ଭୁବନେଶ୍ଵର: ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ନିର୍ବାଚନ କମିଶନଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ତଥା ୧୯୯୭ ବ୍ୟାଚ୍ର ଆଇପିଏସ୍ ଅଫିସର ଡିସେ କୁଟ୍ଟେଙ୍କୁ ଚାକିରିରୁ ନିଲମ୍ବନ କରିବା ସହ ୩ଟି ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଚିଲିକା ବିଧାୟକ ତଥା ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ୍ ମେସିନ୍ ଭଙ୍ଗା ଘଟଣାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ କୁମାର ସିଂଙ୍କ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ ଭୁବନେଶ୍ୱର ଏମସ୍ ଡାକ୍ତର ବୋର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର।
Also read: ବିଜେପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ଜବାବ, ହାତ ବାଡ଼େଇ କହିଲେ ଅପପ୍ରଚାର କାମ ଦେବନି
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ ଓ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡିଏସ୍ କୁଟ୍ଟେଙ୍କୁ ଚାକିରିରୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରିଛନ୍ତି। ଏଥିସହ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ବୁଧବାର ଅପରାହ୍ନ ୩ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ କୁଟ୍ଟେଙ୍କ ବିରୁଦ୍ଧରେ ଥିବା ଚିଠା ଚାର୍ଜସିଟକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଦେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ କୁମାର ସିଂ ଗତ ମେ’ ୪ତାରିଖରୁ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଛୁଟିରେ ଅଛନ୍ତି । ମାତ୍ର ସେ ନିର୍ବାଚନୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ବାରମ୍ବାର ଖବର ଆସୁଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କୁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରି ୩୦ ତାରିଖ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଏହାର ରିପୋର୍ଟ ୩୧ ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ଇଭିଏମ୍ ମେସିନ୍ ଭଙ୍ଗା ମାମଲାର ଯାଞ୍ଚ ଆଇନ ଅନୁସାରେ ତ୍ଵରିତ ତଦନ୍ତ ଜାରି ରଖିବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।