ପୁଣେ ‘ପୋର୍ସ’ କାଣ୍ଡ: ବଢିଲା ନାବାଳକର ପିତାଙ୍କ ହାଜତ ମିଆଦ, ମୁଖ୍ୟମନ୍ତ୍ରୀ କହିଲେ ମାମଲାରେ କାହାରିକୁ ଛଡାଯିବନି

Published By : Prameya-News7 Bureau | May 28, 2024 IST

ପୁଣେ ୨୮।୫: ପୁଣେ ପୋର୍ସ କାର ଦୁର୍ଘଟଣା ମାମଲାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ମାମଲାରେ ପ୍ରଥମ ଦିନରୁ ସେ ପୁଣେ ପୋଲିସ କମିଶନରଙ୍କ ସହ ସମ୍ପର୍କରେ ଅଛନ୍ତି। ଏହା ସହିତ ସେ କହିଛନ୍ତି ଯେ ‘ଆଇନ ସମସ୍ତଙ୍କ ପାଇଁ ସମାନ’। ସିନ୍ଦେଙ୍କ ଏହି ଟିପ୍ପଣୀ ସେତେବେଳେ ଆସିଛି ଯେତେବେଳେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ମାମଲାରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। 

ପୁଣେର ଜନୈକ ବିଲ୍ଡରଙ୍କ ୧୭ ବର୍ଷ ବୟଷ୍କ ପୁଅକୁ ଦିଆଯାଉଥିବା ଗୁରୁତ୍ୱ ସମ୍ପର୍କିତ ପ୍ରଶ୍ନର ଜବାବ ଦେଇ ସିନ୍ଦେ କହିଛନ୍ତି ଯେ ‘ମୁଁ ପ୍ରଥମ ଦିନରୁ ମାମଲାକୁ ନେଇ ପୁଣେ ପୋଲିସ କମିଶନରଙ୍କ ସମ୍ପର୍କରେ ରହିଛି। ମୁଁ ପ୍ରଥମରୁ କହୁଛି ଚାହେ ସିଏ ଯିଏବି ହୋଇଥାନ୍ତୁ ନା କାହିଁ, କେତେବି ପ୍ରଭାବଶାଳୀ ହୁଅନ୍ତୁ କୌଣସି ଭେଦଭାବ ହେବ ନାହିଁ’। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଇନ ଧନୀ କି ଗରିବ ଦେଖେନି। ଏଥିରେ କାହାରିକୁ ଛଡା ଯିବ ନାହିଁ, କଡା କାର୍ଯ୍ୟାନୁଷ୍ଠା ପାଇଁ ନିର୍ଦ୍ଦେଶ ଦେଇଛି। 

ପୁଣେ ସହରର କଲ୍ୟାଣୀ ନଗର ଅଞ୍ଚଳରେ ୧୯ ମେ ସକାଳେ ନା ବାଳକ ଦ୍ରୁତ ବେଗରେ ଚଳାଉଥିବା ପୋର୍ସ କାର ସହ ଧକ୍କା ଲାଗି ଦୁଇଜଣ ଆଇଟି ପ୍ରଫେସନାଲଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାକାଳରେ କିଶୋର ନିଶାଗ୍ରସ୍ତ ଥିଲା ବୋଲି ପୋଲିସ କହିଛି। ସେପଟେ ପୁଣେ କୋର୍ଟ ମଙ୍ଗଳବାର ପୋର୍ସ କାର ଦୁର୍ଘଟଣା ମାମଲାରେ କିଶୋର ଚାଳକଙ୍କ ପିତାଙ୍କୁ ମେ ୩୧ ତାରିଖ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି।  

କୋର୍ଟ ଏହି ମାମଲାରେ ଅଭିଯୁକ୍ତ କିଶୋର ଚାଳକଙ୍କର ଜେଜେଙ୍କ ପୋଲିସ ରିମାଣ୍ଡ ମିଆଦ ମେ ୩୧ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଏ.ଏ. ପାଣ୍ଡେଙ୍କ କୋର୍ଟରେ ହାଜର କରାଯାଇଥିଲା। ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୬୫ ଓ ୩୬୮ରେ ମାମଲା ରୁଜୁ ହୋଇଛି। ନା ବାଳକର ପିତା ତଥା ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ ବିଶାଲ ଅଗ୍ରୱାଲ (୫୦) କିଶୋର ନ୍ୟାୟ ଅଧିନିୟମରେ ରୁଜୁ ମାମଲାରେ ପ୍ରଥମରୁ ଜେଲରେ ଅଛନ୍ତି। ପୋଲିସ ଅଭିଯୋଗ କରିଛି ଯେ ବିଶାଲ ଅଗ୍ରୱାଲ ଓ ତାଙ୍କ ପିତା ସୁରେନ୍ଦ୍ର ଅଗ୍ରୱାଲ ତାଙ୍କ ଘରୋଇ ବାହନ ଚାଳକକୁ ପଇସା ଲାଳସା ଦେଖାଇ ଦୁର୍ଘଟଣାକୁ ନିଜ ଉପରକୁ ନେବା ପାଇଁ ଚାପ ପକାଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.