ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ହୋଇଛି ୬୩.୩୭% ମତଦାନ: ନିର୍ବାଚନ ଆୟୋଗ

Published By : Prameya-News7 Bureau | May 28, 2024 IST

ନୂଆଦିଲ୍ଲୀ ୨୮।୫: ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନର ଚୂଡ଼ାନ୍ତ ମତଦାନ ହାର ମଙ୍ଗଳବାର ଜାରି ହୋଇଛି। ନିର୍ବାଚନ ଆୟୋଗଙ୍କ ଅନୁସାରେ ମୋଟ ୬୩.୩୭ ପ୍ରତିଶତ ଭୋଟ ପଡିଛି। ଏଥିରୁ ୬୧.୯୫ ପ୍ରତିଶତ ପୁରୁଷ ଭୋଟର ହୋଇଥିବା ବେଳେ ୬୪.୯୫ ପ୍ରତିଶତ ମହିଳା ଓ ୧୮.୬୭ ପ୍ରତିଶତ ତୃତୀୟ ଲିଙ୍ଗ ମତଦାନ କରିଛନ୍ତି। ନିର୍ବାଚନର ଏହି ପର୍ଯ୍ୟାୟରେ ୧୧.୧୩ କୋଟି ପାତ୍ର ମତଦାତାଙ୍କ ମଧ୍ୟରୁ ୭.୦୫ କୋଟି ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। 

ଲୋକସଭା ନିର୍ବାଚନର ପ୍ରଥମ ୬ ପର୍ଯ୍ୟାୟରେ ୮୭.୫୪ କୋଟି ଭୋଟରଙ୍କ ମଧ୍ୟରୁ ୫୭.୭୭ କୋଟି ଭୋଟର ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରକୁ ପହଞ୍ଚିଥିଲେ।  ବିଶ୍ୱର ସବୁଠୁ ବଡ଼ ଭୋଟର ବର୍ଗ ଭାରତର ହୋଇଥିବା ବେଳେ ଏହି ସଂଖ୍ୟା ୯୬.୮୮ କୋଟି ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁସାରେ ମେ ୨୦ ତାରିଖରେ ହୋଇଥିବା ୫ମ ପର୍ଯ୍ୟାୟ ମତଦାନରେ ୬୨.୨ ପ୍ରତିଶତ ଭୋଟିଂ ହୋଇଥିଲା। ସେହିପରି ଚତୁର୍ଥ ପର୍ଯ୍ୟାୟରେ ୬୯.୧୬ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନର ଏହି ପର୍ଯ୍ୟାୟରେ ହୋଇଥିବା ମତଦାନ ହାରଠାରୁ ୩.୬୫ ପ୍ରତିଶତ ଅଧିକ ମତଦାନ ହୋଇଛି। 

ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମେ ୨୫ ତାରିଖ ଦିନ ୮ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଙ୍କ ୫୮ ସିଟ୍‌ ପାଇଁ ଭୋଟଗ୍ରହଣ ହୋଇଥିଲା। ଏଥିରେ ଜମ୍ମୁ-କାଶ୍ମୀର ଅନନ୍ତ ନାଗ–ରାଜୌରୀ ସଂସଦୀୟ କ୍ଷେତ୍ର ମଧ୍ୟ ଥିଲା। ଷଷ୍ଠ ପର୍ଯ୍ୟାୟରେ ଯେଉଁ ଆସନ ପାଇଁ ମତଦାନ ହୋଇଥିଲା ସେଥିରେ ଉତ୍ତରପ୍ରଦେଶର ୧୪, ହରିୟାଣାର ସମସ୍ତ ୧୦, ବିହାର ଓ ପଶ୍ଚିମ ବଙ୍ଗର ୮ଟି ଲେଖାଏଁ ଆସନ, ଓଡିଶାର ୬, ଦିଲ୍ଲୀର ୭ ଓ ଝାଡଖଣ୍ଡର ୪ ସିଟ୍‌ ପାଇଁ ଭୋଟଗ୍ରହଣ ହୋଇଛି। ସବୁଠୁ କମ୍ ଜମ୍ମୁ-କାଶ୍ମୀରର ଗୋଟିଏ ଆସନ ପାଇଁ ମଧ୍ୟ ଲୋକେ ଭୋଟ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.