଲୋକସଭା ଆସନ ନିମନ୍ତେ ଭୋଟିଂ ହେବ। 

ତୃତୀୟ ପର୍ଯ୍ୟାୟରେ ଆସାମରେ ୭୫.୩୦, ଉତ୍ତରପ୍ରଦେଶରେ ୫୭.୩୪, କର୍ଣ୍ଣାଟକରେ ୬୮.୦୨,ଗୁଜରାଟରେ ୫୬.୭୭, ଗୋଆରେ ୭୪.୨୭, ଛତିଶଗଡ଼ରେ ୬୬.୯୯, ଦାଦର ଏବଂ ନଗର ହାଭେଲୀ ତଥା ଡ୍ୟୁରେ ୬୫.୨୩, ପଶ୍ଚିମବଙ୍ଗରେ ୭୩.୯୩, ବିହାରରେ ୫୬.୫୫, ମଧ୍ୟପ୍ରଦେଶରେ ୬୩.୦୯ ଓ ମହାରାଷ୍ଟ୍ରରେ ୫୪.୭୭ ପ୍ରତିଶତ ମତଦାନ ହୋଇଛି (ଏହା ଚୂଡ଼ାନ୍ତ ପ୍ରତିଶତ ନୁହେଁ, ଏଥିରେ ଶଂସୋଧନ ହୋଇପାରେ)

ତୃତୀୟ ପର୍ଯ୍ୟାୟ ମତଦାନ ସହିତ କେତେକ ରାଜ୍ୟରେ ଲୋକସଭା ନିର୍ବାଚନ ଶେଷ ହୋଇଛି। ଏଥିରେ ତାମିଲନାଡୁ,କେରଳ, ଗୁଜରାଟ, ରାଜସ୍ଥାନ, କର୍ଣ୍ଣାଟକ, ଆସାମ, ଡାମନ ଓ ଡ୍ୟୁ, ଦାଦରା ଏବଂ ନଗର ହାଭେଲି, ଗୋଆ, ଆସାମ, ତ୍ରିପୁରା, ମଣିପୁର, ମେଘାଲୟ, ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ଲୋକସଭା ନିର୍ବାଚନ ଶେଷ ହୋଇଛି। ଏବେ ଜୁନ ୪ ତାରିଖରେ ଭୋଟ ଗଣନା ହେବ। 

ତୃତୀୟ ପର୍ଯ୍ୟାୟ ମତଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ଅହମଦାବାଦରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଅଖିଳେଶ ଯାଦବ, ଡିମ୍ପଲ ଯାଦବ, ରବିନ୍ଦ୍ର ଜାଡେଜା, ରିତେଶ ଦେଶମୁଖ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂହ ଚୌହାନ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ତୃତୀୟ ପର୍ଯ୍ୟାୟ ମତଦାନରେ ମତାଧିକାର ସାବ୍ୟସ୍ତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.